ଛନକା ପଶିଛି ଚୀନକୁ, ମାଇଣ୍ଡ ଗେମ୍ ଖେଳିବାକୁ ପ୍ରୟାସ

0 80

ନୂଆଦିଲ୍ଲୀ : ଭାରତ-ଚୀନ୍ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଜାରି ଉତ୍ତେଜନାପୂର୍ଣ୍ଣ ବାତାବରଣ ମଧ୍ୟରେ ଗତକାଲି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିୟୋ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ନେଇ ଏବେ ଚୀନ୍ ସଂପୂର୍ଣ୍ଣ ଭୟଭୀତ । ଗତକାଲି ମାଇକ୍ ପୋମ୍ପିୟୋ କହିଥିଲେ କି ଚୀନ୍ ଯେଭଳି ବିସ୍ତାରବାଦୀ ନୀତି ଆପଣାଇଛି ତାକୁ ପ୍ରତିହତ କରିବା ପାଇଁ ଏବେ ଚୀନ୍ ସୀମାରେ ଅଧିକ ସେନ୍ୟ ମୁତୟନ କରାଯିବ । ଏହାପରେ ଚୀନ୍ର ଭାରତବିରୋଧୀ ସ୍ୱର ସଂପୂର୍ଣ୍ଣ ନରମିଯାଇଛି । ହିନ୍ଦ୍-ପ୍ରଶାନ୍ତ କ୍ଷେତ୍ରରେ ଯଦି ଭାରତ ଓ ଆମେରିକା ଏକତ୍ର ହୋଇଯାଆନ୍ତି ତେବେ ଚୀନ୍ର ମୁସ୍କିଲ୍ ଅଧିକ ବଢ଼ିଯିବ ଏହି ଡର ଏବେ ଚୀନ୍କୁ ଘାରିଛି । ଚୀନ୍ ମୁଖପତ୍ର ଗ୍ଲୋବାଲ୍ ଟାଇମ୍ସ ଏବେ ଭାରତକୁ ପ୍ରଶଂସା କରି କହିଛି କି ଭାରତ କେବେବି ଆମେରିକା ସହ ଯିବନାହିଁ । କାରଣ ଭାରତ ସର୍ବଦା କୂଟନୀତିକ ସ୍ୱତନ୍ତ୍ରତାକୁ ପ୍ରାଧାନ୍ୟ ଦେଇଆସିଛି । ଚୀନ୍ର ଏହି ଡରକୁ ଫାଇନାନ୍ସ୍ରିଆଲ୍ ଟାଇମ୍ସର ସ୍ତମ୍ଭକାର ଗିଡୋନ୍ ରେଚ୍ମେନ୍ ଆହୁରି ବଢ଼ାଇ ଦେଇଛନ୍ତି । ସେ ତାଙ୍କ ସ୍ତମ୍ଭରେ ଲେଖିଛନ୍ତି କି ବର୍ତ୍ତମାନ ବିଶ୍ୱରେ ଦେଖାଦେଇଥିବା ଶୀତଳ ଯୁଦ୍ଧରେ ଭାରତ ଗୋଟିଏ ପକ୍ଷକୁ ସମର୍ଥନ କରିସାରିଛି । ଚୀନ୍ର ମୂର୍ଖତା କି ସେ ନିଜର ପ୍ରତିଦ୍ୱନ୍ଦ୍ୱୀକୁ ଆମେରିକା ପକ୍ଷରେ ଛାଡ଼ିଦେଇଛି । ଏବେ ଚୀନ୍ ଜାଣିସାରିଲାଣି କି ଆମେରିକା ଗୋଟିଏ ବର୍ଷ ପୂର୍ବରୁ ଯେଉଁ ସମୀକରଣ ପ୍ରସ୍ତୁତ କରୁଛି ତାହା କେବଳ ଚୀନ୍ ବିରୋଧରେ । କିନ୍ତୁ ଗ୍ଲୋବାଲ୍ ଟାଇମ୍ସ ଏହାକୁ ଖାରଜ କରିଛି । ସେ ଦର୍ଶାଇଛି ସମୟ ଏପରି