କ୍ରଲ ଭିତରେ ନରହନ୍ତା ହାତୀ ‘ରାକେଶ’

0 87

ଢେଙ୍କାନାଳ, ଡୁମାଣୀଖବର : କପିଳାସ ଚିଡ଼ିଆଖାନା ପାଶ୍ୱର୍ରେ ଥିବା ଏଲିଫ୍ୟାଂଟ ରେସ୍କ୍ୟୁ ସେଂଟରରେ ନରହନ୍ତା ଦନ୍ତାହାତୀ ‘ରାକେଶ’କୁ ରଖାଯାଇଛି ।ଗତ ଜାନୁୟାରୀ ୨୨ ତାରିଖ ଠାରୁ ଏଲିଫ୍ୟାଂଟ ରେସ୍କ୍ୟୁ ସେଂଟରରେ ଶିକୁଳିରେ ବନ୍ଧାହୋଇ ରହିଥିବା ଦନ୍ତାହାତୀ ରାକେଶକୁ କ୍ରଲ ପରିସରକୁ ନିଆଯାଉଥିବାବେଳେ ଖୋଳାଯାଇଥିବା ଟ୍ରେଂଚରେ ଗଳିପଡ଼ିଥିଲା । ପରେ ତାକୁ ଉଦ୍ଧାର କରାଯାଇ କ୍ରଲ ମଧ୍ୟକୁ ସ୍ଥାନାନ୍ତରୀତ କରାଯାଇଛି । ରାକେଶ ପାଇଁ ଏକ ଘର ନିର୍ମାଣ କରାଯାଇ ଏହାର ଭିତରେ ୧୨ଫୁଟ ଲମ୍ବ ଓ ୧୨ଫୁଟ ଚଉଡ଼ା କାଠ ବାଡ଼ରେ ଆବଦ୍ଧ ହୋଇଥିବା ଏକ କ୍ରଲ ନିର୍ମାଣ କରାଯାଇଛି । ଏଥିପାଇଁ ମୋଟ ୪ଲକ୍ଷ ୮୦ହଜାର ଟଙ୍କା ବ୍ୟୟ କରାଯାଇଛି । ଦୀର୍ଘଦିନ ଲୁହାଶିକୁଳିରେ ବନ୍ଧା ହୋଇ ରହିଥିବାରୁ ରାକେଶ ଗୋଡ଼ରେ ଘା ହୋଇଯାଇଥିବାରୁ ଆଉ ଅଧିକ ଦିନ ତାକୁ ଏଭଳି ବନ୍ଦୀ ଭାବେ ରଖିବାକୁ ନିରାପଦ ହୋଇନଥିଲା । ସେଥିପାଇଁ କାଠରେ କ୍ରଲ ନିର୍ମାଣ କରାଯାଇ ତାକୁ ରଖାଯାଇଛି । ଏହିଭଳି କ୍ରଲ ଓଡ଼ିଶାରେ ଦ୍ୱିତୀୟ । ପୂର୍ବରୁ ଚନ୍ଦକାରେ କ୍ରଲ ନିର୍ମାଣ ହୋଇଥିଲେହେଁ ଉପରେ ଛାତ ନାହିଁ । କେରଳ ଓ ଆସାମ ପ୍ରଭୃତିରେ ଏହି ଉପାୟରେ ଉଗ୍ର ହେଉଥିବା ହାତୀମାନଙ୍କୁ ରଖା ଯାଇଥାଏ । ସେଠାରେ ତାର ଖାଦ୍ୟ, ପାନୀୟର ବ୍ୟବସ୍ଥା ମଧ୍ୟ କରାଯାଇଛି । ହାତୀ ଉପରେ ନଜର ରଖିବାପାଇଁ ବନବିଭାଗ କର୍ମଚାରୀମାନେ ନିୟୋଜିତ ଅଛନ୍ତି । ହାତୀଟି ବହୁତ ଦୁର୍ବଳ ଥିବାର ଲକ୍ଷ୍ୟ କରାଯାଉଛି । ତାର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପାଇଁ ମଧ୍ୟ ଚେଷ୍ଟା ଚଳାଯାଉଛି । ଏଠାରେ ସୂଚନାଯୋଗ୍ୟଯେ, ଏହି ହାତୀ ବିଭିନ୍ନ ଅଞ୍ଚଳରେ ଉପଦ୍ରବ କରି ୬ଜଣ ଲୋକଙ୍କୁ ମାରିଥିଲା । କ୍ରଲ ଭିତରେ ଆବଦ୍ଧ ହେବାପରେ ହାତୀଟିର ସ୍ୱଭାବ ଖୁବ ଶୀଘ୍ର ପରିବର୍ତନ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କପିଳାସ ଏଲିଫ୍ୟାଂଟ ରେସ୍କ୍ୟ ସେଂଟରକୁ ଉନ୍ନତିକରଣ କରାଯିବା ସହ ବିଭିନ୍ନ ଅଂଚଳରୁ ହାତୀମାନଙ୍କୁ ଆଣି ରଖିବାର ମଧ୍ୟ ଯୋଜନା ହେଉଥିବାର ଶୁଣାଯାଉଛି ।

Leave A Reply

Your email address will not be published.