ଝୁଲା ସାହିକୁ ବିକାଶ ଛୁଇଁନି

0 38

ପାରଳାଖେମୁଣ୍ଡି, ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ ଅଧୀନରେ ଥିବା ପୁଟୁରୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ଝୁଲାସାହି ଗାଁ । ଯେଉଁଠି ଏବେବି ସରକାରଙ୍କ ବହୁମୁଖୀ ବିକାଶ ଯୋଜନା ପହଞ୍ଚି ପାରିନି । ସ୍ୱାଧୀନତାର ୭୭ ବର୍ଷ ପରେ ବି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଲୋକେ ବହୁ ଦୁଃଖ କଷ୍ଟ ପାଉଥିବା ଅଭିଯୋଗ କରିଛନ୍ତି । ଏହି ଝୁଲା ସାହି ଗ୍ରାମବାସୀଙ୍କୁ ସବୁଦିନିଆ ରାସ୍ତା ସାତସପନ ପାଲଟିଛି । ସିଧାସଳଖ ରାସ୍ତା ନ ଥିବାରୁ ଲୋକେ ପାଦ ଚଲାରେ ବହୁ ସମୟ ଅତିକ୍ରାନ୍ତ କରି ଶରୀରକୁ କଷ୍ଟ ଦେଇ ଯିବାକୁ ପଡୁଛି । ଗ୍ରାମର ଲୋକଙ୍କୁ ସରକାରୀ ସାମଗ୍ରୀ ଚାଉଳ, ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଆଦି ପାଇଁ ଅନେକ କି.ମି ଦୂର ଚାଲିକରି ଯିବାକୁ ପଡିଥାଏ । ସରକାର ଗରୀବ ଆଦିବାସୀଙ୍କ ପାଇଁ ଅନେକ ବହୁମୁଖୀ ଯୋଜନା କରିଛନ୍ତି କିନ୍ତୁ ଏଠାରେ ବାସ୍ତବ ଚିତ୍ର ତାହାର ଓଲଟା ଦେଖିବାକୁ ମିଳିଛି । ଉକ୍ତ ସମସ୍ୟା ସମ୍ପର୍କରେ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ବାରମ୍ବାର ଅଭିଯୋଗ କରି ଥକି ପଡିଲେଣି ବୋଲି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତି ଝୁଲାସାହି ଗ୍ରାମବାସୀ । ଗ୍ରାମରେ ଅଙ୍ଗନୱାଡ଼ି ନାହିଁ । ସାହି ଠାରୁ ଅନେକ କିମି ଦୂର ଜଙ୍ଗଲ ପାହାଡ଼ ପରେ ପ୍ରାଥମିକ ବିଦ୍ୟାଳୟ । ଦୁର୍ଗମ ପାଦଚଲା ରାସ୍ତା ଯୋଗୁଁ ଅନେକ ଛାତ୍ର-ଛାତ୍ରୀଙ୍କ ପାଠପଢ଼ା ପ୍ରାଥମିକ ଶିକ୍ଷା ପରେ ପାଠରେ ଡୋରି ବନ୍ଧା ହୋଇଯାଏ । ତଥାପି କିଛି ପିଲାମାନେ ନିଜ ଜୀବନକୁ ବାଜି ଲଗାଇ ଖାଲ ଖମା ରାସ୍ତାରେ  ଅନେକ କିମି ଚାଲି ପାଠ ପଢ଼ିବାକୁ ଯାଆନ୍ତି । ଗାଁ କୁ ୧୦୮, ୧୦୨ ଆମ୍ବୁଲାନ୍ସ କି ଦମକଳ ଗାଡ଼ି ଯିବାର ପ୍ରଶ୍ନ ଉଠୁନି । ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଲେ କିମ୍ବା ଗର୍ଭବତୀଙ୍କ ଗର୍ଭ ଯନ୍ତ୍ରଣା ହେଲେ ଅନେକ କିମି ଖଟିଆରେ ବୁହା ହୋଇଥାନ୍ତି ରୋଗୀ । ଗ୍ରାମର ସମସ୍ତ ପରିବାର ଦିନ ମଜୁରିଆ ହୋଇଥିବା ବେଳେ କେହି କେହି ଅନ୍ୟର କାମ ଧନ୍ଦା କରି ଜୀବିକା ନିର୍ବାହ କରୁଥିବା ବେଳେ, ଅନେକ ଲୋକ ଜଙ୍ଗଲ ଜାତଦ୍ରବ୍ୟ ସଂଗ୍ରହ କରି ନିଜ ଜୀବିକା ନିର୍ବାହ କରନ୍ତି । ତେବେ ଏହି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ପାଇଁ ଭଗବାନ ହିଁଭରଷା । ଯଦି, ସରକାର ଓ ପ୍ରଶାସନ ଗ୍ରାମବାସୀମାନଙ୍କ ସମସ୍ୟାର ସମାଧାନ ନ କରନ୍ତି ତାହାଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି । ଦେଖିବାକୁ ବାକି ରହିଲା କେବେ ଜିଲ୍ଲା ପ୍ରଶାସନର ଓ ବ୍ଲକ ପ୍ରଶାସନର ଶୁଭ ଦୃଷ୍ଟି ପଡ଼ିବ ଏବଂ କେବେ ବ୍ୟବସ୍ଥା ସୁଧୁରିବ ଓ ଅଞ୍ଚଳର ଦୁଃଖ ଓ ଦୁର୍ଦ୍ଦଶା ଦୂର ହେବ ସେହି ଆଶାରେ ବସିଛନ୍ତି ଏହି ଝୁଲାସାହି ଗ୍ରାମବାସୀ ।

 

Leave A Reply

Your email address will not be published.