0 84

ନୟାଗଡ଼ ଜିଲ୍ଲାରେ ଚିନ୍ତା ବଢ଼ାଇଲାଣି କରୋନା : ସଂକ୍ରମଣ ସହ ବଢ଼ୁଛି ମୃତ୍ୟୁ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଚିନ୍ତା ବଢାଇଲାଣି କୋଭିଡ୍‌-୧୯ ଭୂତାଣୁ। ଜୁନ୍‌ , ଜୁଲାଇରୁ କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ, ଅଗଷ୍ଟରେ ସଂକ୍ରମଣ ସଂଖ୍ୟା ଅଧିକ ତୀବ୍ର ହେବାରେ ଲାଗିଛି। ଅଗଷ୍ଟ ମାସର ୧୬ ଦିନ ମଧ୍ୟରେ କେଉଁଦିନ ଶତାଧିକ ତ କେଉଁଦିନ ଅର୍ଦ୍ଧଶତକ କରୋନା ପାର୍‌ କରିଯାଉଛି। ଜିଲ୍ଲାରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୦ ଛୁଇଁବା ପାଖାପାଖି, ଯେଉଁ ହାରରେ ରୋଗୀ ଚିହ୍ନଟ ହେଉଛନ୍ତି, ଆଉ ଗୋଟିଏ ଦିନରେ ଏହା ୧୫୦୦ ଅତିକ୍ରମ କରିବ‌ା ଏକରକମ ସ୍ପଷ୍ଟ ହେଉଛି। ରାଜ୍ୟରେ କରୋନା ପ୍ରବଣ ଗଞ୍ଜାମ, ଖୋର୍ଦ୍ଧା‌, ସୁନ୍ଦରଗଡ଼, କଟକ ଜିଲ୍ଲା ବାଦ୍‌ ଯେଉଁ ହାତ ଗଣତି କୋତୋଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୦ ଅତିକ୍ରମ କରିଛି, ନୟାଗଡ଼ ଜିଲ୍ଲା ମଧ୍ୟ ତା’ ମଧ୍ୟରେ ସାମିଲ ହେବାର ଆଶଙ୍କା ଦେଖାଯାଇଛି। ନୟାଗଡ଼ ଜିଲ୍ଲାରୁ ବହୁ ବିଳମ୍ବ ଅର୍ଥାତ୍‌ ମେ ୯ ତାରିଖରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କିନ୍ତୁ ସ୍ଥାନୀୟ ସଂକ୍ରମଣ ହାର ଏତେ ତୀବ୍ରତର ହେବାରେ ଲାଗିଛି ଯେ, ଏହା କରୋନା ପ୍ରବଣ ଜିଲ୍ଲା ଭା‌ବେ ବିବେଚିତ ହେବାର ଆଶଙ୍କା ଦେଖାଗଲାଣି। ମୃତ୍ୟୁ ସଂଖ୍ୟାରେ ମଧ୍ୟ ଏହା ଅଧିକ ରୋଗୀ ଥିବା ଜିଲ୍ଲାକୁ ଟପିଗଲାଣି। ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ଗଞ୍ଜାମ, ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ ଆଦି ଜିଲ୍ଲାକୁ ବାଦ୍‌ ‌ଦେଲେ ଯେଉଁ କେତେକ ଜିଲ୍ଲାରେ ରୋଗୀ ସଂଖ୍ୟା ୨୦୦୦ ଅତିକ୍ରମ କରିଛି, ଅଥବା ନୟାଗଡ଼ଠାରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି, ସେହି ଜିଲ୍ଲା ଗୁଡ଼ିକଠାରୁ ତୁଳନାତ୍ମକ ଭାବେ ନୟାଗଡ଼ରେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ। ଏଠାରେ ସମୁଦାୟ ୧୧ କରୋନା ଆକ୍ରାନ୍ତଙ୍କ ପ୍ରାଣ ଯାଇଥିବା ବେଳେ, ସେଥିରୁ ୯ଟି ହେଉଛି କରୋନା ଭୂତାଣୁ ଜନିତ ମୃତ୍ୟୁ। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ୱେବସାଇଟ୍‌ ତଥ୍ୟ ଅନୁଯାୟୀ, ନୟାଗଡ଼ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୪୯୩ ଛୁଇଁଛି। ସେଥିମଧ୍ୟରୁ ୮୧୧ ଜଣ ସୁସ୍ଥ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୧୧, ଅନେକ କରୋନା ପଜିଟିଭ୍‌ ହୋଇ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ବେଳେ, ତାଙ୍କ ମୃତ୍ୟୁ ବାବଦରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ମିଳିନାହିଁ।

