୫ ହଜାର ବର୍ଷ ପୂରୁଣା ତିମି କଙ୍କାଳ ଉଦ୍ଧାର

0 76

ବ୍ୟାଙ୍କକ୍, ୨୮ ।୧୧: ୫୦୦୦ ବର୍ଷ ପୂରୁଣା ତିମି କଙ୍କାଳ ଉଦ୍ଧାର କରିଛନ୍ତି ଗବେଷକ । କଙ୍କାଳର ୮୦ ଭାଗ ଗବେଷକମାନେ ଖୋଜି ବାହାର କରିସାରିଥିବା ବେଳେ ଏହା ଏକ ବିରଳ ଉପଲବ୍ଧି ବୋଲି କହିଛନ୍ତି । ହଜାର ହଜାର ବର୍ଷ ପୂରୁଣା ତିମି କଙ୍କାଳ ଉଦ୍ଧାର ହେବା ପରେ ବାୟୁମଣ୍ଡଳ ପରିବର୍ତ୍ତନ ସମ୍ପର୍କରେ ବ୍ୟାପକ ସୂଚନା ମିଳିପାରିବ ବୋଲି ଗବେଷକମାନେ ଆଶା କରିଛନ୍ତି । ତେବେ ଏହା ବ୍ରାଇଡ୍ ତିମି ବୋଲି ବିଶ୍ୱାସ କରାଯାଉଥିବା ବେଳେ କଙ୍କାଳ(ସ୍କେଲିଟନ୍)ର ଲମ୍ବ୧୨ ମିଟର ଅର୍ଥାତ ୩୯ ଫୁଟ୍ ବୋଲି ସୂଚନା ମିଳିଛି । ଏମିତି ଏକ ତିମି କଙ୍କାଳ ବ୍ୟାଙ୍ଗକ୍ର ସାମୁତ ସାଖୋନରୁ ଗବେଷକମାନେ ଖୋଜି ବାହାର କରିଛନ୍ତି । କଙ୍କାଳର ୮୦ ପ୍ରତିଶତ ମିଳିସାରିଥିବା ବେଳେ ଏବେ ସୁଦ୍ଧା ୧୯ଟି ହାଡ଼, ୫ଟି ରବ୍, ଗୋଟିଏ କାନ୍ଧ ବ୍ଲେଡ୍ ଓ ପଖି ଉଦ୍ଧାର କରିଛନ୍ତି ବଶେଷଜ୍ଞ । ହାଡ଼ ମିଳିବା ପରେ ଏହାର କାର୍ବନ ଡେଟିଂ କରାଯାଇଥିଲା । ପରୀକ୍ଷା ପରେ ଏହା ୩୦୦୦ ବା ୫୦୦୦ ବର୍ଷ ପୂରୁଣା ବୋଲି ବିଶେଷଜ୍ଞ ଦାବି କରିଛନ୍ତି । ବ୍ରାଇଡସ୍ ପ୍ରଜାତିର ତିମି ଏବେ ବି ଥାଇଲାଣ୍ଡ ସ୍ଥିତ ସମୁଦ୍ରରେ ଅଛନ୍ତି । ସେମାନେ ୧୬ ସେଲସିୟସ୍ରୁ ଅଧିକ ଗରମ ପାଣିରେ ରହିବାକୁ ଭଲପାଆନ୍ତି । ତେବେ ଏମାନଙ୍କୁ ବିଭିନ୍ନ ଛୋଟ ମାଛ ସାହାଯ୍ୟରେ ପର୍ଯ୍ୟଟକମାନେ ଶିକାର କରୁଥିବା ଜଣାପଡ଼ିଛି । ତେବେ ତିମିର କଙ୍କାଳ ସମୂଦ୍ରରୁ ୧୨ କିମି ଦୂରରେ ମିଳିଛି । ଏହାକୁ ଭିତ୍ତି କରି କିଭଳି ଜୀବଜଗତ ସାଙ୍ଗକୁ ସମୂଦ୍ର ସ୍ତରର ପରିବର୍ତ୍ତନ ହୋଇଛି ସେନେଇ ଗବେଷକ ଜାଣିପାରିବେ ବୋଲି ପରିବେଶ ମନ୍ତ୍ରୀ ଶିଳ୍ପା ଆର୍ଚା କହିଛନ୍ତି । ସେପଟେ ତିମିର କଙ୍କାଳ ମିଳିବା ପରେ ଏହା ଜଣାପଡ଼ିଛି ଯେ, ସମୁଦ୍ର ସ୍ତର ୬୦୦୦ରୁ ୩୦୦୦ ବର୍ଷ ପୂର୍ବେ ଯେମିତି ଥିଲା ଏବେ ତାହା ବହୁ କି.