ସାକାର ହେଲା ଶତାବ୍ଦୀର ସ୍ୱପ୍ନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

0 35

ପୁରୀ, ସାକାର ହେଲା ହେଲା ଶତାବ୍ଦୀର ସ୍ୱପ୍ନ। ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହେଲା ସ୍ୱର୍ଣ୍ଣିମ ଅଧ୍ୟାୟ। ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଛି। ବ୍ରାହ୍ମଣମାନଙ୍କ ମନ୍ତ୍ରଧ୍ୱନି ମଧ୍ୟରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନଡ଼ିଆ ଭାଙ୍ଗି ପରିକ୍ରମା ପ୍ରକଳ୍ପକୁ ଉନ୍ମୋଚନ କରିବା ସହ ଦୀର୍ଘ ଶତାବ୍ଦୀର ଆଶା ଆକାଂକ୍ଷାକୁ ପୂରଣ କରିଛନ୍ତି। ଅପରାହ୍ନ ୧.୧୫ରୁ ସାଢେ଼ ଗୋଟାଏ ମଧ୍ୟରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଥିଲା। ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ, ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ, ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ନିମନ୍ତ୍ରିତ ଅତିଥି, ବିଭିନ୍ନ ମନ୍ଦିରରୁ ଆସିଥିବା କର୍ମକର୍ତ୍ତା, ସାଧୁସନ୍ଥ ଓ ମଠାଧୀଶମାନଙ୍କ ଗହଣରେ ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖ ଭାଗରେ ସଂକୀର୍ତ୍ତନ ଦଳର ଭଜନ କୀର୍ତ୍ତନ ସାଙ୍ଗକୁ ପୁରୀର ପରାମ୍ପରିକ ସମରକଳା ପ୍ରଦର୍ଶନ ସୃଷ୍ଟି କରିଥିଲା ବର୍ଣ୍ଣାଢ୍ୟ ପରିବେଶ। ଜୟଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ। ଆଜିର ଏହି ଲୋକାର୍ପଣ ଉତ୍ସବ ଲାଗି ଶ୍ରୀକ୍ଷେତ୍ର ହୋଇଉଠିଥିଲା ଉତ୍ସବ ମୁଖର। ଶ୍ରୀମନ୍ଦିର ଇତିହାସରେ ଯୋଡି ହୋଇଥିଲା ଏକ ନୂତନ ଫର୍ଦ୍ଦ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ମାତିତୋଟା ସ୍ଥିତ ଅସ୍ଥାୟୀ ହେଲି ପ୍ୟାଡ଼ରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଦେଶ୍ୟରେ ନିର୍ମିତ ପୁରୀ ଏନଏଚ ବାଇପାସରୁ ଜଗନ୍ନାଥ ବଲ୍ଳଭ
ପାର୍କିଂ ପ୍ଲେସକୁ ସଂଯୋଗ କରୁଥିବା ୨. ୩ କିମି ବିଶିଷ୍ଟ ଶ୍ରୀସେତୁ ଦେଇ ଶ୍ରୀ ମନ୍ଦିରର ନିକଟରେ ପହଞ୍ଚିଥିଲେ। ପରେ ଗଜପତିଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଯଜ୍ଞସ୍ଥଳ ପହଞ୍ଚି ଥିଲେ। ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ ବ୍ରାହ୍ମଣମାନଙ୍କ ମନ୍ତ୍ରଧ୍ୱନି ମଧ୍ୟରେ ଗଜପତି ମହାରାଜ ପରିକ୍ରମା ପ୍ରକଳ୍ପ ପାଇଁ ଅନୁଷ୍ଠିତ
ତ୍ରୀଦିବସୟୀ ଯଜ୍ଞରେ ପୂର୍ଣ୍ଣାହୂତି ଦେଇଥିଲେ। ଏହାପରେ ରାଜ୍ୟ ଓ ରାଜ୍ୟବାହାରର ବହୁ ମନ୍ଦିରର କର୍ମକର୍ତ୍ତା, ନିମନ୍ତ୍ରିତ ଅତିଥିଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ପାଦରେ ଚାଲି ଚାଲି ଶ୍ରୀମନ୍ଦିର ପରିକ୍ରମା
ପ୍ରକଳ୍ପ ପ୍ରଦକ୍ଷିଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆଗରେ ସଂକୀର୍ତ୍ତନକାରୀଙ୍କ ଭଜନ କୀର୍ତ୍ତନ ଓ ପଛରେ ପୁରୀର ପାରମ୍ପରିକ ସମରକଳା ପ୍ରଦର୍ଶନ ସୃଷ୍ଟି କରିଥିଲା ବର୍ଣ୍ଣାଢ୍ୟ ପରିବେଶ। ଶେଷରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ନିଷ୍ଠାପର ଯୋଗଦାନ ଲାଗି ରଘୁରାଜପୁରର ପଟ୍ଟଚିତ୍ର ଶିଳ୍ପୀ ୟୁନିଭର୍ସ ମହାରଣା, ନିର୍ମାଣ ଶ୍ରମିକ ଲକ୍ଷ୍ମୀ ପ୍ରଧାନ, ମାଳି ରାଜୁଭୋଇ, ଜେସିବି ପରିଚାଳକ ପ୍ରକାଶ ପ୍ରଧାନ, ଖୋଦେଇ ଶିଳ୍ପୀ ରବୀନ୍ଦ୍ର ଗୌଡ଼, କୀର୍ତ୍ତନ ମହାରଣା, ରାଜମିସ୍ତ୍ରୀ କବିରାଜ ରାଉତ, ସହାୟକ ସୁକାନ୍ତ ପ୍ରଧାନ, ବିଭୂ ରାଉତ ଓ ରାଜ ପେଙେଋଇ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଲୋକାର୍ପଣ କରିବା ପରେ ସାଧାରଣ ଶ୍ରଦ୍ଧାଳୁମାନେ ପରିକ୍ରମା ମାର୍ଗ ବୁଲିଥିଲେ। ଆଜିର କାର୍ଯ୍ୟକ୍ରମରେ ବାଚସ୍ପତି ପ୍ରମିଳା ମଲ୍ଲିକ, ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ପୁରୀ ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ କୁମାର ଷଢଙ୍ଗୀ, ରାଜ୍ୟ ମନ୍ତ୍ରୀମଣ୍ଡଳର ବହୁ ସଦସ୍ୟ, ବିଧାୟକ, ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା, ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଢଙ୍ଗୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, କେନ୍ଦ୍ରଞ୍ଚଳ ଆଇଜି ଆଶିଷ ସିଂ, ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି କନୱାର ବିଶାଳ ସିଂଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପ୍ରକଳ୍ପର ଲୋକାର୍ପଣ ଲାଗି ପୁରୀର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସୁରକ୍ଷା ଦାୟିତ୍ୱରେ ୮୦ ପ୍ଲାଟୁନ ଫୋର୍ସ ଓ ୩୫୦ ଜଣ ଅଫିସର ନିୟୋଜିତ ହୋଇଥିଲେ। ସନ୍ଧ୍ୟାରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ ସହ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ଆୟୋଜିତ ପ୍ରଦର୍ଶନୀକୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ବୁଲି ଦେଖିଥିଲେ। ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଶ୍ରୀମନ୍ଦିରର ରକ୍ଷଣା ବେକ୍ଷଣ ଦାୟିତ୍ୱ ୧୯୭୪ ମସିହାରୁ ଭାରତୀୟ ପତ୍ନତାତ୍ତ୍ୱିକ ସଂସ୍ଥା ଉପରେ ନ୍ୟସ୍ତ କରଯାଇଥିବା ବେଳେ ଏହି ପରିକ୍ରମା ମାର୍ଗ ନିର୍ମାଣର ପରିକଳ୍ପନା ଓ ତାହାକୁ କାର୍ଯ୍ୟକାରୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଲୋକାର୍ପଣ ପାଇଁ ୧୨ ତାରିଖରୁ ଶ୍ରୀକ୍ଷେତ୍ର ହୋଇଥିଲା
ଚଳଚଞ୍ଚଳ। ତିନି ଦିନ ଧରି ଚାଲିଥିଲା ମହାଯଜ୍ଞ। ମନ୍ତ୍ରଧ୍ୱନିରେ ମୁଖରିତ ହୋଇପଡ଼ିଥିଲା ଶ୍ରୀକ୍ଷେତ୍ର। ଚାରି ଦ୍ୱାରରେ ଗୁଞ୍ଜରିତ ହୋଇଥିଲା ବେଦଧ୍ୱନି। ଜଗନ୍ନାଥ ଭାବ ପ୍ରେମରେ ନିମଗ୍ନ ହେବା ସହ ମୁଖ୍ୟମନ୍ତ୍ରୀଙ୍କ ଆଖି ଖୁସିର ଲୁହରେ ଭିଜିଥିବା ଦେଖିବାକୁ ମିଳିଥିଲା। ଅରୁଣସ୍ତମ୍ଭ ନିକଟରେ ମହାପ୍ରଭୁଙ୍କ ଆଶିର୍ବାଦ ନେଇଥିଲେ ମୁଖ୍ୟମନ୍ତ୍ରୀ କିଭଳି ଶ୍ରଦ୍ଧାଳୁମାନେ ବିନା ବାଧାବିଘ୍ନରେ ମନ୍ଦିର ପରିକ୍ରମା କରିାରିବେ ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟର ମୂଳଲକ୍ଷ୍ୟ। ଶ୍ରଦ୍ଧାଳୁମାନେ ଶାନ୍ତିପୂର୍ଣ୍ଣ ଦର୍ଶନ ସହ ପରିକ୍ରମା ପ୍ରଦକ୍ଷିଣ କରି ଦିବ୍ୟ ଅନୁଭବ ପାଇପାରିବେ। ଆଜି ପରିକ୍ରମା ପ୍ରକଳ୍ପ ସହ ଶ୍ରୀସେତୁ, ଜଗନ୍ନାଥବଲ୍ଲଭ ପିଲିଗ୍ରୀମ୍‌ ସେଣ୍ଟର ଆଦି ଲୋକାର୍ପିତ ହୋଇଛି।

 

Leave A Reply

Your email address will not be published.