ଚାଷୀଙ୍କୁ ଅବହେଳା କେତେଦିନ?

0 46

ଦୀର୍ଘ ୨୭ଦିନ ହେଲା ଥଣ୍ଡା କାକରରେ ଦିଲ୍ଲୀ ସୀମାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ସେମାନେ ପାଳି କରି ଅନଶନ ମଧ୍ୟ ଆରମ୍ଭ କରିଛନ୍ତି । ପ୍ରବଳ ଥଣ୍ଡା ଯୋଗୁଁ ରାତିରେ ଘରୁ ନବାହାରିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଥିଲା ବେଳେ ଏହି ଅନ୍ନଦାତାମାନେ ରାଜରାସ୍ତାରେ ପଡ଼ି ରହିଛନ୍ତି କେବଳ ନିଜର ହକ୍ ପାଇଁ । ମୁଣ୍ଡଝାଳ ତୁଣ୍ଡରେ ମାରି ଆମକୁ ଅନ୍ନ ଯୋଗାଉଥିବା ଅନ୍ନଦାତା ଯଦି ଏଭଳି ଦୁର୍ବିସହ ଜୀବନଯାପନ କରେ ଏହାଠାରୁ ବିଡ଼ମ୍ବନା ଆଉ କ’ଣ ହୋଇପାରେ? ଦୀର୍ଘ ୨୭ଦିନ ପରେ ମଧ୍ୟ ବି ସରକାରଙ୍କ ଚେତା ପଶିଲା ପରି ଲାଗୁନାହିଁ । ସରକାର ଏବଂ ଚାଷୀ ଉଭୟ ନିଜ ନିଜ ଜିଦ୍ରେ ଅଟଳ ରହିଛନ୍ତି । ଗୋଟିଏ କଥା ମନକୁ ଆସେ ଯଦି ସରକାର କୃଷକଙ୍କ ହିତ ପାଇଁ ନୂଆ କୃଷିନୀତି ଆଣିଛନ୍ତି ତେବେ ଚାଷୀ କ’ଣ ଏହାକୁ ବୁଝିପାରୁ ନାହାନ୍ତି? ଚାଷୀ କ’ଣ ଏଡ଼େ ବୋକା ଯେ ନିଜର ହିତ ପାଇଁ ହୋଇଥିବା ଆଇନ୍କୁ ପାଦରେ ଠୁକୁରାଇଦେବେ? ଆଉ ଗୋଟେ କଥା ହେଲା ଯେତେବେଳେ ସରକାର ଏ ଆଇନ୍କୁ ସଂସଦରେ ଆଣିଲେ ସେତେବେଳେ ଅଧିକାଂଶ ରାଜନୈତିକ ଦଳ ଏହାକୁ ବିରୋଧ କରିଥିଲେ । ଏପରିକି ବିଜେଡି ସମେତ ଅନେକ ରାଜନୈତିକ ଦଳ ଏହାକୁ ଷ୍ଟାଣ୍ଡିଂ କମିଟିକୁ ପଠାଇବା ପାଇଁ ସୁପାରିଶ୍ କରିଥିଲେ । ଲୋକସଭାରେ ବିଲ୍ଟି ଗୃହୀତ ହେବା ବେଳେ ନିଜର ସବୁଠାରୁ ଅନ୍ତରଙ୍ଗ ସହଯୋଗୀ ଦଳ ଏନ୍ଡିଏର ହାତ ଛାଡ଼ିଥିଲା । ତାକୁ ମଧ୍ୟ କେନ୍ଦ୍ର ସରକାର ଅଣଦେଖା କରି ନିଜର ଶକ୍ତି ପ୍ରଦର୍ଶନ କରି ଉଭୟ ସଦନରେ ଏହି ବିଲ୍ଟିକୁ ପାସ୍ କରାଇବାରେ ସକ୍ଷମ ହୋଇଥିଲେ । ଏହାପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇବା ପରେ ଏହା ଆଇନ୍ରେ ପରିଣତ ହୋଇଗଲା । ସେତେବେଳେ ମଧ୍ୟ ପଞ୍ଜାବ ଏବଂ ହରିୟାନାରେ କୃଷକମାନେ ଏହି ଆଇନ୍କୁ ବିରୋଧ କରିଥିଲେ । କିନ୍ତୁ ସରକାର କାହା କଥା ନଶୁଣି ଜୋର୍ଜବରଦସ୍ତ ନିଜର ପରାକ୍ରମକୁ ଦେଖାଇବାକୁ ଭୁଲିନଥିଲେ । ଅନ୍ୟ ଉପାୟ ନପାଇ ଚାଷୀ ଗଣତାନ୍ତ୍ରିକ ପଦ୍ଧତିରେ ତା’ର ହକ୍ ପାଇଁ ଶୀତ କାକରରେ ଦୀର୍ଘ ୨୭ଦିନ ହେବ ଖୋଲା ଆକାଶ ତଳେ ପଡ଼ିରହିଛି । ଚାଷୀକୁ ଆହା ହେବା ତ ଦୂରର କଥା କେହି କେହି ଦଲାଲ ମଧ୍ୟ କହିବାକୁ ପଛାଇନାହାନ୍ତି । ଏହି ଆନ୍ଦୋଳନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଶାସକ ଦଳ ପକ୍ଷରୁ ବାରମ୍ବାର କୁହାଯାଉଛି । ଏହାଠାରୁ ବିଡ଼ମ୍ବନାର ବିଷୟ ଆଉ କ’ଣ ହୋଇପାରେ? ଯଦି ପ୍ରତ୍ୟେକଟି ଆଇନ୍ ଲୋକଙ୍କ ହିତ ପାଇଁ ତିଆରି ହୁଏ, ଯଦି ଏହା ଲୋକଙ୍କ ହିତ ବଦଳରେ ଅହିତ କରେ ତେବେ ସେ ଆଇନ୍କୁ ପ୍ରତ୍ୟାଖ୍ୟାନ କରିବାରେ ଅସୁବିଧା କେଉଁଠି? ବିଜେପି ପକ୍ଷରୁ ଚାଷୀମାନଙ୍କୁ ବୁଝାଇବା ପାଇଁ ପଦକ୍ଷେପ ନିଆଯାଇଛି । ଏଥିପାଇଁ ସଭାସମିତି କରି ଚାଷୀମାନଙ୍କୁ ବୁଝାଯିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି । ଜୟ ଯବାନ, ଜୟ କିଷାନର ସ୍ଳୋଗାନଟି ଏବେ ମୂଲ୍ୟହୀନ ହୋଇପଡ଼ିଛି । ନିଜର ପେଟପାଟଣା ପାଇଁ ଆନ୍ଦୋଳନ କରିଥିବା ଚାଷୀକୁ ଯେ ଏତେ କଷ୍ଟ ସହିବାକୁ ପଡ଼ିବ ଏବଂ ଏତେ କଷ୍ଟ ପରେ ମଧ୍ୟ ସରକାର ଉଦାସୀନତା ରହିବା ବାସ୍ତବପକ୍ଷେ ଗଣତନ୍ତ୍ର ପାଇଁ କେବେ ଶୁଭଙ୍କର ନୁହେଁ । ତେଣୁ ଆବ୍ରାହମ୍ ଲିଙ୍କନ୍ କହିଥିଲେ ଗଣତନ୍ତ୍ର ହେଉଛି ଲୋକଙ୍କ ପାଇଁ, ଲୋକଙ୍କ ଦ୍ୱାରା ଏବଂ ଲୋକଙ୍କର । ଯଦି ସରକାର ଚାଷୀଙ୍କ ନିକଟରେ ମଥାନତ କରି ଏହି ଆଇନ୍କୁ ତର୍ଜମା କରାଯାଏ ଏବଂ ଦରକାର ପଡ଼ିଲେ ଆଇନ୍କୁ ପ୍ରତ୍ୟାହାର କରିନିଅନ୍ତେ ତେବେ ଏହା ଦେଶ ପାଇଁ ହିତକର ସାବ୍ୟସ୍ତ ହୁଅନ୍ତା ।

Leave A Reply

Your email address will not be published.