ଚିକେନ୍‌ ଭୋଜି : ୪୫ କରୋନା ସଂକ୍ରମିତ ଚିହ୍ନଟ

0 77

ଭୁବନେଶ୍ୱର୨୫।୦୭ : ରାଜ୍ୟରେ ଦିନକୁ ଦିନ ବ୍ୟାପିବାରେ ଲାଗିଛି ମହାମାରୀ କରୋନା । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କରୋନା ଗ୍ରାଫ ବଢିବାରେ ଲାଗିଛି । ଖାସ୍‌ କରି ବସ୍ତି ଅଞ୍ଚଳରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବାର ଦେଖିବାକୁ ମିଳିଛି । ଏହିପରି ମହିଷାଖାଲ ଓ ଏହା ପାଖ ହରିନଗର ବସ୍ତିରୁ ଦିନକରେ ୪୫ ଆକ୍ରାନ୍ତ ବାହାରିଛନ୍ତି । ଗୋଟିଏ ବସ୍ତିରୁ ଏଭଳି ସଂକ୍ରମଣ ବିସ୍ଫୋରଣ ପରେ ବିଏମ୍‌ସିର ନିଦ ହଜିଯାଇଛି । ତେବେ ପ୍ରଥମ ଆକ୍ରାନ୍ତଙ୍କ ସମ୍ପର୍କରେ ବସ୍ତିବାସିନ୍ଦାଙ୍କଠାରୁ ମିଳିଥିବା ସୂଚନା ଅତି ଚିନ୍ତାଜନକ ।

ଜଣେ ବସ୍ତିବାସିନ୍ଦାଙ୍କ ସୂଚନା ଅନୁସାରେ, ଆକ୍ରାନ୍ତଜଣକ ଜଣେ ଡ୍ରାଇଭର । ତାଙ୍କର ଦୁଇଟି କାର୍‌ ଅଛି । ଗୋଟିଏ କାର୍‌ ସେ ନିଜେ ଚଲାଉଥିଲେ । ଗାଡି ଭଡ଼ାରେ ନେଇ ସେ ବିଭିନ୍ନ ଜିଲ୍ଲାକୁ ଯାଉଥିଲେ । ତେବେ ଆକ୍ରାନ୍ତ ହେବା ପୂର୍ବରୁ ନିକଟରେ କିଛି ଦିନ ତଳେ ବସ୍ତିରେ ଚିକେନ୍‌ ଭୋଜି କରିଥିଲେ । ସାଙ୍ଗସାଥୀମାନେ ମିଶି ବସ୍ତିର ଜଣଙ୍କ ଘରେ ଭୋଜି ଭାତରେ ମାତିଥିଲେ । ସେଠାରେ ସମସ୍ତେ ମିଶି ଖାଇଥିଲେ । ଏହାର ଦୁଇ ଦିନ ପରେ ତାଙ୍କୁ ଥଣ୍ଡା ଓ ଜ୍ୱର ହୋଇଥିଲା । ଜ୍ୱର ନ କମିବାରୁ ସେ ହସ୍ପିଟାଲ ଯାଇଥିଲେ । ତାଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା । ଦୁଇ ଦିନ ପରେ ସେ ପଜିଟିଭ୍‌ ବୋଲି ବିଏମ୍‌ସି ପକ୍ଷରୁ ଫୋନ୍‌ କରି କୁହାଯାଇଥିଲା । ତେବେ ପଜିଟିଭ୍‌ ଆସିବା ପରେ ତାଙ୍କ ପରିବାର ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇନଥିଲା ବୋଲି ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି । ତାଙ୍କ ପରିବାର ଲୋକେ ବସ୍ତିରେ ଚଳପ୍ରଚଳ କରୁଥିଲେ । ପାଇପ୍‌କୁ ପାଣି ଆଣିବାକୁ ଯାଉଥିଲେ । ଫଳରେ ଅନ୍ୟମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି । ଉକ୍ତ ଡ୍ରାଇଭରଙ୍କ ସଂସ୍ପର୍ଶରେ ଆସିଥିବା ୩୫ରୁ ଅଧିକ ଲୋକ ପଜିଟିଭ୍‌ ଆସିଛନ୍ତି । ଡ୍ରାଇଭରଙ୍କ ପୁଅଙ୍କ ସଂସ୍ପର୍ଶରେ ଆସି ମହିଷାଖାଲରୁ ବାହାରିଥିବା ସମସ୍ତ ଆକ୍ରାନ୍ତ ପଜିଟିଭ୍‌ ହୋଇଥିବା ବିଏମ୍‌ସି କଣ୍ଟାକ୍ଟ ଟ୍ରେସିଂରୁ ଜାଣିବାକୁ ପାଇଛି ।

ଆହୁରି ସାଙ୍ଘାତିକ କଥା ହେଉଛି, ତାଙ୍କ ପରିବାର ଲୋକଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ବି ତାଙ୍କୁ ହସ୍ପିଟାଲ ବା କୋଭିଡ୍‌ କେୟାର ସେଣ୍ଟରକୁ ନିଆଯାଇନଥିଲା । ସେମାନେ ସେମିତି ବସ୍ତିରେ ରହିଥିଲେ । ଜଣେ ମନ୍ତ୍ରୀ ବିଏମ୍‌ସି କର୍ତ୍ତୃର୍ପକ୍ଷଙ୍କୁ ଉପରେ ଚାପ ପକାଇବା ପରେ ଯାଇ ସେମାନଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା ବୋଲି ଆଉ କିଛି ବସ୍ତିବାସିନ୍ଦା ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି । ଏହା ପରେ ଯାଇ ବସ୍ତିରେ ୧୦୦ଲୋକଙ୍କ ନମୁନା ପରୀକ୍ଷା ହୋଇଥିଲା । ମହିଷାଖାଲ ପାଖ ହରିନଗର ବସ୍ତିରୁ ୪୫ ଆକ୍ରାନ୍ତ ବାହାରିବା ପରେ ବିଏମ୍‌ସି ଏହାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ।

Leave A Reply

Your email address will not be published.