ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଜାମିନ, ୮ ଦିନ ପରେ ଜେଲରୁ ମୁକୁଳିବେ

0 71

ନୂଆଦିଲ୍ଲୀ, ୧୧ ।୧୧ : ରିପବ୍ଲିକ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଜାମିନ । ୨୦୧୮ ମସିହାରେ ଆତ୍ମହତ୍ୟା କରିଥିବା ୫୩ ବର୍ଷୀୟ ଆର୍କିଟେକଚର ଓ ଡିଜାଇନର ଅନଭୟ ନାଏକ ଓ ତାଙ୍କ ମା’ଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ମାମଲାରେ ଅର୍ଣ୍ଣବଙ୍କୁ ଜାମିନ ମଂଜୁର କଲେ ସୁପ୍ରିମକୋର୍ଟ । ୮ ଦିନ ପରେ ଜେଲରୁ ମୁକ୍ତି ପାଇବେ ଅର୍ଣ୍ଣବ ଗୋସ୍ୱାମୀ । ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି ହୋଇଥିବା ବେଳେ କୋର୍ଟ ପୁଲିସର ତଦନ୍ତ ଉପରେ କ୍ଷୁବ୍ଧ ହୋଇଛନ୍ତି । ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲୁଥିବା ବେଳେ ଅଭିଯୁକ୍ତଙ୍କୁ ଜାମନ ନମିଳିବା ଅନ୍ୟାୟ ହେବ । ପ୍ରଥମେ ଅର୍ଣ୍ଣବ ଗୋସ୍ୱାମୀଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ବମ୍ୱେ ହାଇକୋର୍ଟ ନାମଞ୍ଜୁର କରିବା ପରେ ସୁପ୍ରିମକୋର୍ଟରେ ପହଞ୍ଚିଛି ମାମଲା । ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କ ଦ୍ୱାରା ଗଠିତ ଦୁଇ ଜଣିଆ ବେଞ୍ଚ ଏହି ମାମଲାର ଆଜି ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ବମ୍ବେ ହାଇକୋର୍ଟ ଉପରେ ଜଷ୍ଟିସ ଚନ୍ଦ୍ରଚୁଡ଼ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ବମ୍ବେ ହାଇକୋର୍ଟ ନିଜ ଆଦେଶରେ ୫୦ରୁ ଅଧିକ ପୃଷ୍ଠାର ରାୟ ଦେଇଛନ୍ତି । ହେଲେ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଅପରାଧ କଣ ରହିଛି ଉଲ୍ଲେଖ କରି ନାହାନ୍ତି । ଯାହାକୁ ନେଇ ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହପରି ଇଣ୍ଟେରିଅର ଡିଜାଇନରଙ୍କୁ ବକେୟା ନେଣ ଦେଣର ମାମଲା ରହିଛି ତାହେଲେ ଏହା କିଭଳି ଆତ୍ମହତ୍ୟା ପାଇଁ ଉସକାଗଲା ବୋଲି ଜଷ୍ଟିସ ଚନ୍ଦ୍ରଚୁଡ ଟିପ୍ପଣୀ କରିଛନ୍ତି । ବମ୍ବେ ହାଇକୋର୍ଟଙ୍କ ପାଖରେ ଜାମିନ୍ ଦେବାର ଅଧିକାର ରହିଛି, ଗୋସ୍ୱାମୀଙ୍କ ଅପରାଧ ଉଲ୍ଲେଖ ନକରି ଜାମିନ୍ ନଦେବା ନେଇ ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ଅସନ୍ତୋଷ ପ୍ରକାଶ କରିଥିଲେ । ଜାମିନ୍ ମାଗିବା ସମସ୍ତଙ୍କର ଅଧିକାର ବୋଲି କୋର୍ଟରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଓକିଲ ସାଲଭେ କହିଥିଳେ । ହେଲେ ତାଙ୍କ କ୍ଲାଏଣ୍ଟଙ୍କୁ ବେଆଇନ୍ ବୋଲି ସିଜିଏମ୍ କହିସାରିଥିବା ବେଳେ ଜାମିନ୍ ମିଳୁନି ବୋଲି ସାଲଭେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ମୃତକ ଏବଂ ଗୋସ୍ୱାମୀଙ୍କ ବିରୋଧରେ ସିଧାସଳଖ ସମ୍ପର୍କ ନାହିଁ । ତେଣୁ କାହିଁକି ଜାମିନ୍ ମିଳୁନି ବୋଲି ସାଲଭେ ଜଷ୍ଟିସ୍ ଡି ଚନ୍ଦ୍ରଚୁଡଙ୍କ ଆଗରେ କହିଛନ୍ତି । ସୂଚନା ଅନୁଯାୟୀ, ଅର୍ଣ୍ଣବ ଗୋସ୍ୱାମୀଙ୍କୁ ୨୦୧୮ ମସିହାରେ ଆତ୍ମହତ୍ୟା କରିଥିବା ୫୩ ବର୍ଷୀୟ ଆର୍କିଟେକଚର ଓ ଡିଜାଇନର ଅନଭୟ ନାଏକ ଓ ତାଙ୍କ ମା’ଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ମାମଲାରେ ଗିରଫ କରାଯାଇ ଥିଲା । ନାଏକ ମୃତ୍ୟୁ ପୂର୍ବରୁ ଲେଖିଥିବା ସୁଇସାଇଡ ନୋଟରେ ଅର୍ଣ୍ଣବ ଗୋସ୍ୱାମୀ ଓ ରିପବ୍ଲିକ ଟିଭି ତାଙ୍କୁ ପ୍ରାପ୍ୟ ନ ଦେଇ ହଇରାଣ କରୁଥିବା ଉଲ୍ଲେଖ କରିଥିଲେ ।

Leave A Reply

Your email address will not be published.