କାମାକ୍ଷାନଗରରେ ଗୋରୁ ମାଫିଆଙ୍କ ପାଇଁ ଗଳାବାଟ ସାଜିଛି ନଦୀବନ୍ଧ

0 68

ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡରେ ଦିନକୁ ଦିନ ବଢିଚାଲିଛି ବେଆଇନ ଗୋରୁଚାଲାଣ । ସହରରେ ପ୍ରଶାସନ ପକ୍ଷରୁ ସିସି ଟିଭି ଲାଗିବା ପରେ ଗୋରୁଚାଲାଣକାରୀ ମାନେ ପୋଲିସ ଇଙ୍ଗିତରେ ନଦୀବନ୍ଧକୁ ଗଳାବାଟ ଭାବେ ଆପଣେଇ ନେଇଛନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଏଭଳି ଏକ ଗୋରୁ ଚାଲାଣର ପର୍ଦ୍ଦାଫାଶ ହୋଇଛି ମଙ୍ଗଳବାର ବିଳମ୍ବିତ ରାତିରେ । ମାର୍ଥାପୁର-ଜିରାଳ ନଦୀ ବନ୍ଧରେ ଜନୈକ ଗଣମାଧ୍ୟମ ପ୍ରତିନିଧି ଏହି ଗୋରୁ ଚାଲାଣକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିବା ବେଳେ ଏକ ଟାଟା ଏସି ଓଆର ୦୬ କେ ୧୧୮୬ ଯୋଗେ ଗୋରୁଚାଲାଣ କରାଯାଉଥିବାର ପର୍ଦ୍ଦାଫାଶ୍ ହୋଇଥିଲା । ଏହି ଗୋରୁଚାଲାଣ ଗାଡି ପଛେ ପଛେ ୩ ଜଣ ବ୍ୟକ୍ତି ଉକ୍ତ ଗୋରୁ ବୋଝେଇ ଗାଡିକୁ ଏସକର୍ଟ କରି ୨ଟି ବାଇକରେ ଯାଉଥିଲେ । ଏସକର୍ଟ କରି ଯାଉଥିବା ଯୁବକ ମାନେ କାମାକ୍ଷାନଗର ବ୍ଳକ ବାଙ୍କୁଆଳ ପଂଚାୟତ ଓ ମାର୍ଥାପୁର ପଂଚାୟତର ଓଢଣ ଗ୍ରାମର ବୋଲି ଜଣାପଡିଛି । ସେମାନଙ୍କୁ ଉକ୍ତ ଗଣମାଧ୍ୟମ ପ୍ରତିନିଧି ଧରିବା ପରେ ସୁରପ୍ରତାପପୁର ଫାଣ୍ଡିକୁ ସୂଚନା ପ୍ରଦାନ କରିଥିଲେ ମଧ୍ୟ ଫାଣ୍ଡିବାବୁଙ୍କ ଅସହଯୋଗ ଯୋଗୁ ଗୋରୁ ମାଫିଆମାନେ ମାରଣାସ୍ତ୍ରର ଭୟ ଦେଖାଇ ଘଟଣା ସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲେ । ରାତିରେ ପୋଲିସ୍ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କଡା ପେଟ୍ରୋଲିଂ କରୁଛି ବୋଲି ଦ୍ୱାହୀ ଦେଉଥିବା ବେଳେ ଏହି ଘଟଣାରୁ ପୋଲିସ କେତେ ସକ୍ରିୟ ତାହା ସ୍ପଷ୍ଟ ବାରିହୋଇ ପଡିଛି । ପୋଲିସର ନାକତଳେ ପ୍ରତ୍ୟେକ ଦିନ ଗୋରୁ ମାଫିଆମାନେ ଶହ ଶହ ଗୋରୁ ଚାଲାଣ କରୁଥିବା ଘଟଣା ପୋଲିସର କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.