ଚାଇନା ପରେ ଭାରତ ଠାରୁ ଚାଉଳ କିଣିଲା ଭିଏତନାମ

0 70

ମୁମ୍ବାଇ,୫ ।୧: ଦୁନିଆର ତୃତୀୟ ବଡ଼ ଚାଉଳ ଉତ୍ପାଦନକାରୀ ରାଷ୍ଟ୍ର ଭିଏତନାମ ଏବେ ଭାରତରେ ଶରଣ ପଶିଛି । ପ୍ରଥମଥର ପାଇଁ ଭିଏତନାମ ତା’ର ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଠାରୁ ଚାଉଳ କିଣିଛି । ଭିଏତନାମରେ ଚାଉଳ ଉତ୍ପାଦନ କ୍ରମାଗତ ହ୍ରାସ ପାଉଛି । ଏହି କାରଣରୁ ନିଜ ଦେଶର ଲୋକଙ୍କ ଭୋକ ମେଣ୍ଟାଇବାକୁ ଭିଏତନାମ ଏବେ ଭାରତ ସହ ଚାଉଳ କିଣିବାକୁ ଡିଲ କରିଛି । ଭିଏତନାମରେ କେବଳ ବିପୁଳ ପରିମାଣର ଚାଉଳ ଉତ୍ପାଦନ ହୁଏନାହିଁ, ବରଂ ଚାଉଳ ଜାତୀୟ ଖାଦ୍ୟ ସାମଗ୍ରୀର ଚାହିଦା ମଧ୍ୟ ଅଧିକ ରହିଛି । ଏଠାରେ ମୁଖ୍ୟ ଖାଦ୍ୟ ହେଉଛି ଭାତ । ରୟଟର୍ସରେ ପ୍ରକାଶିତ ଖବର ଅନୁଯାୟୀ, ଦିନକୁ ଦିନ ଭିଏତନାମରେ ଧାନ ଉତ୍ପାଦନ ହ୍ରାସ ପାଉଛି । ୨୦୨୦ରେ ଭିଏତନାମରେ ମୋଟ ଧାନ ଉତ୍ପାଦନ ୧.୮୫% ହ୍ରାସ ପାଇ ୪୨.୬୯ ମିଲୟନ ଟନ୍ ରହିଛି । ଏହାର ଅର୍ଥ ଏହି ଧାନରୁ ମୋଟ ୨୧.୩୫ ମିଲିୟନ ଟନ୍ ଚାଉଳ ଉତ୍ପାଦନ ହୋଇପାରିବ । ଦେଶର ଚାଉଳ ରପ୍ତାନ ମଧ୍ୟ ୩.୫% ହ୍ରାସ ପାଇ ୬.୧୫ ମିଲିୟନ ଟନ୍ ରହିପାରେ ବୋଲି ଆକଳନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଭିଏତନାମ ଏବେ ଭାରତ ଠାରୁ ୭୦ ହଜାର ଟନ୍ ଚାଉଳ କିଣିବାକୁ ନିଷ୍ପତ୍ତି ନେଇଛି । ଏହି ୭୦ ହଜାର ଟନ୍ ଚାଉଳ ଜାନୁଆରୀ ଓ ଫେବୃଆରୀ ମାସରେ ଭିଏତନାମକୁ ଦିଆଯିବ । ପ୍ରତି ଟନ୍ ବାବଦରେ ଭାରତୀୟ ଚାଉଳ ରପ୍ତାନୀକାରୀ କମ୍ପାନୀକୁ ପ୍ରାୟ ୩୧୦ ଡଲାର ମିଳିବ । ଏହାକୁ ଯଦି ଆମେ ଟଙ୍କାରେ ରୂପାନ୍ତର କରିବା, ତା’ହେଲେ ପ୍ରତି ଚାଉଳର କେଜି ପିଛା ଦର ୨୨ ଟଙ୍କା ରହିବ । ଅନ୍ୟପକ୍ଷରେ ଏସିଆ ମହାଦେଶରେ ଚାଉଳ ଉତ୍ପାଦନ କମୁଥିବାରୁ ୨୦୨୧ ବର୍ଷ ଏହାର ଦାମ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି । ସେହିପରି ଚାଉଳ ଉପରେ ନିର୍ଭର କରୁଥିବା ଥାଇଲ୍ୟାଣ୍ଡ ଓ ଭିଏତନାମ ଭଳି ଦେଶଗୁଡ଼ିକ ମଧ୍ୟ ଚାଉଳ ପାଇଁ ଆଗାମୀ ଦିନରେ ଭାରତ ଉପରେ ଅଧିକ ନିର୍ଭର କରିପାରନ୍ତି । ଚାଉଳ ରପ୍ତାନକାରୀ ଆସୋସିଏସନ ସଭାପତି ବିଭି କ୍ରିଷ୍ଣା ରାଓ କହିଛନ୍ତି, ପ୍ରଥମଥର ପାଇଁ ଆମେ ଭିଏତନାମକୁ ଚାଉଳ ରପ୍ତାନୀ କରୁଛୁ । ଭାରତୀୟ ବଜାରରେ ଚାଉଳର ଦାମ ସମସ୍ତଙ୍କୁ ଆକର୍ଷିତ କରୁଛି । ଖାସ୍ ସେଥିପାଇଁ ଚାଉଳର ରପ୍ତାନୀ ହୋଇପାରୁଛି ବୋଲି ସେ କହିଛନ୍ତି । କରୋନା ଭାଇରସକୁ ଦୃଷ୍ଟିରେ ରଖି ଭିଏତନାମ ୨୭୦,୦୦୦ ଟନ୍ ଚାଉଳ ଗଚ୍ଛିତ କରି ରଖିବ ବୋଲି ଘୋଷଣା କରିଥିଲା । ଏବେ ଭିଏତନାମ ଚାଉଳ କିଣିବାକୁ ନିଷ୍ପତ୍ତି ନେଇଥିଲେ ହେଁ ସେଠାକାର ବ୍ୟବସାୟୀମାନେ ଅଲଗା କଥା କହିଛନ୍ତି । ହୋ ଚି ମିନହ ସିଟିର ଜଣେ ଚାଉଳ ବ୍ୟବସାୟୀ କହିଛନ୍ତି, ଭାରତ ଠାରୁ ଆସିଥିବା ଚାଉଳ ଗୁଡ଼ିକୁ ୨୦୧୬-୨୦୧୭ ଠାରୁ ଭିଏତନାମ ସରକାର ଶୀତଳ ଭଣ୍ଡାରରେ ରଖିଥିଲେ । ଏହାର ଗୁଣବତ୍ତା ଠିକ ନଥିବାରୁ ଦାମ ମଧ୍ୟ କମ ରହିଛି ।

Leave A Reply

Your email address will not be published.