ତୀବ୍ର ହେଉଛି ଚାଷୀ ଆନ୍ଦୋଳନ

0 80

ନୂଆଦିଲ୍ଲୀ, ୩୦ ।୧୧: ଦୀର୍ଘ ୫ ଦିନ ହେଲା କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ଚାଷୀମାନେ ଜାରି ରଖିଥିବା ଆନ୍ଦୋଳନ ଦିନକୁ ତୀବ୍ର ହେବାରେ ଲାଗିଛି । ସ୍ଥିତି ଏପରି ହୋଇଛି ଯେ କେନ୍ଦ୍ର ସରକାର ଚାଷୀମାନଙ୍କୁ ଦେଇଥିବା ଆଲୋଚନା ପାଇଁ ସର୍ତ୍ତମୂଳକ ପ୍ରସ୍ତାବକୁ ସେମାନେ ପ୍ରତ୍ୟାଖ୍ୟାନ କରିଛନ୍ତି । ଦିଲ୍ଲୀର ବୁରାରୀ ଅଞ୍ଚଳକୁ ଚାଷୀମାନେ ସେମାନଙ୍କ ଆନ୍ଦୋଳନକୁ ସ୍ଥାନାନ୍ତର କଲେ, କେନ୍ଦ୍ର ସରକାର ସେମାନଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ । ହେଲେ ଚାଷୀମାନେ ପୂର୍ବଭଳି ଦିଲ୍ଲୀର ରାଜପଥରେ ବସି ସେମାନଙ୍କ ଦାବି ଉପସ୍ଥାପନ କରିବାରେ ଲାଗିଛନ୍ତି । ଏହା ଦେଖି ସରକାରଙ୍କ ନିଦ ହଜିଗଲାଣି । ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଘନଘନ ବୈଠକ କରିବାରେ ଲାଗିଛନ୍ତି । ଗତକାଲି ରାତିରେ ସେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନ‡ାଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକ ଜେପି ନ‡ାଙ୍କ ଦିଲ୍ଲୀ ବାସଭବନରେ ବସିଥିଲା । ଆଜି ସକାଳୁ ପୁଣିଥରେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ତୋମାର ବୈଠକ କରିବାକୁ ଶାହଙ୍କ ଘରେ ପହଞ୍ଚିଥିଲେ । ଉଭୟ ଦୀର୍ଘ ଘଣ୍ଟା କାଳ ଚାଷୀଙ୍କ ଉପରେ ଆଲୋଚନା କରିଥିବା ଜଣାପଡ଼ିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତକାଲି ରାତିରେ ଆନ୍ଦୋଳନରତ ଜଣେ ଚାଷୀ ହୃଦଘାତରେ ପ୍ରାଣ ମଧ୍ୟ ହରାଇଥିଲେ । ଏସବୁ ଘଟଣା କେନ୍ଦ୍ର ସରକାରଙ୍କ ଅକଲ ଗୁଡୁମ କରିଦେଇଛି । ସେହିପରି ହରିଆଣାର ସବୁ ଖାପଗୁଡ଼ିକ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବାକୁ ଏକାଠି ହୋଇଛନ୍ତି । ସେମାନେ ଆସନ୍ତାକାଲି ଏକାଠି ହୋଇ ଚାଷୀଙ୍କ ସମର୍ଥନରେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ସେମାନେ ମଧ୍ୟ କାନ୍ଦ୍ର ସରକାରଙ୍କୁ ନୂଆ କୃଷି ଆଇନର ପୁର୍ନବିଚାର କରିବାକୁ ଅନୁରୋଧ କରିଛନ୍ତି । ଶାହୀନବାଗର କିଛି ମହିଳା ସିଙ୍ଘୁ ସୀମାକୁ ଆସି ଚାଷୀମାନେ ଚଳାଇଥିବା ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଚାଷୀଙ୍କ ଦିଲ୍ଲୀରେ ନ ପୂରାଇ ଦେବା ପାଇଁ ନିୟୋଜିତ ହୋଇଥିବା ପୁଲିସ୍ କର୍ମଚାରୀଙ୍କୁ କୃଷକମାନେ ପ୍ରସାଦ ଦେଇ ଆପାୟିତ କରିଛନ୍ତି । ଏହି ପୁଲିସ୍ କର୍ମଚାରୀମାନେ ଚାଷୀଙ୍କୁ କିଛି ଦିନ ତଳେ ବିକ୍ଷୋଭ କରିବା ବେଳେ ପାଣି ମାଡ଼ କରିବା ସହ ଲାଠି ଚାର୍ଜ କରିଥିଲେ । ହେଲେ ଚାଷୀମାନେ ଗୁରୁ ନାନକ ଦେବଙ୍କ ୫୫୧ ତମ ଜନ୍ମ ଦିନରେ ସମସ୍ତଙ୍କୁ ପ୍ରସାଦ ବାଣ୍ଟିଛନ୍ତି । ପୁଲିସ୍ କର୍ମଚାରୀମାନେ ମଧ୍ୟ ବେଶ ଆନନ୍ଦରେ ଏହାକୁ ଗ୍ରହଣ କରିଛନ୍ତି । ଖାଲି ସେତିକି ନୁହେଁ, ଗୁରୁ ନାନକ ଦେବଙ୍କ ଜନ୍ମ ଦିନରେ ଆନ୍ଦୋଳନକାରୀମାନେ ରାସ୍ତା ଉପରେ ପ୍ରାର୍ଥନା ମଧ୍ୟ କରିଥିବା ଦେଖିବାକୁ ମିଳିଛି । କେନ୍ଦ୍ରର କୃଷି ଆଇନ ବିରୋଧରେ ଲକ୍ଷାଧିକ ଚାଷୀ ସିଙ୍ଘୁ ଓ ଟିକରି ସୀମାରେ ୫ ଦିନ ହେଲା ଆନ୍ଦୋଳନ ଜାରି ରଖିଛନ୍ତି । ସେମାନଙ୍କ ଦିଲ୍ଲୀରେ ଭର୍ତ୍ତି କରାଇ ନ ଦେବା ପାଇଁ ସୀମାରେ ବିପୁଳ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ଭାରତୀୟ କିଷାନ ୟୁନିଅନର ସଭାପତି ମନଜୀତ ସିଂହ କହିଛନ୍ତି, ଆଜିର ଦିନ ଆମ ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ । ଆମେ ଆଜି ବହୁତ ଭାଗ୍ୟବାନ ଯେ ଆଜିର ଦିନରେ ଗୁରୁ ନାନକ ଦେବ ଜନ୍ମ ଗ୍ରହଣ କରିଥିଲେ । ପଞ୍ଜାବରେ ଆମେ ଗୁରୁପର୍ବକୁ ବେଶ ଜାକଜମକରେ ପାଳନ କରୁ । ଏହା ଆମ ସଂସ୍କାର । ଆଜି ମଧ୍ୟ ଆମେ ସମାନ ଢଙ୍ଗରେ ଗୁରୁପର୍ବ ପାଳନ କରିବୁ । ସନ୍ଧ୍ୟାରେ ଜଟବନ୍ଦୀ କିର୍ତ୍ତନ କରିବେ ଓ ଷ୍ଟେଜ ଉପରେ ଅରଦାସ ହେବ । ସେହିପରି ଦୀପମାଳର ମଧ୍ୟ ଆୟୋଜନ କରାଯିବ । ଏଠାରେ ଥିବା ଟ୍ରାକ୍ଟର ଓ ଟ୍ରଲିରେ ଚାଷୀମାନେ ଦୀପ ଏବଂ ମହମବତୀ ଜାଳିବେ । ଆଜି ଆମେ ଗୁରୁ ନାନକ ଦେବଙ୍କ ନିକଟରେ ପ୍ରାର୍ଥନା କରିବୁ ଯେ ସେ ସରକାରଙ୍କୁ ସଦବୁଦ୍ଧି ଦିଅନ୍ତୁ ଓ ସରକାର ଏହି କଳା ଆଇନକୁ ପ୍ରତ୍ୟାହାର କରି ନିଅନ୍ତୁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଆନ୍ଦୋଳନରେ ଲକ୍ଷାଧିକ ଚାଷୀ ସାମିଲ ହୋଇ ଦିଲ୍ଲୀ ସୀମାରେ ବିକ୍ଷୋଭ କରୁଛନ୍ତି । ଆନ୍ଦୋଳନକାରୀଙ୍କ ଉପରେ ପୁଲିସ୍ କେତେବେଳେ ପାଣି ମାଡ଼ କରୁଛି ତ ଆଉ କେତେବେଳେ ଲାଠିଚାର୍ଜ କରୁଛି । ଏହାକୁ ବେଖାତିର କରି ନିଜର ଦାବି ପୂରଣ କରିବା ପାଇଁ ଚାଷୀମାନେ ୫ ଦିନ ହେଲା ଦିଲ୍ଲୀରେ ଡେରା ପକାଇ ବସିଛନ୍ତି । ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିଛି । ପୁଲିସ୍ର ନିର୍ଯାତନାକୁ ସହ୍ୟ କରି ଆନ୍ଦୋଳନ କରୁଥିବା ଜଣେ ଚାଷୀ ରବିବାର ରାତିରେ ପ୍ରାଣ ହରାଇଛନ୍ତି । ଆନ୍ଦୋଳନ ବେଳେ ତାଙ୍କର ହୃଦଘାତ ହେବାରୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ପଞ୍ଜାବ ଅନ୍ତର୍ଗତ ଲୁଧିଆନା ଜିଲ୍ଲା ଖଟ୍ଟର ଗାଁର ଚାଷୀ ଗଜ୍ଜନ ସିଂହ ଅନ୍ୟମାନଙ୍କ ସହ କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିଲେ । ଦିଲ୍ଲୀର ଟିକରି ସୀମାରୁ ପୁଲିସ୍ ଚାଷୀଙ୍କୁ ଆଗକୁ ବଢ଼ିବାକୁ ନ ଦେବାରୁ ସେମାନେ ସେହିଠାରେ ଆନ୍ଦୋଳନ ଆରମ୍ଭ କରିଥିଲେ । ତେବେ ଦିଲ୍ଲୀରେ ପ୍ରବଳ ଥଣ୍ଡା ପଡ଼ିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିଲା । ହଠାତ୍ ତାପମାତ୍ରା ହ୍ରାସ ପାଇବାରୁ ଗଜ୍ଜନ ହୃଦଘାତର ଶିକାର ହୋଇଥିଲେ । ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.