ଗୁମ୍ମାରେ ଇଣ୍ଟରନେଟ ସମସ୍ୟା ସୁଧାରିବ କେବେ ?

0 78

ପାରଳାଖେମୁଣ୍ଡି : ସରକାର ଜନସାଧାରଣଙ୍କୁ ଡିଜିଟେଲ ଇଣ୍ଡିଆର ସ୍ୱପ୍ନ ଦେଖାଇ ଆସୁଛନ୍ତି । ହେଲେ ଗଜପତି ଜିଲ୍ଲାରେ ଏଭଳି ଅନେକ ଅଞ୍ଚଳ ରହିଛି ଯେଉଁ ଠାରେ କି ଇଣ୍ଟରନେଟ ସେବା ଆଜି ସୁଦ୍ଧା ସ୍ୱପ୍ନ ହୋଇପଡିଛି । ଏହାର ଉଦାହରଣ ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଗୁମ୍ମା ବ୍ଲକରେ ସ୍ପଷ୍ଟ ହୋଇଛି । ଗୁମ୍ମା ବ୍ଲକ ମହକୁମା ଠାରେ ଏକମାତ୍ର ବିଏସ୍ଏନ୍ଏଲ୍ ଟାୱାର ରହିଛି । ଏହି ଟାୱାର ଉପରେ ଗୁମ୍ମା, ତରଭା, ଉଖୁରା, ରେଗେଡି ଆଦି ୧୨ ହଜାରରୁ ଉର୍ଦ୍ଧ ଲୋକଙ୍କ ସହ ଏହି ଅଞ୍ଚଳର ସମସ୍ତ ସରକାରୀ କାର୍ଯ୍ୟାଳୟ ନିର୍ଭର ହେବାକୁ ପଡୁଛି । ହେଲେ ଅଧିକାଂଶ ସମୟରେ ଏହି ଟାୱାରରେ ଇଣ୍ଟରନେଟର ସମସ୍ୟା ଯୋଗୁଁ ଲୋକେ ଟାୱାର ଥିଲେ ମଧ୍ୟ ଏହାର କୌଣସି ସୁଫଳ ପାଇପାରୁନାହାନ୍ତି । ଗତ କିଛି ଦିନ ତଳେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଲା । ଅଞ୍ଚଳର ଛାତ୍ର ଛାତ୍ରୀ ଓ ଅଭିଭାବକମାନେ ପରୀକ୍ଷାଫଳ ଜାଣିବା ପାଇଁ ଏହି ଇଣ୍ଟରନେଟ ବ୍ୟବସ୍ଥାକୁ ବ୍ୟବହାର କରୁଥିଲେ । ହେଲେ ମାତ୍ର କିଛି ଛାତ୍ରଛାତ୍ରୀ ସେମାନଙ୍କ ପରୀକ୍ଷା ଫଳ ପାଇବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟମାନେ ପରୀକ୍ଷାଫଳ ପାଇପାରି ନଥିଲେ । ସେମାନେ ଅନ୍ୟସ୍ଥାନରେ ରହୁଥିବା ନିଜ ସମ୍ପର୍କୀୟମାନଙ୍କୁ ଅନୁରୋଧ କରି ପରୀକ୍ଷାଫଳ ଜାଣିଥିଲେ । ବର୍ତ୍ତମାନ କରୋନା ଯୋଗୁଁ ଅନଲାଇନରେ ଛାତ୍ରଛାତ୍ରୀଙ୍କ ପାଠପଢା ଚାଲିଛି । ହେଲେ ଅଧିକାଂଶ ସମୟ ଧରି ଏଠାରେ ଇଣ୍ଟରନେଟ ସମସ୍ୟା ଦେଖାଯାଉଥିବାରୁ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଲକ୍ଷ୍ୟ କରାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗୁମ୍ମା ସଦର ମହକୁମା ଠାରେ ଗତ ୪ବର୍ଷ ଧରି ଏକ ଜିଓ ଟାୱାର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଏହାର ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯାଉ ନ ଥିବାରୁ ଏହି ଜିଓ ଟାୱାର ଦ୍ୱାରା ମଧ୍ୟ ଲୋକେ କୌଣସି ସୁବିଧା ପାଇପାରୁ ନାହାନ୍ତି । ଅତି ତୁରନ୍ତ ଜିଓ ଟାୱାର କାର୍ଯ୍ୟକ୍ଷମ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ପ୍ରଶାସନ ଇଣ୍ଟରନେଟ ବ୍ୟବସ୍ଥାକୁ ଅତି ତୁରନ୍ତ ସମାଧାନ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.