ଗଜପତି ନାବାଳକ ଅପହରଣ ମାମଲାର ପର୍ଦ୍ଦାଫାଶ

0 71

ଛାତ୍ର ବିଜେଡି ସଭାପତି ମୁଖ୍ୟନାୟକ, ୮ଗିରଫ, କାର, ୫ବାଇକ ଓ ୨.୨୧ ଲକ୍ଷ ଜବତ

ପାରଳାଖେମୁଣ୍ଡି,୦୪ା୦୧: ଗତମାସ ୧୬ ତାରିଖରେ ଗଜପତି ଜିଲ୍ଲା କାଶୀନଗରର ଜଣେ ନାବାଳକ ଅପହରଣ ମାମଲାର ପର୍ଦ୍ଦାଫାଶ ହୋଇଛି । ପୋଲିସ ଏହି ଘଟଣାର ମୁଖ୍ୟନାୟକ ଛାତ୍ର ବିଜେଡି ସଭାପତିଙ୍କ ସମେତ ୮ଜଣଙ୍କୁ ଗିରଫ କରିଛି । ଅପହରଣରେ ମୁଣ୍ଡ ଜାମିନ ପାଇଁ ୫୦ ଲକ୍ଷ ଡିଲ୍ ହୋଇଥିଲା ।ହେଲେ ପ୍ରଥମ ଦଫାରେ ଅପହରଣକାରୀମାନେ ୭.୫ ଲକ୍ଷ ପାଇଥିଲେ । ପରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅପହୃତ ନାବାଳକକୁ ଉଦ୍ଧାର କରିଥିଲେ । ହେଲେ ଅପହରଣକାରୀମାନେ ପୋଲିସକୁ ଧରା ପଡିନଥିଲେ । ପୋଲିସ ବ୍ୟାପକ ଅନୁସନ୍ଧାନ କରି ଘଟଣାର ୨୦ ଦିନ ପରେ ପର୍ଦ୍ଦାଫାଶ କରିବା ସହ ଏହି ୮ ଜଣକୁ ଗିରଫ କରିଥିଲେ । ଗତକାଲି ସନ୍ଧ୍ୟାରେ ଦକ୍ଷିଣାଞ୍ଚଳ ଡିଅଇଜି ସତ୍ୟବ୍ରତ ଭୋଇଙ୍କ ଉପସ୍ଥିତିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ କାଶୀନଗର ଥାନାରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି, ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ କାଶୀନଗର ବଡମାମଲା ସାହିର କରମି ଚୈତନ୍ୟ(୧୯),ଏନଏସିସାହିର ଗୁନାପୁ କଲ୍ୟାଣ କୁମାର(୧୯),ମାମଲାସାହିର ଜଣେ(୦୬)ବର୍ଷୀୟ ନାବାଳକ,କୋଲା ଗ୍ରାମର ପ୍ରଶାନ୍ତ ଲିମ୍ମା(୨୬),ବିନୋଦ ଲିମ୍ମା(୨୨),ରବି ମାଛ(୨୨),ପୂର୍ଣଚନ୍ଦ୍ର ସୌରା(୨୦),ଓ ହରିପୁର ଗ୍ରାମର ଜାକବ ମିଶାଲ(୧୯) । ସେମାନଙ୍କ ନିକଟରୁ ୨ଲକ୍ଷ ୨୧ ହଜାର ଟଙ୍କା,ଗୋଟିଏ ଇଣ୍ଡିଗୋ କାର,୫ଟି ବାଇକ,୭ଟି ମୋବାଇଲ ଫୋନ୍ ଓ ଅଚେତ କରିବା ନିମନ୍ତେ ବ୍ୟବହୃତ ହେଉଥିବା ନିଶ୍ଚେତକ ୨ଟି ସ୍ପ୍ରେ ଜବତ ହୋଇଛି । ଗତ ମାସ ୧୬ ତାରିଖରେ କାଶୀନଗର ମୋନିଙ୍ଗି ସାହିର କାଜୁ ବ୍ୟବସାୟୀ ଜାମ୍ମି ଗୋପୀଙ୍କ ୭ବର୍ଷୀୟ ପୁତ୍ର ହାର୍ଦିକ୍କୁ ଏହି ୮ଜଣ ଅଚେତ କରିବା ନିଶ୍ଚେତକ ସ୍ପ୍ରେ ଦ୍ୱାରା ଅପହୃତ କରିଥିଲେ । ଏନେଇ ଜାମ୍ମି ଗୋପୀ କାଶୀନଗର ପୋଲିସ ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି କାଶୀନଗର ଥାନାରେ କେସ ନଂ-୧୨୨/୨୦୨୦ ଆଇ.