ମୁଣ୍ଡଳୀରେ ୧୧ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ

0 77

କଟକ : ମହାନଦୀର ମୁଣ୍ଡଳୀରେ ପ୍ରବାହିତ ହେବ ୧୧ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ। ଏଥିପାଇଁ ମହାନଦୀ ଅବବାହିକାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। କିନ୍ତୁ ଗୋଟିଏପଟେ ଦୁର୍ବଳ ନଦୀବନ୍ଧ ଚିନ୍ତା ବଢାଇଥିବାବେଳେ ଏବେ ଶେଷ ମୁହୂର୍ତ୍ତରେ ମହାନଦୀ ନର୍ଥ ଡିଭିଡଜ, ସାଉଥ୍‌ ଡିଭିଜନ, ପ୍ରାଚୀ ଡିଭିଜନ ପକ୍ଷରୁ ବନ୍ଧରେ ପାଟ୍ରୋଲିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ସାଉଥ୍‌ ଡିଭିଜନ ଓ ନର୍ଥ ଡିଭିଜନ, ପ୍ରାଚୀ ଡିଭିଜନରେ କୌଣସି ସ୍ଥାନରେ ଦୁର୍ବଳ ନଦୀବନ୍ଧ ନଥିବା ବିଭାଗ ପକ୍ଷରୁ କୁହାଯାଉଥିବାବେଳେ ପାଖାପାଖି ୮ଟି ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଛି ଓ ଘାଇ ସୃଷ୍ଟି ହେବାର ଆଶଙ୍କା ରହିଥିବା କୁହାଯାଉଛି। ଅନ୍ୟପଟେ ତଳିଆ ଅଂଚଳରେ ଥିବା ଲୋକଙ୍କୁ ଉଚ୍ଚସ୍ଥାନକୁ ଉଠିଯିବା ପାଇଁ ଆଜି ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରଦ୍ବାରା ସତର୍କ କରାଯାଇଛି। ମୁଣ୍ଡଳୀଠାରେ ବର୍ତ୍ତମାନ ୭ଲକ୍ଷ ୧୧ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବାବେଳେ, ନରାଜଠାରେ ୩ଲକ୍ଷ ୫୨ହଜାର ୯୫୭ କ୍ୟୁସେକ ଓ ଯୋବ୍ରାରେ ୩ଲକ୍ଷ ୪୫ହଜାର ୭୦୫ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବା ଯୋବ୍ରା କଂଟ୍ରୋଲ ରୁମ୍‌ ତଥ୍ୟରୁ ଜଣାପଡିଛି। ନରାଜରେ ୪୬ଟି ଗେଟ୍‌ ଥିବାବେଳେ ସମସ୍ତ ଗେଟ୍‌କୁ ଆଂଶିକଭାବେ ଖୋଲାଯାଇଛି। ସେହିପରି ଯୋବ୍ରାରେ ୯୫ଟି ଗେଟ୍‌ରୁ ୫୦ଟି ଗେଟ୍‌ ଖୋଲାଯାଇଛି। ତିଗିରିଆ ବ୍ଲକରେ ପୁରୁଣା ତିଗିରିଆ ପଞ୍ଚାୟତ ଅନ୍ତର୍ଗତ ଚଷାଆଁରା ଗ୍ରାମର ରାସ୍ତା ଉପରେ ପ୍ରାୟ ୫ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିବା ଯୋଗୁଁ ଚଷାଆଁରା ଗ୍ରାମ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି।

Leave A Reply

Your email address will not be published.