ଜୁଲାଇ ୩୧ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ: ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୩୧ ଭିତରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସମୀର ଦାଶ ମାଟ୍ରିକ ଫଳ ପ୍ରକାଶ ପାଇବା ସୂଚନା ଦେବା ସହିତ ଖାତା ଦେଖା ଶେଷ ହୋଇଛି ଏବଂ ଟାବୁଲେସନ ଚାଲିଛି ବୋଲି କହିଛନ୍ତି।

କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଆଦି ବନ୍ଦ ରହିଛି। ଏହାରି ଭିତରେ କେବେ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ ସେ ନେଇ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲେ।

ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଆସନ୍ତା ଜୁଲାଇ ୩୧ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଫଳ ସୁଦ୍ଧା ପାଇବ ବୋଲି ସୂଚନା ଦେବା ସହିତ ଯୁକ୍ତ ୨ ଖାତା ମୂଲ୍ୟାୟନରେ ସମସ୍ୟା ରହୁଛି ବୋଲି କହିଛନ୍ତି। ସଟ୍‌ଡାଉନ୍‌ ପାଇଁ ଶିକ୍ଷକ ମୂଲ୍ୟାୟନ କେନ୍ଦ୍ରକୁ ଆସୁ ନାହାନ୍ତି। ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯିବ। କିପରି ମୂଲ୍ୟାୟନ ଠିକ୍‌ ଭାବେ ହେବ ଜିଲ୍ଲାପାଳଙ୍କୁ ସେ ବିଷୟରେ ଅବଗତ କରାଇବେ ବୋଲି ମନ୍ତ୍ରୀ ଦାଶ କହିଛନ୍ତି।

ଚଳିତ ବର୍ଷ ୫.୬ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ଓଡ଼ିଶାରେ ୨ ହଜାର ୮୮୮ କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ହୋଇଥିଲା । ୧୦୦୦ଟି ସମ୍ବେଦନଶୀଳ କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା । ତେବେ ପରୀକ୍ଷା ପରେ ୬୦ଟି କେନ୍ଦ୍ରରେ ଖାତା ଦେଖା ଚାଲିଥିଲା। ଖାତାଦେଖା ପାଇଁ ୧୫ ହଜାର ଶିକ୍ଷକ ନିଯୁକ୍ତ ହୋଇଥିଲେ ।

Leave a Reply

Your email address will not be published. Required fields are marked *