ଆଗାମୀ ୬ ମାସ ମଧ୍ୟରେ ଭାରତରେ ୩ଲକ୍ଷ ଶିଶୁ ମୃତ୍ୟୁମୁଖରେ ପଡ଼ିବେ : ୟୁନିସେଫ

0 76

ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣ କାରଣରୁ ବିଶ୍ୱର ପ୍ରାୟତଃ ସବୁ ଦେଶର ସ୍ୱାସ୍ଥ୍ୟବସ୍ଥା ଉପରେ ପ୍ରଭାବ ପକାଇଛି । ବର୍ତ୍ତମାନ ସମୟରେ କୋଭିଡ୍‌-୧୯ ଚିକିତ୍ସା ପାଇଁ ହସ୍ପିଟାଲରେ ଭିଡ଼ ଜମୁଥିବାରୁ ଏଭଳି ସମସ୍ୟା ଦେଖାଦେଇଛି । ଏପରିସ୍ଥଳେ ଶିଶୁମାନଙ୍କ ପାଇଁ ଅଧିକ ଯତ୍ନ ନେବାର ଆବଶ୍ୟକତା ଥିବା ବେଳେ କିନ୍ତୁ ତାହା ସମ୍ଭବପର ହୋଇପାରୁନାହିଁ । ସଂଯୁକ୍ତ ରାଷ୍ଟ୍ର ସଂଗଠନ ୟୁନିସେଫ୍ ସୂଚନା ଦେଇଛି କି ଭାରତରେ ଆସନ୍ତା ୬ ମାସ ମଧ୍ୟରେ ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କ କ୍ଷେତ୍ରରେ ଏହା ବିଶେଷ ଭାବେ ପ୍ରଭାବିତ ହେବ । ଏପରିକି ଭାରତରେ ୩ଲକ୍ଷ ଶିଶୁ ଏହି କାରଣରୁ ମୃତ୍ୟୁବରଣ କରିବେ । ତେବେ ଏହି ଶିଶୁମୃତ୍ୟୁ ହାର ଓ କୋଭିଡ୍‌-୧୯ ମୃତ୍ୟୁହାର ପୃଥକ ରହିବ । ୟୁନିସେଫର ସୂଚନା ମୁତାବକ ଦକ୍ଷିଣ ଏସିଆରେ ୫ ବର୍ଷରୁ କମ୍ ଶିଶୁ ମୃତ୍ୟୁହାର ସଂଖ୍ୟା ପାଖାପାଖାପି ୪ଲକ୍ଷ ୪୦ ହଜାର ରହିବ । ଏମାନଙ୍କ ମଧ୍ୟରୁ ଭାରତରେ ଏହାର ସଂଖ୍ୟା ସର୍ବାଧିକ ରହିବ । ଦକ୍ଷିଣ ଏସିଆ ପାଇଁ ନିୟୋଜିତ ୟୁନିସେଫ୍ ରିଜିଓନାଲ ଡାଇରେକ୍ଟର ଜିନ୍ ଗୋଫ୍‌ଙ୍କ କହିବା କଥା କି ଦକ୍ଷିଣ ଏସିଆର ଶିଶୁ ମୃତ୍ୟୁହାରର ଏହି ପରିସଂଖ୍ୟାନ ଆମକୁ ବିଚଳିତ କରିଛି । ଯେକୌଣସି ଉପାୟରେ ଦକ୍ଷିଣ ଏସିଆରେ ମା’, ଗର୍ଭବତୀ ଓ ନବଜାତ ଶିଶୁଙ୍କ ଜୀବନରକ୍ଷା କରିବା ଆମ ସମସ୍ତଙ୍କର ପ୍ରଧାନ କର୍ତ୍ତବ୍ୟ । ମହାମାରୀ କରୋନା ବିପକ୍ଷରେ ଲଢ଼େଇ ଯେତିକି ଗୁରୁତ୍ୱପୂର୍ଣ୍ଣ ଠିକ୍ ସେତିକିମାତ୍ରାରେ ମାତୃ ଓ ଶିଶୁ ମୃତ୍ୟୁହାର କମାଇବା ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବହନ କରୁଛି । ୟୁନିସେଫ୍‌ର ସୂଚନାନୁଯାୟୀ ଭାରତ ପରେ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ରହିବ । ଅର୍ଥାତ ପାକିସ୍ତାନରେ ୯୫ହଜାର ଶିଶୁ ଏଭଳି ମୃତ୍ୟୁବରଣ କରିବେ । ଅନ୍ୟପକ୍ଷରେ ବାଂଲାଦେଶରେ ୨୮ହଜାର, ଆଫଗାନିସ୍ତାନରେ ୧୩ହଜାର ଓ ନେବାଳରେ ୪ହଜାର ଶିଶୁଙ୍କ ମୃତ୍ୟୁ ହେବ ବୋଲି ଆକଳନ କରାଯାଇଛି । ୟୁନିସେଫ୍‌ର କହିବାନୁଯାୟୀ ଯେଉଁ ଦେଶରେ ସ୍ୱାସ୍ଥ୍ୟ ପ୍ରଣାଳୀ କମ୍‌ଜୋର୍ ରହିଛି ସେଠାରେ କୋଭିଡ-୧୯ ସଂକ୍ରମଣ କାରଣରୁ ମେଡିକାଲ୍ ସପ୍ଲାଇ ଚେନ୍‌ରେ ବାଧା ଉପୁଜୁଛି । ଏଥିସହ ମାନବ ଓ ବିତ୍ତୀୟ ସଂଶାଧନ ଉପରେ ଚାପ ବି ବଢ଼ୁଛି । ଲକ୍‌ଡାଉନ୍‌, କର୍ଫ୍ୟୁ ଓ ପରିବହନ ସେବା ଠପ୍ ଯୋଗୁଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୂର୍ବାପେକ୍ଷା କମ୍ ଲୋକ ଯାଉଛନ୍ତି । ଲୋକଙ୍କୁ ସଂକ୍ରମଣର ଭୟ ଘାରିଛି । ମହାମାରୀ କରୋନା ପ୍ରଭାବକୁ ଲକ୍ଷ୍ୟ କରି ବହୁ ଦେଶରେ ଟିକାକରଣ ଅଭିଯାନକୁ ବି ବନ୍ଦ କରିଦିଆଯାଇଛି । ଭାରତ ମଧ୍ୟ ଏଭଳି ଦେଶ ମଧ୍ୟରେ ଆସୁଛି । ଏଠାରେ ବି କୋଭିଡ୍‌-୧୯ ସଂକ୍ରମଣ ମାମଲା ଦିନକୁ ଦିନ କ୍ଷୀପ୍ର ବେଗରେ ବଢ଼ିଚାଲିଛି । ଏଥିଯୋଗୁଁ ସ୍ୱାସ୍ଥ୍ୟସେବା ଉପରେ ବୋଝ ବଢ଼ିଚାଲିଛି । ଯଦ୍ୱାରା ଶିଶୁଙ୍କ ଚିକିତ୍ସା କ୍ଷେତ୍ରରେ ବିଶେଷ ପ୍ରତିବନ୍ଧକ ସାଜିଥିବା ପରିଲକ୍ଷିତ ହେଉଛି ।

Leave A Reply

Your email address will not be published.