ବାଲିଗୁଡା : ୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଦାରିଙ୍ଗବାଡ଼ି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟର ମୁଖ୍ୟ କିରାଣୀ ଚିତରଂଜନ ସିଂ। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।। ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିବା ଶିବ ଶଙ୍କରଙ୍କର ଘର ଗଂଜାମ ଜିଲାର ସେରଗଡ଼ ଥାନା ଅନ୍ତର୍ଗତ କୁରୁଲା ଗ୍ରାମରେ ଓ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ମୁଖ୍ୟ କିରାଣୀଙ୍କ ଘର କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ନୂଆସାହିରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।ମିଳିଥିବା ସୂଚନା ମୁତାବକ ଦାରିଙ୍ଗବାଡ଼ି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ଅଧିନରେ ଥିବା ଶ୍ରାନିକେତା ଗ୍ରାମରେ ଥିବା ଚନ୍ଦ୍ରୁ ସାହୁ ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଫୁଲ ଚନ୍ଦ୍ର ପଟ୍ଟନାୟକଙ୍କର ଗତ ୨୦୧୫ ମସିହାରେ ଅକାଳ ବିୟୋଗ ଘଟିବା ପରେ ସରକାରଙ୍କ ନିୟମ ମୁତାବକ ବାପାଙ୍କ ମୃତ୍ୟ ପରେ ପୁଅ ଶିବ ଶଙ୍କର ପଟ୍ଟନାୟକଙ୍କୁ ପୁନଃସ୍ଥାପନ କରିବାପାଇଁ ନିଜେ ପୁଅ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟରେ ସମସ୍ତ କାଜଗପତ୍ର ଦେଇ ଆବେଦନ କରିଥିଲେ। ତେବେ ଦୀର୍ଘ ଦିନ ପର୍ୟ୍ୟନ୍ତ ତାଙ୍କର ଫାଇଲ୍ ଗୋଟିଏ ଟେବୁଲ୍ ରୁ ଅନ୍ୟ ଏକ ଟେବୁଲକୁ ଘୁଞ୍ଚିନଥିବା ବେଳେ ଏହାର ଦାୟିତ୍ୱରେ ଥିବା କାର୍ୟ୍ୟାଳୟର ମୁଖ୍ୟ କିରାଣୀ ଏଥି ପାଇଁ ୫ ହଜାର ଟଙ୍କା ଦାବି କରିଥିଲେ। ୫ହଜାରଟଙ୍କା ଦେବା ପରେ ହିଁ ତାଙ୍କ କାମ ହେବ ବୋଲି ଶିବଶଙ୍କରଙ୍କୁ ମୁଖ୍ୟ କିରାଣୀ କହିଥିବା ଅଭିଯୋଗ କରିଛନ୍ତି ଶିବ ଶଙ୍କର। ତେବେ ଏନେଇ ଶିବଶଙ୍କର ବ୍ରହ୍ମପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୧ଟା ବେଳେ ଶିବଶଙ୍କର ଦାରିଙ୍ଗବାଡ଼ି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟରେ ପହଂଚିଥିବା ବେଳେ ମୁଖ୍ୟ କିରାଣୀ ତୁମର ସମସ୍ତ କାମ ହୋଇଯିବ କହିବା ମୁତାବକ ଟଙ୍କା ଆଣିଛ କି ବୋଲି କହିଥିବା ବେଳେ ଶିବଶଙ୍କର ଦାବି ମୁତାବକ ୫ହଜାରଟଙ୍କା ମୁଖ୍ୟ କିରାଣୀ ଚିତରଂଜନ ସିଂଙ୍କୁ ଦେଇଥିଲେ। ସେହିସମୟରେ ପୁର୍ବଯୋଜନା ମୁତାବକ ସେଠାରେ ଛପିରହିଥିବା ଭିଜିଲାନ୍ସ ଅଧିକାରୀ ମାନେ ଚିତ ରଂଜନ ସିଂଙ୍କ ଠାରୁ ରଂଗବୋଳା ନଗଦ୫ହଜାରଟଙ୍କା ଜବତ କରି ତାଙ୍କୁ ଗିରଫ କରିବା ସହିତ ଆଉ କିଛି କାଗଜପତ୍ର ମଧ୍ୟ ଜବତ କରିଥିବା ଜଣାପଡ଼ିଛି। ଗିରଫ ପରେ ଚିତ୍ତ ରଂଜନ ସିଂଙ୍କୁ ବ୍ରହ୍ମପୁର ନିଆଯାଇଥିବା ପ୍ରକାଶ। ରିପୋର୍ଟ ଲେଖାହେବା ସୁଦ୍ଧା ଚିତରଂଜନଙ୍କ ଅଫିସ ଓ ବାଲିଗୁଡ଼ା ସ୍ଥିତ ବାସ ଭବନରେ ଚଢ଼ାଉ ଚାଲିଥିବା ଭିଜିଲାନ୍ସ ବିଭାଗ ତରଫରୁ ସୂଚନା ଦିଆଯାଇଛି।ଅନ୍ୟପକ୍ଷରେ ଜିଲାରେ ଥିବା ସମସ୍ତ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ମାନଙ୍କରେ ଏଭଳି ଭାବେ ବ୍ୟାପକ ଦୁର୍ନିତି ଚାଲିଥିବା ବେଳେ ଅନେକ ଶିକ୍ଷକ ଓ ଶିକ୍ଷୟତ୍ରୀ ଭୟଭିତ ହୋଇ ମୁହଁ ଫିଟାଉନଥିବା ବେଳେ ଭିଜିଲାନ୍ସ ବିଭାଗ ଅଚାନକ ଭାବେ ବିଭିନ୍ନ କାର୍ୟ୍ୟାଳୟରେ ଚଢାଉ କରିବା ପାଇଁ ମଧ୍ୟ ବିଭିନ୍ନ ମହଲରେ ଦାବି ହୋଇଛି।