ପି.ସି.୩୬୩ ଓ ୩୪ଦଫାରେ ମାମଲା ରୁଜୁ ହୋଇଥିଲା । ଅପହର୍ତ୍ତାଙ୍କୁ ଧରିବା ନିମନ୍ତେ ପୋଲିସର ୪ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ତେବେ ହାର୍ଦିକ ଗତ ୧୮ ତାରିଖ ଦିନ କାଶୀନଗର ଠାରୁ ପ୍ରାୟ ୩କି.ମି. ଦୂରରେ ଥିବା ଏକ ନିର୍ମାଣାଧୀନ କୋଠାର ଷ୍ଟକ ରୁମରୁ ଉଦ୍ଧାର ହୋଇଥିଲା । ଏନେଇ ୧୮ ତାରିଖ ଦିନ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ । କିନ୍ତୁ ପୋଲିସର ସ୍ୱତନ୍ତ୍ର ଟିମ ତଦନ୍ତ କଲା ବେଳେ ଜାଣିପାରିଲା ଯେ,ଅଭିଯୋଗକାରୀ କୌଣସି କାରଣରୁ କିଛି ତଥ୍ୟ ଲୁଚାଉଛନ୍ତି । ପରେ ପୋଲିସ କୌଶଳକ୍ରମେ ଅଭିଯୋଗକାରୀଙ୍କ ଠାରୁ ସବୁକିଛି ଗୋପନ ତଥ୍ୟ ଆଦାୟ କରିଥିଲେ । ଏହି ଅପହର୍ତ୍ତାମାନେ କାଜୁ ବ୍ୟବସାୟୀ ଗୋପୀଙ୍କୁ ତାଙ୍କ ନାବାଳକ ପୁଅକୁ ଛାଡିବା ନିମନ୍ତେ ହରିପୁର ଜଙ୍ଗଲକୁ ଡାକି ୫୦ ଲକ୍ଷ ଟଙ୍କା ଦାବି କରିଥିଲେ । ମୂଲଚାଲ ପରେ ପ୍ରଥମ ଦଫାରେ ୭ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଇଥିଲା । ପରେ କୌମସି ସୂତ୍ରରୁ ଖବର ପାଇ ନାବାଳକକୁ ପୋଲିସ ଉଦ୍ଧାର କରିଥିଲେ । ପରେ ସମସ୍ତ ଗୋପନୀୟ ତଥ୍ୟ ଦ୍ୱାରା କାଶୀନଗର ଥାନାଧିକାରୀ ସୁଶାନ୍ତ କୁମାର ସାହୁ ଓ ପାରଳାଖେମୁଣ୍ଡି ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ ଏବଂ ତାଙ୍କ ଟିମ ଘଟଣାର ତଦନ୍ତ କରି ଅପହରଣ ଘଟଣାରେ ସମ୍ପୃକ୍ତ ୮ ଜଣଙ୍କୁ କାଶୀନଗର ଓ ଏହାର ଆଖପାଖ ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଥିଲେ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ କାଶୀନଗର ଛାତ୍ର ବିଜେଡି ସଭାପତି କରମି ଚୈତନ୍ୟ ମୁଖ୍ୟନାୟକ । ଅପହରଣର ସମସ୍ତ ଷଡଯନ୍ତ୍ରକୁ ନିଜେ ଚୈତନ୍ୟ ହିଁ ରଚିଥିଲେ ।

Leave A Reply

Your email address will not be published.