ଏସସିବିରେ ବିସ୍ପୋରକ ସ୍ଥିତି ଆଡକୁ ମୁହାଁଉଛି କରୋନା ସଂକ୍ରମଣ

0 76

ଡାକ୍ତର, ପାରାମେଡିକାଲ ଷ୍ଟାଫ ଓ ସୁରକ୍ଷାକର୍ମୀଙ୍କୁ ମିଶାଇ ୧୦୦କୁ ପାର କରୋନା ସଂକ୍ରମିତଙ୍କ ସଂଖ୍ୟା

କଟକ: ବର୍ତ୍ତମାନ ରାଜ୍ୟର କଟକ ବଡ଼ ମେଡିକାଲରେ କରୋନା ସଂକ୍ରମଣ ଏକ ସାଙ୍ଘାତିକ ପରିସ୍ଥିତି ଆଡ଼କୁ ମୁହାଁଉଛି । ମେଡ଼ିକାଲରେ ମୋଟ ୩୮ ବିଭାଗ ଥିବା ବେଳେ ହାତ ଗଣତି କିଛି ବିଭାଗକୁ ବାଦ ଦେଲେ ଅଧିକାଶଂ ବିଭାଗ କରୋନାର ସଂକ୍ରମଣ ଜାଲରେ ଛନ୍ଦି ହୋଇସାରିଛି । ଫଳ ସ୍ବରୂପ ରୋଗୀ ସେବା ଏବେ ଗୁରୁତର ଭାବେ ପ୍ରଭାବିତ ହୋଇଛି । ପୂର୍ବରୁ ବିଭିନ୍ନ ଓ୍ବାର୍ଡରୁ କାଁ ଭାଁ କୋଭିଡ଼ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଅଗଷ୍ଟ ମାସରେ ସଂକ୍ରମଣ ହାର ଦୃତ ଗତିରେ ବୃଦ୍ଧି ପାଇବାରେ ଲଗିଛି । ଗତ ୪ ଦିନ ହେଲା ଏହି ସଂକ୍ରମଣ ହାର ବେଶ ଅଧିକ ରହିଛି । ନିୟମିତ ଭାବେ ପ୍ରତିଦିନ ହାରାହାରି ୨୦ ଜଣ ରୋଗୀ ସଂକ୍ରମିତ ହେଉଥିବା ବେଳେ ୩ ଜଣ ଡାକ୍ତର ମଧ୍ୟ ସଂକ୍ରମିତ ହେଉଛନ୍ତି । ରବିବାର ଦିନ ଏସସିବି ମେଡିକାଲରୁ ୩ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧରେ ଜଣେ ୬୦ ବର୍ଷ ବୟସ୍କ ପ୍ରଫେସର ମଧ୍ୟ ଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ସମ୍ପୃକ୍ତ ପ୍ରଫେସରଙ୍କୁ ମିଶାଇ ମୋଟ ୭ ଜଣ ପ୍ରଫେସର ସଂକ୍ରମିତ ହୋଇ ସାରିଛନ୍ତି । ମେଡ଼ିକାଲରେ ବ୍ୟାପୁଥିବା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଯାଇ ଚେଷ୍ଟା କରି ପରେ ଆଜି ହାତ ଟେକି ଦେଇଛନ୍ତି ଏସସିବି କତ୍ତୃପକ୍ଷ । ଏସସିବିରେ କରୋନା ସଂକ୍ରମଣ ବିପର୍ଯ୍ୟୟ ସୃଷ୍ଟି କରିବା ଆଶଙ୍କା କରି ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ଏସସିବି ଅଦ୍ଧକ୍ଷକ । ପରିସ୍ଥିତିକୁ ଖୁବ ଶିଘ୍ର ନିୟନ୍ତ୍ରଣ କରା ନ ଗଲେ ମେଡ଼ିକାଲର ଓପିଡି ସହ ନୂଆ ରୋଗୀ ଭର୍ତ୍ତି ହେବା ଉପରେ ସାମାୟୀକ କଟକଣା ଲଗାଇବା ଉପରେ ମଧ୍ୟ ମେଡିକାଲ କତ୍ତୃପକ୍ଷ ବିଚାର କରୁଛନ୍ତି । ଯେଉଁ ଯେଉଁ ବିଭାଗରେ ସଂକ୍ରମଣ ଅଧିକ ବ୍ୟାପିଛି ସେହି ବିଭାଗରେ ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହେଇଛି । ଯଦି ପୁରା ମେଡିକାଲକୁ ଏହା ବ୍ୟାପି ଯାଏ ତେବେ ପୁରା ମେଡିକାଲକୁ ବନ୍ଦ କରିବା ବ୍ୟତିତ ଅନ୍ୟ ଉପାୟ ନ ଥିବା କହିଛନ୍ତି ଜଣେ ବରିଷ୍ଠ ଡାକ୍ତର । “ହସ୍ପିଟାଲରେ କରୋନା ସଂକ୍ରମଣ ବାବଦରେ ଆମେ ସରକାରଙ୍କୁ ଅବଗତ କରାଇଛୁ । ଏଣିକି ସରକାର ଯାହା ନିଷ୍ପତି ନେବ ତାହା ହିଁ ହେବ। ଆମେ ଆମ ସ୍ତରରେ ଆଉ କିଛି କରିପାରିବୁ ନାହିଁ । ଯଦି ସରକାର ଚାହିଁବେ ଓପିଡିକୁ ବନ୍ଦ କରିବେ କିମ୍ବା ନୂଆ ରୋଗୀ ଭର୍ତ୍ତି ବନ୍ଦ କରିବେ । ଯେତିକି ଡାକ୍ତର ଅଛନ୍ତି ସେମାନଙ୍କୁ ନେଇ ରୋଗୀ ଚିକିତ୍ସା ଚାଲିଛି । ଯଦି ସବୁ ବିଭାଗରେ ଡାକ୍ତର ସଂକ୍ରମିତ ହୋଇଯିବେ ତେବେ ବନ୍ଦ କରି ଦେବୁ । ସବୁ ବିଭାଗରେ ଡାକ୍ତର ସଂକ୍ରମିତ ହୋଇଗଲେ ରୋଗୀ ଚିକିତ୍ସା କିଏ କରିବ?,” କହିଛନ୍ତି ଏସସିବି ମେଡିକାଲର ଅଦ୍ଧିକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପଟ୍ଟନାୟକ । ଏସସିବିରେ ୬୦ ଜଣ ଡାକ୍ତର ସଂକ୍ରମିତ ହୋଇଥିବା ବେଳେ ପାରାମେଡିକାଲ ଷ୍ଟାଫ ଓ ସୁରକ୍ଷାକର୍ମୀଙ୍କୁ ମିଶାଇଲେ ସଂକ୍ରମିତଙ୍କ ସଂଖ୍ୟା ଶହେକୁ ପାର କରି ସାରିଲାଣି । ପରିସ୍ଥତି ଏପରି ହୋଇଛି ଯେ ସଂକ୍ରମିତ ଡାକ୍ତରମାନଙ୍କ ସଂସ୍ପର୍ଶରେ ଆସି ଅନେକ ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ ଓ ପାରାମେଡିକାଲ ଷ୍ଟାଫଙ୍କୁ କ୍ବାରେଣ୍ଟିନ୍‌କୁ ଯିବାକୁ ପଡିଛି । ଏସସିବିର ଅଦ୍ଧିକ୍ଷକ ଓ ଅଦ୍ଧକ୍ଷିକଙ୍କ ସହ ସେମାନଙ୍କ କାର୍ଯ୍ୟାଳୟର ବହୁ ସଂଖ୍ୟାରେ କର୍ମଚାରୀମାନେ ମଧ୍ୟ କ୍ବାରେନଣ୍ଟିନକୁ ପଠାଯାଇଛି ।
Leave A Reply

Your email address will not be published.