ପୁଣି ଦିଦିଙ୍କ ଚିନ୍ତା ବଢ଼ିଲା

0 59

କ୍ୟାବିନେଟ ବୈଠକରେ ଯୋଗଦେଲେନି ୪ ମନ୍ତ୍ରୀ

କୋଲକାତା, ୨୩ ।୧୨: ଆସନ୍ତାବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ତୃଣମୂଳ କଂଗ୍ରେସର ଚିନ୍ତା ବଢ଼ିବାରେ ଲାଗିଛି । ଏକାଧିକ ବିଧାୟକ ଓ ନେତା ଟିଏମକୁ ବାଏବାଏ କହୁଥିବା ବେଳେ ଏବେ କ୍ୟାବିନେଟ୍ ବୈଠକ ବେଳେ କମ୍ପନ ଦେଖିବାକୁ ମିଳିଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ୟାବିନେଟ୍ ବୈଠକ ଡାକିଥିଲେ । ହେଲେ ଏହି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ରେ ୪ ଜଣ ସଦସ୍ୟ ଯୋଗଦେଇ ନାହାନ୍ତି । ସେମାନେ କାହିଁକି ବୈଠକରେ ଯୋଗଦେଲେନି ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କୁହାଯାଉଛି, ଏହି ୪ ମନ୍ତ୍ରୀ ମଧ୍ୟ ଅନ୍ୟ ଟିଏମସି ନେତାଙ୍କ ଭଳି ନିର୍ବାଚନ ପୂର୍ବରୁ ଦଳ ବଦଳ କରିବେ । ତେବେ ଟିଏମସିର ସାଧାରଣ ସମ୍ପାଦକ ପାର୍ଥ ଚାଟାର୍ଜୀ ଘଟଣାରେ ତାଳି ପକାଇବାକୁ ଉଦ୍ୟମ କରିଛନ୍ତି । ସେ କହିଛନ୍ତି, ଅନୁପସ୍ଥିତି ଥିବା ଚାରିଜଣଙ୍କ ମଧ୍ୟରୁ ତିନିଜଣ କାହିଁକି ଆସିଲେ ନାହିଁ, ତା’ର କାରଣ ଦଳକୁ ଅବଗତ କରାଇଛନ୍ତି । ଆଉ ଜଣେ ମନ୍ତ୍ରୀଙ୍କ ସହ ଆମର ଯୋଗାଯୋଗ ହୋଇପାରିନାହିଁ । ସମସ୍ତେ ଆମ ଦଳ ସହ ରହିଛନ୍ତି । ଏହାକୁ ନେଇ ଅଯଥା ବିବାଦ କରିବା ଅନୁଚିତ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଜଙ୍ଗଲ ବିଭାଗର କ୍ୟାବିନେଟ ମନ୍ତ୍ରୀ ରାଜୀବ ବାନାର୍ଜୀଙ୍କ ଅନୁପସ୍ଥିତି ସମସ୍ତଙ୍କୁ ସନ୍ଦେହ ଘେରକୁ ଠେଲି ଦେଇଛି । କାରଣ ସେ ନଭେମ୍ୱର ମାସ ଠାରୁ ଟିଏମସରେ ରହି ଦଳକୁ ନିୟମିତ ସମାଲୋଚନା କରି ଆସୁଛନ୍ତି । ଏବେ ସେ ଦଳ ବଦଳ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି । ନଭେମ୍ବର ମାସରେ କୋଲକାତାରେ ଆୟୋଜିତ ଏକ ସାଧାରଣ ସଭାରେ ସେ କହିଥିଲେ ଯେ ଟିଏମସିରେରେ ଯେଉଁମାନେ “ହଁ ହଜୁର’ କହିବେ, ସେମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି । ସେହିପରି ଟିଏମସିରେ ଚାଲିଥିବା ପରିବାରବାଦ ଓ ପ୍ରିୟାପ୍ରୀତି ତୋଷଣ ନୀତି ସମ୍ପର୍କରେ ମଧ୍ୟ ସେ ମୁହଁ ଖୋଲି ବିବାଦ ସୃଷ୍ଟି କରିଥିଲେ । ସେବେଠାରୁ ଦଳ ସହ ତାଙ୍କର ତିକ୍ତତା ଲାଗି ରହିଛି । ମଙ୍ଗଳବାର ବୈଠକରେ ଅନୁପସ୍ଥିତ ଥିବା ଉତ୍ତର ବେଙ୍ଗଲ ବିକାଶ ମନ୍ତ୍ରୀ ରବୀନ୍ଦ୍ରନାଥ ଘୋଷ ଅନୁପସ୍ଥିତ ରହିବା ପଛର କାରଣ ସମ୍ପର୍କରେ କହିଛି ଯେ ସେ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଦ୍ୱାର ଦ୍ୱାର କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ମମତା ସରକାର ଲୋକଙ୍କ ଘର ଘର ବୁଲି ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଉଛନ୍ତି । ସେହିପରି ପର୍ଯ୍ୟଟନ ମନ୍ତ୍ରୀ ଗୌତମ ଦେବ ଅସୁସ୍ଥ ରହିଛନ୍ତି ଓ ମନ୍ତ୍ରୀ ଚନ୍ଦ୍ରନାଥ ସିହ୍ନା ଆସନ୍ତା ସପ୍ତାହରେ ହେବାକୁ ଥିବା ମମତା ବାନାର୍ଜୀଙ୍କ ଗସ୍ତକୁ ନେଇ ବ୍ୟସ୍ତ ଥିବାରୁ ବୈଠକରେ ଯୋଗଦେଇ ପାରି ନଥିବା କହିଛନ୍ତି ।

Leave A Reply

Your email address will not be published.