କଳା ପଲସର ଆତଙ୍କ : ୩ ଲକ୍ଷ ଲୁଟିନେଲେ ଲୁଟେରା

0 74

ଢେଙ୍କାନାଳ : କିଛି ଦିନ ବ୍ୟବଧାନରେ କାମାକ୍ଷାନଗରରେ ପୁଣି କଳା ପଲସର ଆତଙ୍କ ଦେଖାଦେଇଛି । କାମାକ୍ଷାନଗର ଥାନା ଜାତୀୟ ରାଜପଥ ୫୩ ଅନ୍ତର୍ଗତ ଟାଙ୍ଗରପଡା ଠାରେ ଏସବିଆଇ ଗ୍ରାହକ ସେବା ମାଲିକଙ୍କ ଠାରୁ ଦୁଇ ଦୁର୍ବୃତ ଭୁଜାଲି ଦେଖାଇ ୩ ଲକ୍ଷ ଟଙ୍କା ଲୁଟିନେଇଥିବାର ଜଣାଯାଇଛି । ଖବରରୁ ପ୍ରକାଶ ଯେ, କାମାକ୍ଷାନଗର ଥାନା ବାଲିଗୋରଡ ଗ୍ରାମର ଏସବିଆଇ ଗ୍ରାହକ ସେବା କେନ୍ଦ୍ରର ମାଲିକ ମନୋଜ କୁମାର ମହାନ୍ତି ନିଜ ଗ୍ରାମରୁ ଏକ ହିରୋହୁଣ୍ଡା ମଟର ସାଇକେଲ ଯୋଗେ ମଠକରଗୋଳା ସ୍ଥିତ ନିଜ ଗ୍ରାହକ ସେବା କେନ୍ଦ୍ରକୁ ଯାଉଥିଲେ । ବାଟରେ ଟାଙ୍ଗରପଡା ନିକଟରେ ୨ ଦୁର୍ବୃତ କଳା ପଲସରରେ ପିଛାକରି ତାଙ୍କ୍ ଗାଡିକୁ ଅଟକାଇ ତାଙ୍କ ଠାରୁୁ ପ୍ରାୟ ୩ ଲକ୍ଷ ଟଙ୍କା ଲୁଟି ନେଇ ଫେରାର୍ ହୋଇଯାଇଥିଲେ । ଏ ନେଇ ଶ୍ରୀ ମହାନ୍ତି କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ୍ ତନାଘନା ଜାରି ରଖିଛି । ତେବେ ଅନେକ ଥର ଗ୍ରାହକ ସେବା କେନ୍ଦ୍ରରୁ ଲୁଟ୍ ହେଇଥିଲେ ମଧ୍ୟ ପୋଲିସକୁ କିଛି ସୁରାକ୍ ନ ମିଳିବାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ଏହି ଘଟଣାରେ ପୂର୍ବଭଳି ପୋଲିସ ଚୁପ୍ ରହିବ ନା ଆସାମୀକୁ ଖୋଜି ଧରିପାରିବ ତାହା ସମୟ କହିବ ବୋଲି ପ୍ରତିକ୍ରିିୟା ପ୍ରକାଶ ପାଇଛି ।

Leave A Reply

Your email address will not be published.