ମି ଆଗକୁ ଚାଲିଯାଇଥିବା ନେଇ ସିଙ୍ଗାପୋର ଜାତୀୟ ବିଶ୍ୱବିଦ୍ୟାଳୟର ଗବେଷକ ମାର୍କସ୍ ଚୁଆ କହିଛନ୍ତି । ପୂର୍ବରୁ ସମୁଦ୍ରରୁ ଦୂରରେ କେବଳ ସେଲ୍ସ କିମ୍ବା କଙ୍କାଡ଼ର ଦେହାବଶେଷ ମିଳୁଥିଲା । କିନ୍ତୁ ତାହା ମଣିଷ ଦ୍ୱାରା ପଡ଼ିଛି କି ନାହିଁ ଜଣାନଥିଲା । କିନ୍ତୁ ଏଭଳି ଏକ ବିରାଟ ତିମିର କଙ୍କାଳ ମିଳିବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ପ୍ରକୃତରେ ସମୁଦ୍ରର ତଟ ବହୁତ ବଡ଼ ଥିଲା ବୋଲି ଚୁଆ କହିଛନ୍ତି । ଏଭଳି ପ୍ରମାଣ ସ୍ପଷ୍ଟ କରୁଛି କିଭଳି ଜଳବାୟୁ ପରିବର୍ତ୍ତନ ସମୁଦ୍ରର ଜଳସ୍ତର ବୃଦ୍ଧିରେ ସହାୟକ ହୋଇଛି । ଏବଂ ତଳିଆ ଅଞ୍ଚଳ ସମୁଦ୍ର ଜଳରେ ବୁଡ଼ିଯାଇଥିବା ଭଳି ଘଟଣା ଏବେ ନଜରକୁ ଆସୁଛି ବୋଲି ମଧ୍ୟ ଚୁଆ କହିଛନ୍ତି । ଏଭଳି ଆବିଷ୍କାର ବ୍ରାଇଡସ୍ ତିମି ଓ ଅନ୍ୟ ପ୍ରଜାତିର ସମୂଦ୍ର ଜୀବାମାନଙ୍କ ସମ୍ପର୍କରେ ଅଧିକ ଜାଣିବାକୁ ଖୋରାକ ଯୋଗାଇବ । ଏହା ସହ ସେହି ସବୁ ସ୍ଥାନରେ ଆଉ କିଛି କଙ୍କାଳ ମିଳିବ କି ନାହିଁ ସେ ସମ୍ପର୍କରେ ସନ୍ଧାନ କରିବାକୁ ଗବେଷକମାନଙ୍କ ଉତ୍ସାହ ବୃଦ୍ଧି କରିବ । ତିମି କଙ୍କାଳ ଭଳି ଯଦି ଅନ୍ୟ କିଛି ପ୍ରଜାତିର ଜୀବଙ୍କ କଙ୍କାଳ ମିଳିଲେ ତାହାକୁ ଆଜିର ଜୀବମାନଙ୍କ ସହ ତୁଳନା କରି ଗବେଷକ ଅନେକ ତଥ୍ୟ ହାସଲ କରିପାରିବେ ବୋଲି ଚୁଆ କହିଛନ୍ତି । ତେବେ କଙ୍କାଳର ପ୍ରକୃତ ବୟସ ଡିସେମ୍ୱରରେ ସ୍ପଷ୍ଟ ହୋଇପାରିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.