ଦାନ ଟଙ୍କାରେ ନିର୍ମାଣ ହେବ ରାମ ମନ୍ଦିର

0 76

ଅଯୋଧ୍ୟା, ୧୭ ।୧୨: ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛି ବିଶ୍ୱ ହିନ୍ଦୁ ପରିଷଦ । ଦେଶରେ ହେବାକୁ ଥିବା ଏହି ଭବ୍ୟ ମନ୍ଦିରର ନିର୍ମାଣ ପାଇଁ ସମସ୍ତ ରାମ ଭକ୍ତଙ୍କ ଠାରୁ ଆର୍ଥିକ ସହଯୋଗ ନିଆଯିବ । ଆସନ୍ତା ୧୫ ଜାନୁଆରୀ ଅଥାର୍ତ ମକର ସଂକ୍ରାନ୍ତିରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ପୂରା ଦେଶବ୍ୟାପୀ ଏହି ଅଭିଯାନ ଜାରି ରହିବ ବୋଲି କହିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର ଉପସଭାପତି ତଥା ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମହାସଚିବ ଚମ୍ପତ ରାୟ । ସାମ୍ବାଦିକ ସମ୍ମିଳନୀ କରି ଚମ୍ପତ ରାୟ କହିଛନ୍ତି, ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ପାଇଁ ପ୍ରତ୍ୟେକ ରାମଭକ୍ତଙ୍କ ଠାରୁ ସହଯୋଗ ନିଆଯିବ । ଶ୍ରୀରାମଙ୍କର ଏହି ମନ୍ଦିର ନିର୍ମାଣ ପାଇଁ ଯେଉଁ କଷ୍ଟ କରିବାକୁ ପଡିଛି ତାହାର ଇତିହାସ ଲୋକଙ୍କ ପାଖରେ ପହଞ୍ଚାଯିବ । ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ଏହି ବାର୍ତ୍ତା ନେଇ ଦେଶର ୪ ଲକ୍ଷ ଗାଁରେ ପହଞ୍ଚିବେ । ଏହାସହ ୧୧ କୋଟି ପରିବାରକୁ ଭେଟିବା ସହ ପ୍ରାୟ ୫୦ କୋଟି ଲୋକଙ୍କୁ ଏହି ମନ୍ଦିରର ଇତିହାସ ବାବଦରେ ଅବଗତ କରାଇବେ କାର୍ଯ୍ୟକର୍ତ୍ତା । ସେହିଭଳି ଏହି ଅଭିଯାନରେ ରାମଭକ୍ତମାନେ ସ୍ୱଇଚ୍ଛାରେ ଆର୍ଥିକ ସହାୟତା ପ୍ରଦାନ କଲେ ସ୍ୱୀକାର କରାଯିବ । ଆଉ ଏଥିପାଇଁ ୧୦, ୧୦୦ ଓ ୧୦୦୦ ଟଙ୍କିଆ କୁପନ ଜାରି କରାଯିବ ଓ ଏହି କୁପନରେ ଦିବ୍ୟ ମନ୍ଦିରର ଚିତ୍ର ରହିବ । ତେଣୁ ଏହି କୁପନ ମାଧ୍ୟମରେ ଭବ୍ୟ ଶ୍ରୀରାମ ମନ୍ଦିରର ଚିତ୍ର ଅଧା ଭାରତରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ୪ କୋଟି ୧୦ ଟଙ୍କିଆ କୁପନ, ୮ କୋଟି ୧୦୦ ଟଙ୍କିଆ କୁପନ ଓ ୧୨ ଲକ୍ଷ ହଜାର ଟଙ୍କିଆ କୁପନ ଜାରି କରାଯିବ । ଭବ୍ୟ ଶ୍ରୀରାମ ମନ୍ଦିରର ନିର୍ମାଣ ଆଗାମୀ ୩ ବର୍ଷ ମଧ୍ୟରେ ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ମନ୍ଦିରର ଯେପରି ୧୦୦୦ ବର୍ଷ ଯାଏଁ କୌଣସି କ୍ଷତି ନହେବ ସେଥିପ୍ରତି ଯଥେଷ୍ଟ ଦୃଷ୍ଟି ଦିଆଯାଇଛି । ସବୁଠୁ ବଡ କଥା ହେଲା, ବିଶ୍ୱ ହିନ୍ଦୁ ପରିଷଦର ଏହି ଅଭିଯାନରେ ୩ରୁ ୪ ଲକ୍ଷ କାର୍ଯ୍ୟକର୍ତ୍ତା ସାମିଲ ହେବେ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ଠାରୁ ବ୍ୟକ୍ତିିଗତ ଭାବେ ଦାନ ଅର୍ଥ ଗ୍ରହଣ କରାଯିବ ।

Leave A Reply

Your email address will not be published.