ବିନା ଭକ୍ତରେ ହେବ ଘୋଷ ଯାତ୍ରା !

0 81

ପୁରୀ, ଡୁମାଣୀଖବର : ଚଳିତବର୍ଷ ରଥଯାତ୍ରା ଆୟୋଜନ ନେଇ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯିବା ପରେ ଏବେ ରଥଯାତ୍ରା ହେବା ପ୍ରାୟ ନିଶ୍ଚିତ ବୋଲି ଜଣାପଡ଼ିଛି। ରଥଯାତ୍ରା ହେଲେ ସେବାୟତ ଓ ପୋଲିସ ରଥ ଟାଣିବେ ଓ ବିନାଭକ୍ତରେ ରଥଯାତ୍ରା ହେବ ବୋଲି ସୂଚନା ମିଳିଛି। ପୁରୀ ବଡ଼ଦାଣ୍ତରେ ୧୪୪ ଧାରା ଜାରି କରାଯିବା ସହ ବଡଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥକୁ ସିଲ୍ କରି ଦିଆଯିବ। ବିନା ଭକ୍ତରେ ରଥଯାତ୍ରାକୁ ସେବାୟତ ମାନେ ସ୍ୱାଗତ କରିଥିବା ବେଳେ ଏପଟେ ରଥନିର୍ମାଣ କାର୍ୟ୍ୟ ଏବେ ଶେଷ ପର୍ୟ୍ୟାୟରେ ପହଞ୍ଚିଛି।
ଚଳିତବର୍ଷ ବିନା ଭକ୍ତରେ ରଥଯାତ୍ରା ହେବା ପାଇଁ ଜାରି ରହିଛି ସମସ୍ତ ପ୍ରସ୍ତୁତି। ସରକାରୀ ସ୍ତରରେ ଏନେଇ ଆନୁଷ୍ଠାନିକ ଘୋଷଣା ହୋଇନଥିଲେ ମଧ୍ୟ ରଥଯାତ୍ରା ବିନା ଭକ୍ତରେ ହେବା ପ୍ରାୟ ନିଶ୍ଚିତ ବୋଲି ଜଣାପଡ଼ିଛି। ରଥଟାଣିବା ପାଇଁ ଭକ୍ତ ନଥିଲେ ମଧ୍ୟ ୫ ହଜାରରୁ ଉର୍ଦ୍ଧ ସେବାୟତ ପରିବାର ଓ ପୋଲିସ କର୍ମଚାରୀ ରଥ ଟାଣିବେ। ସିଂହଦ୍ୱାର ଠାରୁ ଗୁଣ୍ତିଚା ଘର ଯାଏଁ ୩ କିଲୋମିଟର ବଡ଼ଦାଣ୍ତ ଓ ସହରର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଗୁଡ଼ିକରେ ୧୪୪ ଧାରା ଜାରି କରାଯିବ।
ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହ ବଡ଼ଦାଣ୍ତକୁ ସଂଯୋଗ କରୁଥିବା ରାସ୍ତଗୁଡ଼ିକୁ ବନ୍ଦ କରିଦିଆଯିବ। ସେହିପରି ରଥ ଉପରେ ସୀମିତ ସଂଖ୍ୟକ ସେବାୟତ ରହିବା ସହ ସମସ୍ତ ସେବାୟତଙ୍କୁ ମାସ୍କ ବ୍ୟବହାର ପାଇଁ କୁହାଯିବ। ଏଥିପାଇଁ ବୟନିକାକୁ ୫ ହଜାର ମାସ୍କ ପ୍ରସ୍ତୁତ ପାଇଁ ବରାଦ ଦିଆଯାଇଥିବା ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି।
ଏପଟେ ରଥଯାତ୍ରାକୁ ଆଉ ମାତ୍ର ୮ ଦିନ ବାକିଥିବା ବେଳେ ଶେଷ ପର୍ୟ୍ୟାୟରେ ପହଞ୍ଚିଛି ରଥନିର୍ମାଣ କାର୍ୟ୍ୟ। ବିଶ୍ୱକର୍ମା, ଭୋଇ, ରୂପାକର, ଚିତ୍ରକର, କମାରଙ୍କ ସହ ଦରଜି ସେବାୟତ ମାନେ ମହାପ୍ରଭୁଙ୍କ ରଥନିର୍ମାଣ କାର୍ୟ୍ୟକୁ ଦ୍ରୁତଗତିରେ ଆଗେଇ ନେଉଛନ୍ତି। ତିନିରଥର ୧୩ ପରସ୍ତ ପୋଟଳ, ପାରାଭାଡ଼ି ସଂଯୋଗ କାର୍ୟ୍ୟ ସରିଥିବା ବେଳେ ଦ୍ୱାରବେଢ଼ା ଚିତ୍ର ଓ ସିଂହାସନ କାମ ଜାରି ରହିଛି।ଚିତ୍ରକର ମାନେ ଦ୍ୱାରବେଢ଼ାରେ ରାହୁମୁଣ୍ତ ଅଙ୍କନ କରିବା ସହ କୋଣ ଗୁଜ ଗୁଡ଼ିକୁ ଆକର୍ଷଣୀୟ କରିବା ପାଇଁ ରଙ୍ଗ ଦେବା କାର୍ୟ୍ୟ କରୁଛନ୍ତି। ସେହିପରି କଳସ ନିର୍ମାଣ କାର୍ୟ୍ୟ ସରିଥିବା ବେଳେ ପଟା ବାଡ଼ିଆ କାର୍ୟ୍ୟ ଏବଂ ସିଂହାସନ କାର୍ୟ୍ୟ ଜାରି ରହିଛି। ଏସବୁ ଭିତରେ ରଥଖଳା ହୋଇ ଉଠିଛି ଏବେ ଚଳଚଞ୍ଚଳ। ମହାପ୍ରଭୁ ସୁସ୍ଥ ହେବା ପାଇଁ ଦଇତାପତି ମାନେ ଗୁପ୍ତ ସେବାରେ ଲିପ୍ତ ଥିବା ବେଳେ ଆଜି ଓଷ ଲାଗି ପହଞ୍ଚିଛି ତୃତୀୟ ଦିନରେ। ଅନ୍ୟପଟରେ ବିନାଭକ୍ତରେ ହେଉ ପଛେ ମହାପ୍ରଭୁଙ୍କ ଘୋଷଯାତ୍ରା କିନ୍ତୁ ପରମ୍ପରା ବଜାୟ ରହୁ ବୋଲି ସେବାୟତ ଓ ଭକ୍ତମାନେ ଦାବି କରିଛନ୍ତି।

Leave A Reply

Your email address will not be published.