ବିନା ଛୁଞ୍ଚିରେ ଶିଶୁଙ୍କୁ କରୋନା ଟିକା

60

ଭୁବନେଶ୍ୱର : ବିନା ଛୁଞ୍ଚିରେ ଶିଶୁଙ୍କୁ କରୋନା ଟିକା ଦିଆଯିବ । ପିଲାମାନେ ସାଧାରଣତଃ ଇଞ୍ଜେକ୍ସନକୁ ଟିକେ ଡରନ୍ତି । ତେଣୁ ସେମାନଙ୍କୁ ଫର୍ମା ଡେପଥ୍ ଟେକ୍ନୋଲୋଜି ମାଧ୍ୟମରେ ଟିକା ଦିଆଯିବ । ଏଥିପାଇଁ ସ୍ୱତନ୍ତ୍ର ଏସ୍ଓପି ଆସିବ ଓ ସେହି ଅନୁସାରେ ଟିକାକରଣ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ପିଲାଙ୍କୁ ଦୁଇ ପ୍ରକାର ଟିକା ଦେବା ପାଇଁ ପରାମର୍ଶ ଅଛି । ୧୨ରୁ ୧୮ବର୍ଷ ଶିଶୁଙ୍କ ପାଇଁ ଜାଇକଭ-ଡି, ଯାହାକୁ ଡିସିଜିଆଇ ଅନୁମତି ଦେଇଛନ୍ତି । ସେହିପରି କୋଭାକ୍ସିନକୁ ଏକ୍ଜାମିନ୍ କରି ଡିସିଜିଆଇ ଅନୁମତି ଦେବେ । ରାଜ୍ୟରେ ୨ବର୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ ୧କୋଟି ୪୦ ଲକ୍ଷ ଶିଶୁ ଅଛନ୍ତି । ଯଦି ଏକା ସାଙ୍ଗେ ସବୁ ଶିଶୁଙ୍କୁ ଟିକା ଦିଆଯିବ, ତେବେ ଟିକା କେନ୍ଦ୍ର ବଢ଼ାଇବାକୁ ପଡ଼ିବ । ନିର୍ଦ୍ଦେଶ ଆସିବା ପରେ ଟିକାକରଣ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ କୋଟି ୫୦ଲକ୍ଷ ଡୋଜ୍ ଟିକା ଦିଆଗଲାଣି । ୨କୋଟି ୪୭ଲକ୍ଷ ଲୋକ ପ୍ରଥମ ଡୋଜ୍ ଓ ୧କୋଟି ୩ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି । ଆଜି ୧୮୩୦ଟି ଟିକାକେନ୍ଦ୍ରରେ ଟିକା ଦିଆଯାଉଛି । ବର୍ତ୍ତମାନ ରାଜ୍ୟରେ ୨୬ ଲକ୍ଷ ଟିକା ମହଜୁଦ ଅଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Comments are closed.