ସପ୍ତାହ ଭିତରେ ରେଳମନ୍ତ୍ରୀଙ୍କ ଦ୍ୱିତୀୟ ଓଡ଼ିଶା ଗସ୍ତ ବାଲେଶ୍ୱରରେ ବଖାଣିଲେ ମୋଦିଙ୍କ ସଫଳତା

0 53

ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି କ୍ଷୀରଚୋରା ଗୋପୀନାଥଙ୍କ ଦର୍ଶନ ସହ ଆରମ୍ଭ କରିଥିଲେ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ । ବାଲେଶ୍ୱର ଗୋପୀନାଥପୁର- ନୀଳଗିରି ମେମୁ ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି । ନୀଳଗିରିରୁ ବେତନଟୀ ରେଳ ଲାଇନ୍ ପାଇଁ ସର୍ଭେ ଆରମ୍ଭ ହେବା ନେଇ ଘୋଷଣା କରିଛନ୍ତି । ହଜାର ହଜାର ଅଞ୍ଚଳବାସୀ ରେଳମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି । ରାଜା ଅମଳରୁ ଏଠାରେ ରେଳଧାରଣା ପଡ଼ିଥିଲେ ମଧ୍ୟ ପାସେଞ୍ଜର ଟ୍ରେନ ଚଳାଚଳ କରିପାରୁନଥିଲା । ଶେଷରେ ବାଲେଶ୍ୱର ସାଂସଦ ପ୍ରତାପ
ଷଡ଼ଙ୍ଗୀଙ୍କ ଅଦମ୍ୟ ଉଦ୍ୟମ ଯୋଗୁ ଏହା ସମ୍ଭବପର ହୋଇ ପାରିଛି ଏବଂ ନୀଳଗିରିବାସୀଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ପାଲଟିଛି । ଆୟୋଜିତ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ଯେ, ନୀଳଗିରିବାସିଙ୍କ ପାଇଁ ଏହା ଏକ ସାକାର ସ୍ୱପ୍ନ, ଆଗକୁ ଆହୁରି ଶୁଭ ଖବର ମିଳିବ । ସେହିପରି ଜଳେଶ୍ୱରରୁ ଚନ୍ଦନେଶ୍ୱର ରେଳଲାଇନ ପାଇଁ ଡିପିଆର୍ ଆରମ୍ଭ ହୋଇଛି । ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି ରେଳମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଖନ୍ତାପଡ଼ାଠାରେ ଏକ ଫ୍ଲାଏଓଭର ନିର୍ମାଣ ହେବ ବୋଲି ସେ ଘୋଷଣା କରିଛନ୍ତି । ଏଥିସହ ସେ ରେମୁଣା ନିର୍ବାଚନମଣ୍ଡଳୀରେ ବିକଶିତ
ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇ ମୋଦି ଗ୍ୟାରେଣ୍ଟି କଥା ବଖାଣିଛନ୍ତି । ମାଗଣା ରାସନ, ଉଜ୍ୱଳା ଯୋଜନାରେ ଗ୍ୟାସ୍‌, ପିଏମ୍ ଆବାସ ଯୋଜନାରେ ହିତାଧିକାରୀଙ୍କୁ ମୋଦି ସରକାର ପକ୍କା ଘର ଦେଇଥିବା ରେଳମନ୍ତ୍ରୀ କହିଥିଲେ । ସୂଚନାଯୋଗ୍ୟ ଯେ, ସପ୍ତାହକ ଭିତରେ ଏହା ହେଉଛି ରେଳମନ୍ତ୍ରୀଙ୍କ ଦ୍ୱିତୀୟ ଓଡ଼ିଶା ଗସ୍ତ । ଗତ ସପ୍ତାହରେ ସେ କଟକ ଜିଲ୍ଲା ଗସ୍ତ କରି କଟକ ଲୋକସଭା କ୍ଷେତ୍ରର ଚାରୋଟି ବିଧାନସଭା ଅଞ୍ଚଳ ବୁଲିଥିଲେ । ଏବେ ଦୁଇଦିନିଆ ବାଲେଶ୍ୱର ଗସ୍ତରେ ଆସିଛନ୍ତି । ଚର୍ଚ୍ଚା ହେଉଛି ଅଶ୍ୱିନୀ କଟକ କିମ୍ବା ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି । ତାଙ୍କର କଟକ ପ୍ରଥମ ପସନ୍ଦ ହୋଇଥିବା ବେଳେ ବିକଳ୍ପ ଭାବେ ବାଲେଶ୍ୱରକୁ ବାଛିଛନ୍ତି । ଏହି ଦୁଇଟି ଜିଲ୍ଲା ତାଙ୍କର କର୍ମଭୂମି ଥିଲା । କଟକ ଓ ବାଲେଶ୍ୱରରେ ସେ ଥିଲେ ଜିଲ୍ଲାପାଳ । ତେବେ ସେ କେଉଁ ସିଟ୍‌କୁ ବାଛିବେ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ । ୨୦୨୪ ଲଢ଼େଇ ପାଇଁ ଜୋରଦାର ହେଲାଣି ରାଜନୈତିକ ଗତିବିଧି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ବି ଚର୍ଚ୍ଚା ଜୋର ଧରିଛି । ସେ କଟକ ନା ବାଲେଶ୍ୱର କେଉଁ ଆସନରୁ ପ୍ରାର୍ଥୀ ହେବେ ତାକୁ ନେଇ କଳ୍ପନାଜଳ୍ପନା ବଢ଼ୁଛି ।

Leave A Reply

Your email address will not be published.