ମଦରୁ ମହାଭାରତ ସୃଷ୍ଟି ନହେଉ!

0 60

ଧନ୍ୟ କହିବ ବନ୍ଧୁତାକୁ । ଆଜିର ଦୁନିଆର ବନ୍ଧୁତ୍ୱ ମଣିଷ ମଣିଷ ଭିତରେ ଆଉ ଥିବା ପରି ଲାଗୁନାହିଁ । ସାମାନ୍ୟ ମଦ ଟିକକ ପାଇଁ ମଣିଷ ମଣିଷକୁ ମାରିଦେବାକୁ ପଛାଉନାହିଁ । ବାହାଘରରେ ମଦ କଣ ନିହାତି ଦରକାର ? ବିବାହ ଉତ୍ସବରେ ମଦ ପିଇବା କଣ ଆମ ପରମ୍ପରା? ସମାଜର ମଦର ମୂଲ୍ୟ କଣ ଏତେ ଅଧିକା ? ମଦ ଆଗରେ କଣ ଜୀବନର ମାନେ ନାହିଁ ? ସମ୍ପର୍କର ମୂଲ୍ୟ କିଛି ନାହିଁ? ସବୁ ଖୁସି କଣ ମଦ ଦେଇଦିଏ ? ଏ ପ୍ରଶ୍ନ ସମସ୍ତେ ନିଜକୁ ଥରେ ନୁହେଁ ବାରମ୍ବାର ପଚାରିବା ଉଚିତ । ଉତ୍ତର ପ୍ରଦେଶରରେ ଏଭଳି ଏକ ଘଟଣା ଘଟିଛି ଯାହା ଜନମାନସକୁ ବିବ୍ରତ କରିପକାଇଛି । ମଦ ପାଇଁ ନବବିବାହିତ ବରଙ୍କୁ ଛୁରି ଭୂଷି ଲହୁଲୁହାଣ କରିବା ପରେ ମୃତ୍ୟୁମୁଖରେ ଶୁଆଇ ଦେଇଛନ୍ତି ତାଙ୍କର ନିର୍ଦ୍ଦୟ ବନ୍ଧୁ । କେବଳ ଉତ୍ତରପ୍ରଦେଶ ନୁହେଁ ଏଭଳି ଅନେକ ଘଟଣା ଦେଶରେ ପ୍ରତିଦିନ ଦେଖିବାକୁ ମିଳେ । ମଦ ପାଇଁ କେତେବେଳେ ପୁଅ ତା’ର ଜନ୍ମିତ ପିତାମାତାଙ୍କୁ ମାରିବାକୁ ପଛାଉ ନାହିଁ ତ ଆଉ କେତେବେଳେ ମଦ ନିଶାରେ ଚୁର୍ ହୋଇ ମଣିଷ ନିଜର ହିତାହିତ ଜ୍ଞାନ ଭୁଲି କଅଁଳ ବୟସର କିଶୋରୀଙ୍କୁ ବଳାକ୍ରାର କରିବାକୁ ପଛାଉ ନାହିଁ । ଆହୁରି ଏଭଳି ଅନେକ ଅପ୍ରୀତିକର ଘଟଣା ଆମ ସମାଜରେ କେବଳ ମଦ ପାଇଁ ଘଟିଚାଲିଛି । ମଦ ଯେ ବର୍ତ୍ତମାନ ସମାଜରେ ଏକ ମାରାତ୍ମକ ବ୍ୟାଧି ଭାବେ ଉଭା ହୋଇଛି ତାହା ଆଉ କାହାକୁ ଅଛପା ନାହିଁ । ଏଭଳି କିଛି ନିର୍ଦ୍ଦିଷ୍ଟ ଧରଣର ମଦୁଆ ଅଛନ୍ତି ଯେଉଁମାନେ କି ନିଜ ଘରେ ଚୁଲି ପଛେ ନଜଳୁ କିନ୍ତୁ ସୂର୍ଯ୍ୟ ଉଇଁଲେ ମଦଭାଟି ନିକଟରେ ହାଜର ହୋଇଯାଆନ୍ତି । ସମାଜରେ ବହୁଥର ବିଷାକ୍ତ ମଦମୃତ୍ୟୁ ମାମଲା ଘଟୁଥିଲେ ବି ତାହାର ପ୍ରଭାବ ଆଜିର ସମାଜରେ ସାମାନ୍ୟତମ ପ୍ରଭାବ ପକାଇବା ପରି ଦେଖାଯାଏ ନାହିଁ । ସମାଜରେ ଏଭଳି ସଂଗଠନ ଅଛନ୍ତି ଯେଉଁମାନେ କି ହାତରେ ପ୍ଲାକାର୍ଡ ଧରି ମଦ ବିରୋଧୀ ଆନ୍ଦୋଳନରେ ନିଜକୁ ସାମିଲ କରନ୍ତି । କିନ୍ତୁ ତା’ର ମାତ୍ର କିଛିକ୍ଷଣ ପରେ ପୁଣି ମଦ ପିଇବା ପାଇଁ ମଦ ଦୋକାନ ଆଗରେ ଲମ୍ବା ଲାଇନ୍ରେ ଠିଆ ହୋଇଥାନ୍ତି । ଧନ୍ୟ ଆମ ମାନସିକତା । ଅବଶ୍ୟ ଦେଶର କିଛି ରାଜ୍ୟରେ ମଦକୁ ସଂପୂର୍ଣ୍ଣ ବେଆଇନ୍ ଘୋଷିତ କରାଯାଇଛି । କିନ୍ତୁ ତା’ର ମାନେ ନୁହେଁ ଯେ ସେଠାରେ ଲୋକମାନେ ମଦ୍ୟପାନ କରୁନାହାନ୍ତି । ଲୁଚାଛପାରେ ଚାଲିଛି ମଦ ବେପାର । ବାହାଘର, ଯାନିଯାତ୍ରା, ମେଳା ମଉତ୍ସବ ସବୁଠି ମଦ ଯେମିତି ଆଗେ ଜରୁରୀ । ମଦ ନହେଲେ ଏସବୁର କିଛି ମାନେ ନାହିଁ ଲାଗୁଛି । ଆଜିକାଲି ମଦର ଆଉ ଏକ ଟ୍ରେଣ୍ଡ ଦେଖାଦେଲାଣି । ଅର୍ଥାତ ମଣିଷର ମୃତ୍ୟୁ ହେବା ପରେ ତା’ର ଶବ ଉଠାଇବାକୁ ଆସୁଥିବା ଲୋକମାନେ ଆଗେ ମଦ ବରାଦ କରନ୍ତି । ଥରେ ଚିନ୍ତା କରନ୍ତୁ ତ ଜଣେ ମଣିଷ ମୃତ୍ୟୁ ହେବା ପରେ ତା’ର ପରିବାରବର୍ଗ କେଉଁ ସ୍ଥିତିରେ ଥିବେ । କିନ୍ତୁ ସେଠାରେ ବି ଦାବି ହେଉଛି ମଦ । ମଦକୁ ନେଇ ମହିଳାମାନେ ଅନେକ ସମୟରେ ଉତ୍ତ୍ୟକ୍ତ ହୋଇ ମଦଭାଟି ଭାଙ୍ଗୁଥିବା ଓ ପୋଡ଼ାଜଳା କରୁଥିବା ଦୃଶ୍ୟମାନ ହେଉଥିଲେ ବି କିଛିଦିନ ପରେ ପୁଣି ସେହି ସ୍ଥାନରେ ମଦ ଦୋକାନ ଗଢ଼ି ଉଠିଛି । ଆଗକୁ ଆସୁଛି ବଡ଼ଦିନ ଓ ନୂଆବର୍ଷ । ଅବଶ୍ୟ ଏଥର କୋଭିଡ୍ କଟକଣା ଯୋଗୁଁ ଜିରୋ ନାଇଟ୍ ସେଲିବ୍ରେସନ୍ ହେବନି ବୋଲି ସରକାର ଘୋଷଣା କରିଛନ୍ତି । କିନ୍ତୁ ବାସ୍ତବରେ କିଛି ବ୍ୟକ୍ତି ଏବେଠୁ ବଡ଼ଦିନ ଓ ନୂଆବର୍ଷ ପାଇଁ ବିପୁଳ ପରିମାଣରେ ମଦ ଅର୍ଡର କରିସାରିଲେଣି ଓ ଆଉ କିଛି ମଦ ଷ୍ଟକ୍ ବି କରିସାଥିବା ଯାହା ଶୁଣିବାକୁ ମିଳୁଛି । ତେଣୁ ମଦ୍ୟପଙ୍କୁ ସାବାଡ଼ କରିବା ପାଇଁ ସରକାର କଠୋର ଆଇନ୍ ପ୍ରଣୟନ କରିବା ବର୍ତ୍ତମାନ ସମୟରେ ଅବଶ୍ୟମ୍ଭାବୀ ହୋଇପଡ଼ିଛି । ନଚେତ୍ ଆଗକୁ ଏହି ମଦରୁ ଯେ ମହାଭାରତ ସୃଷ୍ଟି ନହେବ ତାହା କିଏ କହିପାରିବ?

Leave A Reply

Your email address will not be published.