ଦିଲ୍ଲୀରେ ଥିବା ଟିଏମସି ଅଫିସ ଓ ସାଂସଦଙ୍କ ଘର ଉପରେ ଆକ୍ରମଣ

0 79

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ଓ ବିରୋଧୀ ବିଜେପି ମଧ୍ୟରେ ସୃଷ୍ଟି ହୋଇଥିବା କଳି ଏବେ ଦେଶର ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି । ଦିଲ୍ଲୀରେ ଥିବା ଟିଏମସିର ଅଫିସ ଓ ଦଳର ସାଂସଦ ଅଭିଷେକ ବାନାର୍ଜୀଙ୍କ ବାସଭବନ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି । ଦୁର୍ବୃତ୍ତଙ୍କ ଆକ୍ରମଣରୁ ବେଙ୍ଗଲ ଭବନ ମଧ୍ୟ ବର୍ତ୍ତି ପାରିନାହିଁ । ଅଭିଷେକ ବାନାର୍ଜୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା । ଗୁରୁବାର ଅଭିଷେକଙ୍କ ନିର୍ବାଚନ ମଣ୍ଡଳୀ ଡାଇମଣ୍ଡ ହାରବୋରରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନ‡ାଙ୍କ କନଭୟ ଉପରେ ଆକ୍ରମଣ କରାଯାଇଥିଲା । ତେଣୁ ବିଜେପିର କର୍ମୀମାନେ ଏହାର ବଦଲା ନେବା ପାଇଁ ଅଭିଷେକ ବାନାର୍ଜୀଙ୍କ ଘର ଉପରେ ଆକ୍ରମଣ କରିଛନ୍ତି ବୋଲି କୁହଯାଉଛି । ଦୁର୍ବୃତ୍ତମାନେ ପ୍ରଥମେ ଅଭିଷେକଙ୍କ ବାସଭବନର କାନ୍ଥ ଓ ନାମ ଫଳକରେ କଳା ବୋଳିଥିଲେ । ଏଥିସହ ସେମାନେ ସାଂସଦ ଓ ମମତାଙ୍କ ବିରୋଧରେ ନାରାବାଜି କରିଥିଲେ । ଖାଲି ସେତିକି ନୁହେଁ, ଏଠାରେ ଥିବା ଟିଏମସି ଅଫିସ ଉପରେ ମଧ୍ୟ ଆକ୍ରମଣ ହୋଇଛି । ସେହିପରି ରାତି ପ୍ରାୟ ୧୧ଟା ବେଳେ ଦିଲ୍ଲୀର ଚାଣକ୍ୟପୁରୀରେ ଥିବା ବେଙ୍ଗଲ ଭବନ ଉପରକୁ ଦୁର୍ବୃତ୍ତମାନେ ପ୍ରବଳ ପଥର ମାଡ଼ କରିଛନ୍ତି । ଦିଲ୍ଲୀ ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ବିକ୍ଷୋଭକାରୀ ପ୍ରଥମେ ବେଙ୍ଗଲ ଭବନ ନିକଟରେ ପହଞ୍ଚି ସେଠାରେ କଳା ରଙ୍ଗ ବୋଳି ଥିଲେ ଓ ପଥର ମାଡ଼ କରିଥିଲେ । ଏହାପରେ ସମାନ ଗ୍ରୁପ୍ ଅଭିଷେକ ବାନାର୍ଜୀଙ୍କ ଘରର କାନ୍ଥରେ କଳା ବୋଳିଥିଲେ । ତେବେ ଏ ସମ୍ପର୍କରେ ଟିଏମସି ପକ୍ଷରୁ ଥାନାରେ କୌଣସି ପ୍ରକାରର ଅଭିଯୋଗ କରାଯାଇ ନାହିଁ ।

Leave A Reply

Your email address will not be published.