ଅବକାରୀ ଓ ପୋଲିସ କର୍ମଚାରୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ

0 73

ପାରଳାଖେମୁଣ୍ଡି : ଆଦିବାସୀ ବହୁଳ ଗଜପତି ଜିଲାର ଆର.ଉଦୟଗିରି ବ୍ଲକର ଏକ ଦୁର୍ଗମ ଅଞ୍ଚଳରେ କେତେକ ଦେଶୀ ଚୋରାମଦ ମାଫିଆଙ୍କ ଦ୍ୱାରା ମଦ ରନ୍ଧା ଓ କାରବାର ଚାଲୁରହିଥିଲା । ଏ ନେଇ ପୋଲିସ ଓ ଅବକାରୀ ବିଭାଗ ଜାଣିବା ପରେ ଏହି ସ୍ଥାନରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ଦେଶୀମଦ ମାଫିଆ ମାନେ ଏହାକୁ ବିରୋଧ କରି ଅବକାରୀ ଓ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଘଟଣାରୁ ପ୍ରକାଶ ଯେ,ଆର.ଉଦୟଗିରି ବ୍ଲକ ରାମଗିରି ନିକଟସ୍ଥ ସିନ୍ଧବା ଗ୍ରାମରେ ଗତ ମଙ୍ଗଳବାର ଏହି ଚଢାଉ ହୋଇଥିଲା । ଚଢାଉ ସମୟରେ ମଦ ମାଫିଆଙ୍କ ଦ୍ୱାରା ଆକ୍ରମଣ କରାଯାଇ ଜଣେ ପୋଲିସ ଏସଆଇ,୨ଜଣ ମହିଳା ଅବକାରୀ କର୍ମଚାରୀ,ଜଣେ ଡ୍ରାଇଭର ଆଦି ଆହତ ହୋଇଥିଲେ । ପରେ ପୋଲିସ ପକ୍ଷରୁ ପ୍ରତି ଆକ୍ରମଣ କରାଯିବାରୁ ଏହି ମାପିଆମାନେ ଛତ୍ରଭଙ୍ଗ ଦେଇଥିଲେ । ପୋଲିସ ଓ ଅବକାରୀ ବିଭାଗ ଦ୍ୱାରା ଏହି ଚଢାଉ ବେଳେ ୧୨ଶହ ଲିଟର ପୋଚ ଜବତ କରି ନଷ୍ଟ କରାଯିବା ସହ ୧୨୦ଲିଟର ଦେଶୀ ମଦ ଜବତ କରାଯାଇଛି । ଘଟଣାକୁ ନେଇ ରାମଗିରି ଥାନାରେ ୬୫/୨୦ନମ୍ବରରେ ଏକ ମାମଲା ରୁଜୁ ହୋଇଛି । ଘଟଣାରେ ସଂପୃକ୍ତ ଥିବା ପ୍ରାୟ ୫୦ ଜଣଙ୍କ ନାମରେ ମକଦ୍ଦମା ରୁରୁ ହୋଇ ଘଟଣାର ଅନୁସନ୍ଧାନ ଜାରି ରହିଥିବା ଜଣାପଡିଚି । ଏ ସମ୍ପର୍କରେ ରାମଗିରି ଥାନା ଅଧିକାରୀ ବିକାଶ ସେଠୀ କହିଛନ୍ତି ଯେ,ଘଟଣାରେ ସଂପୃକ୍ତଥିବା ମୁଖ୍ୟ ଅଭିଯୁକ୍ତ ସଂଜୁ ନାୟକ ଓ ଜଗନ୍ନାଥ ନାୟକ ୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ୍ ଶିଘ୍ର ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.