ମହାପ୍ରଭୁଙ୍କ ଇଚ୍ଛା ସୁପ୍ରିମକୋର୍ଟଙ୍କ ରାୟ

0 88

ଆଜି ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ନିଶ୍ଚିତଭାବେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ପହଞ୍ଚାଇଛି । ତଥାପି ଏହାକୁ ସମସ୍ତେ ସାଦରେ ଗ୍ରହଣ କରିବା ଦରକାର । ପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ । ପ୍ରଭୁଙ୍କ ଲୀଳା ସଦାସର୍ବଦା ଲୀଳାମୟ ହୋଇ ରହିଥାଏ । ତାକୁ ସାଧାରଣ ଭକ୍ତ ବୁଝିବା କଷ୍ଟକର ହୋଇଥାଏ । ତେଣୁ ଶ୍ରୀମଦ୍ ଭାଗବତ ଗୀତାରେ ଉଲ୍ଲେଖ ଅଛି ‘କରି କରାଉ ଥାଏ ମୁହିଁ, ମୋ ବିନୁ ଅନ୍ୟଗତି ନାହିଁ’ । ତେଣୁ ଯାହା ସବୁ ଘଟୁଛି ନିଶ୍ଚିତ ଭାବରେ ପ୍ରଭୁଙ୍କ ନିର୍ଦ୍ଦେଶରେ ହିଁ ଘଟୁଛି । ପ୍ରଭୁଙ୍କ ବିନା ଇଙ୍ଗିତରେ ଗଛରେ ପତ୍ର ମଧ୍ୟ ହଲେନାହିଁ । ତେଣୁ ଆଜି କିଛି ଗଣମାଧ୍ୟମ ବା ବ୍ୟକ୍ତିବିଶେଷ ଯେଉଁ ପ୍ରକାର ଓଡ଼ିଶା ସରକାରଙ୍କୁ ବା ଭାରତ ସରକାରଙ୍କୁ ଅବା ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଦାୟୀ କରୁଛନ୍ତି ବା ଷଡ଼ଯନ୍ତ୍ରକାରୀ ବୋଲି କହୁଛନ୍ତି ତାହା ଆଦୌ ଶୋଭନୀୟ ନୁହେଁ । ଏଥିରେ କାହାର ବା ଶକ୍ତି ଅଛି ଯେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାକୁ ଅଟକାଇପାରିବ? ତେଣୁ ଈଶ୍ୱର ଯାହା କରନ୍ତି ପ୍ରାଣୀଙ୍କ ମଙ୍ଗଳ ପାଇଁ ହିଁ କରନ୍ତି । ସମସ୍ତ ଦେଶବାସୀ ଜାଣିଛନ୍ତି ପୂର୍ବରୁ ଡବ୍ଲୁଏଚ୍ଓ (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ) ସତର୍କବାଣୀ ଶୁଣାଇଛନ୍ତି ଯେ ଜୁନ୍ ଓ ଜୁଲାଇ ମାସରେ ସତର୍କତା ଅବଲମ୍ବନ ନକଲେ ଭାରତ କରୋନା ସଂକ୍ରମଣରେ ପୃଥିବୀର ଶୀର୍ଷସ୍ଥାନରେ ପହଞ୍ôଚପାରେ । ତେଣୁ କେନ୍ଦ୍ର ତଥା ରାଜ୍ୟ ସରକାର ଏଥିପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ଏଥିପାଇଁ ଉଭୟେ ମିଳିତ ଭାବେ ବାରମ୍ବାର ଜୁନ୍ ଓ ଜୁଲାଇ ମାସ ପାଇଁ ସତକର୍ତା ଅବଲମ୍ବନ କରିବା ପାଇଁ ଘନଘନ ଗଣମାଧ୍ୟମ ଜରିଆରେ ପ୍ରଚାର ପ୍ରସାର ଜାରି ରଖିଛନ୍ତି । ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଘୋଷଯାତ୍ରା ଅନୁଷ୍ଠିତ ହେବାର ପ୍ରସ୍ତୁତି ଚାଲିଥିବା ସମୟରେ ସୁପ୍ରିମ୍କୋର୍ଟଙ୍କ ରାୟ ନିଶ୍ଚିତଭାବେ ଜଗନ୍ନାଥପ୍ରେମୀଙ୍କ ମନକୁ ଆଘାତ ପହଞ୍ଚାଇଥାଇପାରେ । କିନ୍ତୁ ଏଥିରେ ରାଜ୍ୟ ସରକାରଙ୍କ ଷଡ଼ଯନ୍ତ୍ର କ’ଣ ଥାଇପାରେ? ଯେହେତୁ ଡବ୍ଲ୍ୟୁଏଚ୍ଓ ପୂର୍ବରୁ ସତର୍କବାଣୀ କରିଥିଲା, ପରେ ପରେ ଭାରତ ସରକାର ଓ ରାଜ୍ୟ ସରକାର ସମାନ୍ତରାଳରେ ସତର୍କ କରିଆସୁଛନ୍ତି, ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଯାହା ଘଟିଛି ତାକୁ ଆମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିର୍ଦ୍ଦେଶରେ ହିଁ ଘଟିଛି ବୋଲି ଭାବିବାକୁ ହେବ । କାରଣ ଏଭଳି ଭୟଙ୍କର କରୋନା ମହାମାରୀରେ ଯେ ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀଙ୍କୁ ମୃତ୍ୟୁମୁଖରୁ ପ୍ରଭୁ ଶ୍ରୀଜଗନ୍ନାଥ ଉଦ୍ଧାର କରିଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ସୁପ୍ରିମ୍କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ରାୟକୁ ପ୍ରଭୁଙ୍କ ନିର୍ଦ୍ଦେଶ ଭାବି ଆମେ ସମସ୍ତେ ଅକ୍ଷରେ ଅକ୍ଷରେ ପାଳନ କରିବା ଆବଶ୍ୟକ । କିନ୍ତୁ ଏପରିସ୍ଥଳେ କିଛି ଗଣମାଧ୍ୟମ ଯେଭଳି ଭାବେ ତିଳକୁ ତାଳ କରି ଖବର ପ୍ରସାରଣ କରୁଛନ୍ତି ତାହା ଦେଖିବା ପରେ ମନରେ ନାନାଦି ପ୍ରଶ୍ନ ଉଙ୍କିମାରୁଛି । ଧରିନିଅନ୍ତୁ ଆଜି ସୁପ୍ରିମ୍କୋର୍ଟ ରଥଯାତ୍ରା କରିବାକୁ ଅନୁମତି ଦେଇଥାନ୍ତେ! ଆଉ ଯଦି ରଥଯାତ୍ରାରେ କୋଟି କୋଟି ଜଗନ୍ନାଥପ୍ରେମୀ କରୋନାକୁ ବେଖାତିର କରି ସମୁଦ୍ର ଭଳି ମାଡ଼ିଆସିଥାନ୍ତେ ତାହେଲେ ପରିସ୍ଥିତି କ’ଣ ହୋଇଥାନ୍ତା ? ତାହା ଗଣମାଧ୍ୟମ ଜରିଆରେ ନାନାଦି ମନ୍ତବ୍ୟ ଦେଉଥିବା ବ୍ୟକ୍ତିବିଶେଷମାନେ ଜାଣିରଖିବା ଦରକାର । ରଥଯାତ୍ରା ହୋଇଥିଲେ କୌଣସି ବି ଭକ୍ତ କରୋନା ନିୟମକୁ ପାଳନ କରିପାରିନଥାନ୍ତେ । ନା ସେମାନେ ସାମାଜିକ ଦୂରତା ପାଳନ କରିଥାନ୍ତେ ନା ସମସ୍ତେ ମାସ୍କ ପିନ୍ଧିଥାନ୍ତେ ନା ବାରମ୍ବାର ହାତ ସଫା କରିଥାନ୍ତେ । କାରଣ ଜଗନ୍ନାଥଙ୍କୁ ଦେଖିବା ପାଇଁ ସମସ୍ତେ ପ୍ରାୟ ବ୍ୟାକୁଳ । ପ୍ରତିବର୍ଷ ରଥଯାତ୍ରାରେ ଯେଉଁ ଭାବବିହ୍ୱଳ ପରିବେଶ ସୃଷ୍ଟିହୁଏ ତାହାହିଁ ଏହାର ଯଥେଷ୍ଟ ଉଦାହରଣ । ବର୍ତ୍ତମାନ ଯଦି ରଥଯାତ୍ରା ହୋଇଥାନ୍ତା, ଆଉ ଯଦି ଲକ୍ଷାଧିକ ଭକ୍ତମାନେ ଏକାଠି ହୋଇଥାନ୍ତେ ତେବେ କରୋନା ସଂକ୍ରମଣକୁ ଆଦୌ ରୋକାଯାଇପାରିନଥାନ୍ତା । ଯଦି ସେଥିମଧ୍ୟରୁ କିଛି ବ୍ୟକ୍ତି କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥାନ୍ତେ ତେବେ ଏହି ଗଣମାଧ୍ୟମ ଓ ବ୍ୟକ୍ତିବିଶେଷ ସଂଗେ ସଂଗେ କଥା ଓଲଟାଇ ରାଜ୍ୟ ସରକାରଙ୍କୁ ସଂପୂର୍ଣ୍ଣରୂପେ ଦାୟୀ କରିଥାନ୍ତେ । ତେବେ ସେ ଯାହାହେଉନା କାହିଁକି ସୁପ୍ରିମ୍କୋର୍ଟଙ୍କ ଏଭି ରାୟ ନିଶ୍ଚିତ ଭାବେ ଲୋକଙ୍କୁ ଏକ ବଡ଼ ବିପଦରୁ ରକ୍ଷା କରିବ ବୋଲି କୁହାଯାଉଛି । ତେଣୁ ଗଣମାଧ୍ୟମରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିବା ବ୍ୟକ୍ତିବିଶେଷମାନେ ସମସ୍ତ ପ୍ରସଙ୍ଗକୁ ବିଚାରକୁ ନେଇ ଯଦି ମତାମତ ଉପସ୍ଥାପନ କରିବେ ତେବେ ନିଶ୍ଚିତ ଭାବେ ତାହା ଆମ ଦେଶ, ରାଜ୍ୟ ତଥା ସମାଜର ମଙ୍ଗଳସାଧନ ହୋଇପାରିବ । ତେଣୁ ଅଯଥା ମୃତ୍ୟୁମୁଖରୁ ପ୍ରଭୁ ଶ୍ରୀଜଗନ୍ନାଥ କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଆଜି ସୁପ୍ରିମ୍କୋର୍ଟ ଜରିଆରେ ଉଦ୍ଧାର କରିଥିବାରୁ ଲୀଳାମୟ ଠାକୁରଙ୍କୁ ଆମ୍ଭର କୋଟି କୋଟି ପ୍ରଣାମ ।

Leave A Reply

Your email address will not be published.