ତୁଳନାତ୍ମକ ଭାବେ ବାଲେଶ୍ବର ଜିଲ୍ଲା‌ରେ ୨୧୧୮ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ, କରୋନା ଜନିତ ମୃତ୍ୟୁ ୭, ଭଦ୍ରକରେ ୧୬୧୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ, କରୋନା ଜନିତ ମୃତ୍ୟୁ ୫, ଯାଜପୁରରେ ୨୧୪୦ ଆକ୍ରାନ୍ତ ହୋଇଥିବା ବେଳେ, କରୋନା ଜନିତ ମୃତ୍ୟୁ ମାତ୍ର ୪। ଅଗଷ୍ଟ ୧୫ ଦିନ ଜିଲ୍ଲାରୁ ୧୪୨ ଜଣ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଥିବା ବେଳେ ଅଗଷ୍ଟ ୧୪ ଦିନ ୭୫ ଜଣ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଥିଲା। ଅଗଷ୍ଟ ୧୩ ଦିନ ୫୬ ଜଣ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡ଼ିଥିଲା। ଅଗଷ୍ଟ ୧୨ ଦିନ ୧୦୫ ଜଣ ଆକ୍ରାନ୍ତ ହୋଇଥିବା ଜଣାଯାଇଥିଲା। ଅଗଷ୍ଟ ୧୧ ଦିନ ୫୭ ଜଣ ଆକ୍ରାନ୍ତ ହୋଇଥିବା ଘୋଷଣା କରାଯାଇଥିଲା। ଏହିଭଳି ଭାବେ ନୟାଗଡ଼ରେ ଅଗଷ୍ଟରେ ଅଧିକାଂଶ ଦିନ କରୋନା ଶତକ, ଅର୍ଦ୍ଧଶତକ ପାର୍‌ କରୁଛି। ଯାହାକି କରୋନା ଭୟାବହତାକୁ ସୂଚାଉଛି। ଆଜି ଜିଲ୍ଲାରୁ ପୁଣି ୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ‌ ସେମାନଙ୍କ ମଧ୍ୟରୁ ସର୍ବାଧିକ ୮ ଜଣ ରଣପୁର ବ୍ଲକ୍‌ରୁ ଚିହ୍ନଟ ହୋଇଛନ୍ତି। ଭାପୁର, ଖଣ୍ଡପଡ଼ା, ନୟାଗଡ଼, ଓଡ଼ଗାଁ, ନୟାଗଡ଼ ମ୍ୟୁନିସିପାଲିଟି ଅଞ୍ଚଳରୁ ଜଣେ ଲେଖା‌ଏଁ ଆକ୍ରାନ୍ତ ଚିହ୍ନଟ ହୋ‌ଇଛନ୍ତି। ଏମାନେ ସମସ୍ତେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ତେବେ ନୟାଗଡ଼ରେ କରୋନା ସଂକ୍ରମଣ କାହିଁକି ହଠାତ୍‌ ବଢ଼ିଗଲା, ସଚେତନତା ଅଭାବ ନା ପ୍ରଶାସନିକ କଟକଣାରେ ଭୁଲ୍‌ ରହିଲା। ତାକୁ ନେଇ ଚିନ୍ତା ପ୍ରକା‌ଶ ପାଇଲାଣି।

Leave A Reply

Your email address will not be published.