ବାବର ଖାଲସାର ୨ କୁଖ୍ୟାତ ଆତଙ୍କବାଦୀ ଗିରଫ

0 70

ନୂଆଦିଲ୍ଲୀ: ନିଷିଦ୍ଧ ଆତଙ୍କବାଦୀ ସଂଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲର ଦୁଇଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଦିଲ୍ଲୀ ପୁଲିସ୍ର ସ୍ପେଶାଲ ସ୍କାର୍ଡ ପ୍ରତ୍ୟୁଷରେ ଗିରଫ କରିଛି । ଗିରଫ କରିବା ପରେ ଏମାନଙ୍କ ନିକଟରୁ ବିପୁଳ ପରିମାଣର ମାରଣାସ୍ତ୍ର ସମେତ ଗୁଳିଗୋଳାକୁ ଜବତ କରିଛି ପୁଲିସ । ଉତ୍ତର ପଶ୍ଚିମ ଦିଲ୍ଲୀରେ ଆତ୍ମଗୋପନ କରି ରହିଥିବା ଏହି ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀ ପୁଲିସ୍ର ସ୍ପେଶାଲ ସ୍କାର୍ଡ ପ୍ରତ୍ୟୁଷରେ ଚଢ଼ାଉ କରିଥିବା ବେଳେ ଆତଙ୍କବାଦୀମାନେ ପୁଲିସ୍ ଦଳ ଉପରକୁ ଗୁଳି ଚଳାଇଥିଲେ । ତେବେ କିଛି ସମୟର ଗୁଳି ବିନିମୟ ପରେ ପୁଲିସ୍ ସେମାନଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିଲା । ପୁଲିସ୍ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲର ଗିରଫ ହୋଇଥିବା ଦୁଇଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଦିଲୱର ସିଂ ଏବଂ କୁଲୱନ୍ତ ସିଂ ବୋଲି ଚିହ୍ନଟ କରାଯାଇଛି । ଏହି ଦୁଇ ଗିରଫ ଆତଙ୍କବାଦୀ ଲୁଧିଆନାର ବାସିନ୍ଦା । ପଞ୍ଜାବରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଏହି ଦୁଇ ଆତଙ୍କବାଦୀ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଅଛନ୍ତି । ତେବେ ଏହି ଦୁଇ ଆତଙ୍କବାଦୀ ଏକଗୁପ୍ତ ମିଶନରେ ଆସି ରାଜଧାନୀ ଦିଲ୍ଲୀରେ ଆତ୍ମଗୋପନ କରିଥିବା ନେଇ ଗୁଇନ୍ଦା ବିଭାଗ ସୂତ୍ରରୁ ଖବର ମିଳିବା ପରେ ଗତ ଶନିବାର ରାତିରୁ ଦିଲ୍ଲୀ ପୁଲିସର ସ୍ପେଶାଲ ସ୍କାର୍ଡ ସେମାନଙ୍କର ପିଛା କରୁଥିଲା । ଗିରଫ କରିବା ପରେ ସ୍ପେଶାଲ ସ୍କ୍ୱାର୍ଡ ପୁଲିସ୍ ଦୁଇ ଆତଙ୍କବାଦୀଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ପଚରାଉଚୁରା ଜାରି ରଖିଥିବା ଜାଣିବାକୁ ମିଳିଛି ।

Leave A Reply

Your email address will not be published.