ବିଲ୍ଡରଙ୍କୁ ଅପହରଣ କରି ୫୦ ଲକ୍ଷ ଦାବି

0 69

୨ ଗିରଫ

ଭୁବନେଶ୍ୱର,୨୦/୦୮: ବିଲଡ଼ରଙ୍କୁ ଅପହରଣ କରି ତାଙ୍କୁ ଛାଡ଼ିବା ଲାଗି ୫୦ ଲକ୍ଷ ଟଙ୍କା ଦାବି କରୁଥିବା ୨ ଅପହରଣକାରୀକୁ ଏୟାରଫିଲ୍ଡ ଥାନା ପୁଲିସ ଗିରଫ କରିଛି । ସେମାନେ ହେଲେ ବାଲିଅନ୍ତା ଅଞ୍ଚଳର ନରେନ୍ଦ୍ର ପ୍ରଧାନ ଓ କଟକ ସଦର ମାନସ ରଞ୍ଜନ ପ୍ରଧାନ । ପୁଲିସ କହିଛି, ଏୟାରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା କଲ୍ୟାଣୀ ପ୍ଲାଜାରେ ସଂଗ୍ରାମ ବେହେରା ନାମକ ଜଣେ ବିଲ୍ଡର ରହୁଛନ୍ତି । କିଛିମାସ ଧରି ତାଙ୍କୁ ଏକ ଧମକପୂର୍ଣ୍ଣ ଫୋନ୍‌ କଲ ଆସୁଥିଲା । ୫୦ ଲକ୍ଷ ଟଙ୍କା ଦାଦାବଟି ଦେବାକୁ ଦାବି କରା ଯାଉଥିଲା । ତେଣୁ ବିଲ୍ଡର ଏ ବାବଦରେ ପୁଲିସକୁ ଜଣାଇଥିଲେ । ଗତ ୧୩ ତାରିଖରେ ସଂଗ୍ରାମ ନିଜ କାରରେ ଅଫିସ ଯାଇ ଆଉ ଘରକୁ ଫେରିନଥିଲେ । ୩ ଜଣ ଯୁବକ ଉକ୍ତ କାରରେ ତାଙ୍କୁ ଅପହରଣ କରି ନେଇଥିଲେ । ବିଲ୍ଡରଙ୍କ ସ୍ତ୍ରୀଙ୍କୁ ୫୦ ଲକ୍ଷ ଟଙ୍କା ଆଣି ସ୍ୱାମୀକୁ ଫେରାଇ ନେବାକୁ କହିଥିଲେ । ଏୟାରଫିଲ୍ଡ ଥାନାରେ ଅଭିଯୋଗ ପରେ ପୁଲିସ ମୋବାଇଲ ନମ୍ବର ଟ୍ରାକିଂ କରି ବାଲିଅନ୍ତା ଅଞ୍ଚଳରେ ଚଢ଼ାଉ କରିଥିଲା । ବିଲ୍ଡରଙ୍କୁ ଉଦ୍ଧାର କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଅନ୍ୟ ଜଣେ ଅପହରଣକାରୀ ଫେରାର୍‌ ଥିବା ପୁଲିସ କହିଛି ।

Leave A Reply

Your email address will not be published.