ବି ଥିଲା ଯେତେବେଳେ କି ଭାରତ-ଚୀନ୍ ମଧ୍ୟରେ ଉତ୍ତେଜନା ଉଗ୍ର ସ୍ଥିତିକୁ ଆସିଥିଲେ ବି ଭାରତ କୌଣସି ଦେଶ ଉପରେ ନିର୍ଭର କରିନାହିଁ । ତେଣୁ ଫାଇନାନ୍ସିଆଲ୍ ଟାଇମ୍ସର ସ୍ତମ୍ଭରେ ଯେଉଁ ଲେଖା ପ୍ରକାଶ ପାଇଛି ତାହା ସଂପୂର୍ଣ୍ଣ ଭୁଲ୍ ଓ ଆଗକୁ ବି ଭାରତ କୌଣସି ପକ୍ଷ ନେବନାହିଁ । ଚୀନ୍ ଏବେ ଚାହୁଁଛି କି ଭାରତ କୌଣସି ବି ପରିସ୍ଥିତିରେ ଆମେରିକା ପକ୍ଷ ନଦେଉ । ଚୀନ୍ ଭଲଭାବେ ଜାଣିଛି କି ଯଦି ଆମେରିକା ଓ ଭାରତ ଏକତ୍ର ଆସିଯାଆନ୍ତି ତେବେ ଦକ୍ଷିଣ ଏସିଆ ଓ ହିନ୍ଦ୍-ପ୍ରଶାନ୍ତ ଅଞ୍ଚଳରେ ଚୀନ୍ ସଂପୂର୍ଣ୍ଣ ଘେରାବନ୍ଦୀ ହୋଇଯିବ । ଭାରତ-ଆମେରିକାର ଦୋସ୍ତିକୁ ନେଇ ଚୀନ୍ ଏବେ ମାଇଣ୍ଡ ଗେମ୍ ଖେଳିବା ଆରମ୍ଭ କରିଦେଇଛି । ଗ୍ଲୋବାଲ୍ ଟାଇମ୍ସ କହିଛି କି ପ୍ରତିରକ୍ଷା କ୍ଷେତ୍ରରେ ଋଷ ସହ ଭାରତ ଯୁଦ୍ଧ ଉପକରଣକୁ ନେଇ ଚୁକ୍ତି କରିଛି । ଅର୍ଥାତ ଆମେରିକା ଅପେକ୍ଷା ଭାରତ ପାଇଁ ଋଷ ଯେ କେତେ ଗୁରୁତ୍ୱପୂର୍ଣ୍ଣ ତାହା ପରୋକ୍ଷରେ ଭାରତ ସୂଚାଇଦେଇଛି ବୋଲି ଗ୍ଲୋବାଲ୍ ଟାଇମ୍ସ ପ୍ରକାଶ କରିଛି । ସେହିପରି ପାକିସ୍ତାନ ଠାରୁ କାବୁ ପାଇବା ପାଇଁ ଭାରତ ଆମେରିକା ସହ ଦୋସ୍ତି ବଢ଼ାଇଚାଲିଛି ଓ ହିନ୍ଦ୍-ପ୍ରଶାନ୍ତ କ୍ଷେତ୍ରରେ ଚୀନ୍କୁ ରୋକିବା ପାଇଁ ଆମେରିକା ଭାରତ ସହ ହାତ ମିଳାଇଛି ବୋଲି ଗ୍ଲୋବାଲ୍ ଟାଇମ୍ସ ପ୍ରକାଶ କରିଛି । ଏଥିରୁ ସ୍ପଷ୍ଟ ଯେ ଚୀନ୍ ଏବେ ନିଜକୁ ନିଜେ ଖୁବ୍ ଅସୁରକ୍ଷିତ ମନେ କରୁଛି । ଗୋଟିଏପଟେ ଋଷ ଠାରୁ ଭାରତ ପ୍ରତିରକ୍ଷାଚୁକ୍ତି କରି ଚୀନ୍ର ଚିନ୍ତା ବଢ଼ାଇଥିବାବେଳେ ଅନ୍ୟପଟେ ଭାରତ ସମେତ ଅନ୍ୟ ମିତ୍ରଦେଶଙ୍କ ସମର୍ଥନ ଆମେରିକା ସହ ଅଛି ବୋଲି ଆମେରିକା ଘୋଷଣା କରିବା ପରେ ଚୀନ୍ର ନିଦ ହଜିଯାଇଥିବା ପରି ମନେହୁଏ ।

Leave A Reply

Your email address will not be published.