୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର

0 69

ପୁରୀ ୧୩।୧୨: ପୁରୀ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବା ନେଇ ଛତିଶା ନିଯୋଗର ସୁପାରିଶକୁ ସବୁ ସ୍ତରରେ ସ୍ବାଗତ କରାଯାଇଛି। ଖୁବ ଶୀଘ୍ର ସରକାର କୋଭିଡ଼ କଟକଣା ମଧ୍ୟରେ ମନ୍ଦିର ଖୋଲିବା ନିଷ୍ପତ୍ତି ନେବାକୁ ମତପ୍ରକାଶ ପାଇଛି। ତେବେ ୬୫ ବର୍ଷରୁ ଉର୍ଦ୍ଧ ବୟସର ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ ଥିବା କଟକଣା କୋହଳ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଶ୍ରଦ୍ଧାଳୁ। ସେହିପରି ରାଜ୍ୟର ଅନ୍ୟ ଭାଗର ମନ୍ଦିର ଖୋଲିବା ନେଇ ତୁରନ୍ତ ଘୋଷଣା କରିବାକୁ ମଧ୍ୟ ଦାବି ହୋଇଛି।

୨୩ ତାରିଖରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ । ଆରମ୍ଭ ହୋଇଛି ପ୍ରସ୍ତୁତି। ସିଂହଦ୍ବାର ଦେଇ ଭକ୍ତଙ୍କ ପ୍ରବେଶକୁ ଶୃଙ୍ଖଳିତ କରିବା ପାଇଁ ନୂଆ ବ୍ୟାରିକେଡ଼ କରାଯାଉଛି । ବନ୍ଦ ପଡ଼ିଥିବା ସାମିୟାନା ଓ ଛାଉଣୀକୁ ସଜଡ଼ା ଯାଉଛି। ୨୩ ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀର ଭକ୍ତଙ୍କୁ ପରୀକ୍ଷାମୂଳକ ଭାବେ ଦର୍ଶନ ସୁଯୋଗ ଦିଆଯିବ। ଏହା ପରେ ଅନ୍ୟ ଭକ୍ତଙ୍କ ପାଇଁ ଜାନୁଆରୀ ୩ ତାରିଖରୁ ଖୋଲିବ ମନ୍ଦିର। ମନ୍ଦିର ଖୋଲିବା ନେଇ ସବୁସ୍ତରରେ ସହମତି ରହିଥିବା ବେଳେ ବରିଷ୍ଠ ଭକ୍ତଙ୍କ ପାଇଁ ଥିବା ନିୟମକୁ କୋହଳ କରିବାକୁ ଦାବି ହେଉଛି। ୬୫ ବର୍ଷରୁ ଉର୍ଦ୍ଧ ବୟସର ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ଉପରେ ଲାଗୁ ହୋଇଥିବା କଟକଣା କୋହଳ କରିବାକୁ ଦାବି କରିଛନ୍ତି ଭକ୍ତ। ସେହିପରି ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ କରୋନା ନେଗେଟିଭ୍ ରିପୋର୍ଟ ଆଣିବା ଭକ୍ତଙ୍କ ପାଇଁ ମୁସ୍କିଲ ହେବ ବୋଲି ବଖାଣିଛନ୍ତି ବଡ଼ଦାଣ୍ଡକୁ ଆସିଥିବା ଭକ୍ତ।

୯ ମାସ ପରେ ଶ୍ରୀମନ୍ଦିର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ରାଜ୍ୟରେ ବନ୍ଦ ହୋଇ ପଡ଼ିଥିବା ଶହ ଶହ ମଠ ମନ୍ଦିର ଭକ୍ତଙ୍କ ପାଇଁ କେମିତି ଖୋଲିବ ସେନେଇ ଚିନ୍ତା ବି ବଢ଼ିବାରେ ଲାଗିଛି।  ଜିଲ୍ଲା ପ୍ରଶାସନ ଏନେଇ ନିଷ୍ପତ୍ତି ନେବ ବୋଲି ସରକାର କହିବା ଦେଢ଼ମାସ ବିତିଗଲାଣି। କିନ୍ତୁ କୌଣସି ଗୋଟିଏ ବି ସ୍ଥାନରେ ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣା ପଡ଼ିନାହିଁ। ସମ୍ବଲପୁରର ମା ସମଲେଶ୍ବରୀଙ୍କ ମନ୍ଦିର ହେଉ କି ଯାଜପୁରର ମା ବିରଜାଙ୍କ ମନ୍ଦିର କିମ୍ବା ଭୁବନେଶ୍ବର ଶ୍ରୀଲିଙ୍ଗରାଜଙ୍କ ମନ୍ଦିର। ରାଜ୍ୟର ଇତିହାସ ସହିତ ଓତଃପ୍ରୋତ ଭାବେ ଜଡ଼ିତ ଏମିତି ଶତାଧିକ ମନ୍ଦିର ବନ୍ଦ ପଡ଼ିଛି। ସରକାର ଏନେଇ ଶୀଘ୍ର ନିଷ୍ପତି ନେବାକୁ ବିଭିନ୍ନ ସ୍ତରରେ ଅନୁରୋଧ କରାଯାଇଛି।

Leave A Reply

Your email address will not be published.