୩୦% କମିବ ପାଠ୍ୟକ୍ରମ

0 59

ହାଇସ୍କୁଲ ଖୋଲିବାକୁ ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର : ୨୦୨୦-୨୧ ଶିକ୍ଷାବର୍ଷ ଲାଗି ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସିଲାବସ୍‌ ୩୦ ପ୍ରତିଶତ କମିବ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ହ୍ରାସ କରାଯିବ। ସିବିଏସଇ ବୋର୍ଡ ୩୦% କମାଇଥିବା ବେଳେ ସିଆଇଏସସିଇ ବୋର୍ଡ ୨୫% ସିଲାବସ‌୍ ହ୍ରାସ କରିଛି। ତାହାକୁ ଆଧାର କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଧ୍ୟ ସମସ୍ତ ୧୨ଟି ଶ୍ରେଣୀର ପାଠ୍ୟକ୍ରମ ୩୦% କମାଇବାକୁ ସ୍ଥିର କରିଛି। ସ୍କୁଲ କେବେ ଖୋଲିବ ସ୍ଥିର ହୋଇ ନ ଥିଲେ ମଧ୍ୟ ଆସନ୍ତା ୭ ମାସର ପାଠପଢ଼ାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବାରୁ ଆସନ୍ତା ଏକ ସପ୍ତାହ ମଧ୍ୟରେ ନୂତନ ସିଲାବସ୍‌ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ହ୍ରାସ କରିବାକୁ ୩ଟି ବୋର୍ଡକୁ ଦାୟିତ୍ୱ ଦିଆଯାଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦକୁ ୯ମ ଓ ଦଶମ ଶ୍ରେଣୀ ସିଲାବସ୍‌ କମାଇବାକୁ କୁହାଯାଇଥିବା ବେଳେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଦାୟିତ୍ୱ ଏସସିଇଆରଟି, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଦାୟିତ୍ୱ ମିଳିଥିଲା। ସମସ୍ତ ୩ଟି ଯାକ ବୋର୍ଡର ବିଶେଷଜ୍ଞ ଟିମ୍‌ ଇତିମଧ୍ୟରେ ସିଲାବସ ହ୍ରାସ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର କରିସାରିଛନ୍ତି। ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିର୍ଦେଶକ୍ରମ ବିଭାଗୀୟ ସଚିବ ସତ୍ୟବ୍ରତ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଂକ୍ଷିପ୍ତ ସିଲାବସ୍‌ର ତର୍ଜମା ଚାଲିଛି। ଗତ ସପ୍ତାହକ ମଧ୍ୟରେ ଗଣଶିକ୍ଷା ବିଭାଗ ଅଧିକାରୀଙ୍କ ୪ଟି ବୈଠକ ବସି ଲଗାତାର ଭାବେ ଅନୁଧ୍ୟାନ କରାଯାଇଛି। ସିଲାବସ ହ୍ରାସ ପରେ ସିବିଏସଇରେ ଯେଉଁଭଳି ବିବାଦ ସୃଷ୍ଟି ହୋଇଥିଲା ଓଡ଼ିଆ ମିଡିୟମରେ ଯେପରି ସେମିତି ନ ହୁଏ ସେଥିପ୍ରତି ଗୁରୁତ୍ୱାରୋପ କରାଯାଇଛି। ବିଭାଗର ସ୍ୱତନ୍ତ୍ର ବିଶେଷଜ୍ଞ କମିଟି ପ୍ରତି ଶ୍ରେଣୀର ସମସ୍ତ ବହିର ବିଷୟକୁ ତନ୍ନତନ୍ନ କରି ବିଶ୍ଳେଷଣ କରୁଛନ୍ତି। ଛାତ୍ରଛାତ୍ରୀଙ୍କ ଲାଗି କମ୍‌ ଗୁରୁତ୍ୱ ବହନ କରୁଥିବା ବିଷୟଗୁଡିକୁ କଟାଯାଇଛି। ସେପ୍ଟେମ୍ବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶିକ୍ଷାବର୍ଷକୁ ଆଖିରେ ରଖି ସିଲାବସ୍‌ ପ୍ରସ୍ତୁତ ହୋଇଛି। ଯଦି ସେପ୍ଟେମ୍ବରରେ ସ୍କୁଲ ଖୋଲିବା ସମ୍ଭବ ନ ହୁଏ ତେବେ ଅକ୍ଟୋବରରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ଶିକ୍ଷାବର୍ଷ କରାଯିବ। ଅନ୍ୟପକ୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ସିଲାବସ୍‌କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ସେପ୍ଟେମ୍ବରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ କରିବାକୁ ବିଭାଗ ଯୋଜନା ପ୍ରସ୍ତୁତି କରିଛି। ତେବେ ସବୁ କିଛି କେନ୍ଦ୍ର ସରକାରଙ୍କ ନିର୍ଦେଶାବଳୀ ଉପରେ ନିର୍ଭର କରୁଛି। ଅଗଷ୍ଟ ୩୧ ଯାଏ ସ୍କୁଲ ଛୁଟି ରହିଛି। ତେଣୁ ସେପ୍ଟେମ୍ବର ମାସ ଲାଗି ଅଗଷ୍ଟ ୩୦ କିମ୍ବା ୩୧ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନୂଆ ଗାଇଡ୍‌ଲାଇନ ଜାରି କରିବ। ଯଦି ସ୍କୁଲ ଖୋଲିବାକୁ ଅନୁମତି ମିଳେ ତେବେ ରାଜ୍ୟ ସରକାର ମଧ୍ୟ ଏଥିପାଇଁ ପ୍ରସ୍ତୁତ ରହିଛନ୍ତି। ଅଧିକାଂଶ ବିଦ୍ୟାଳୟରୁ ସଙ୍ଗରୋଧ କେନ୍ଦ୍ର ହଟାଇ ଦିଆଯାଇ ବିଶୋଧନ କରାସରିଛି। ବାକି ଯାହା ଅଛି ତାହାକୁ ଆସନ୍ତା ୧୫ ଦିନରେ ହଟାଇ କ୍ୟାମ୍ପସକୁ ବିଶୋଧନ କରିବାକୁ ପରାମର୍ଶ ଦିଆଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଦାଶ କହିଛନ୍ତି ଯେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସିଲାବସ୍‌ କମାଇବାକୁ ଏକପ୍ରକାର ଚୂଡ଼ାନ୍ତ ହୋଇଛି। ବିଶେଷଜ୍ଞ କମିଟି ବି ଏହା ଉପରେ ଅନୁଧ୍ୟାନ କରୁଛନ୍ତି। ଆସନ୍ତା ସପ୍ତାହକ ମଧ୍ୟରେ ସଂକ୍ଷିପ୍ତ ସିଲାବସ୍‌ ପ୍ରସ୍ତୁତ ହୋଇ ପ୍ରକାଶିତ ହେବାର ସମ୍ଭାବନା ରହିଛି। ତେବେ ସ୍କୁଲ ଖୋଲିବା ନେଇ ଏପର୍ଯ୍ୟନ୍ତ ଆମେ କୌଣସି ନିଷ୍ପତ୍ତି ନେଇନୁ। ସେପ୍ଟେମ୍ବର ମାସ ଲାଗି କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ ଆସିବା ପରେ ଆମେ ପଦକ୍ଷେପ ନେବୁ।

Leave A Reply

Your email address will not be published.