ଭାରତ-ଜାପାନ୍ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ଅନୁମୋଦନ

0 72

ନୂଆଦିଲ୍ଲୀ, ୬ ।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଭାରତ ଓ ଜାପାନ୍ ମଧ୍ୟରେ ଏକ ବୁଝାମଣା ସହଯୋଗ ପତ୍ର ସ୍ୱାକ୍ଷରକୁ ଅନୁମୋଦନ କରାଯାଇଛି । ସ୍ୱତନ୍ତ୍ର କୁଶଳୀ ଶ୍ରମିକମାନଙ୍କ ସମ୍ବନ୍ଧୀୟ ବ୍ୟବସ୍ଥାର ଉପଯୁକ୍ତ କାର୍ଯ୍ୟକାରିତା ପାଇଁ ଏକ ମୌଳିକ ଭାଗିଦାରୀ ଢାଞ୍ଚା ସ୍ଥାପନ ଲାଗି ଦୁଇ ଦେଶ ଏହି ବୁଝାମଣା ସହଯୋଗ ପତ୍ର ସ୍ୱାକ୍ଷର କରିଛନ୍ତି । ଏହି ବୁଝାମଣା ସହଯୋଗ ପତ୍ର ଏ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଭାଗିଦାରୀ ସହଯୋଗ ସ୍ଥାପନ ପାଇଁ ଏକ ଅନୁଷ୍ଠାନଗତ ବ୍ୟବସ୍ଥା ଲାଗି ଭିତ୍ତିଭୂମି ଯୋଗାଇବ । ଏହା ଅନୁଯାୟୀ ଜାପାନୀ ଭାଷା ଜାଣିଥିବା ଭାରତର କୁଶଳୀ ଶ୍ରମିକମାନଙ୍କୁ ଜାପାନ୍କୁ ପଠାଇବା କାର୍ଯ୍ୟ ସହଜ ହେବ । ସେହିଭଳି ଶ୍ରମିକମାନେ ଜାପାନ୍ର ୧୪ଟି ନିର୍ଦ୍ଦିଷ୍ଟ କ୍ଷେତ୍ରରେ କାର୍ଯ୍ୟ କରିପାରିବେ । ସେହି କୁଶଳୀ ଶ୍ରମିକମାନଙ୍କୁ ଜାପାନ୍ ସରକାର ସ୍ୱତନ୍ତ୍ର କୁଶଳୀ ଶ୍ରମିକର ମର୍ଯ୍ୟାଦା ପ୍ରଦାନ କରିବେ । ଏହି ବୁଝାମଣା ସହଯୋଗପତ୍ର ଜନସମ୍ପର୍କ ବୃଦ୍ଧି କରିବା ସହିତ ଦୁଇ ଦେଶ ମଧ୍ୟରେ କୁଶଳୀ ପେସାଦାର ମାନଙ୍କର ଆଦାନ ପ୍ରଦାନକୁ ସରଳ କରିବ । ନର୍ସିଂ, କୋଠାବାଡ଼ି ସଫା, ସାମଗ୍ରୀ ପ୍ରକ୍ରିୟାକରଣ ଶିଳ୍ପ, ଶିଳ୍ପ ଯନ୍ତ୍ରାଂଶ ଉତ୍ପାଦନ ଉଦ୍ୟୋଗ, ଇଲେକ୍ଟ୍ରିକ୍ ଓ ଇଲେକ୍ଟ୍ରୋନିକ ସୂଚନା ସମ୍ୱନ୍ଧୀୟ ଶିଳ୍ପ, ନିର୍ମାଣ କ୍ଷେତ୍ର, ଜାହାଜ ନିର୍ମାଣ ଓ ଜାହାଜ ସମ୍ବନ୍ଧୀୟ ଶିଳ୍ପ, ଅଟୋମୋବାଇଲ୍ ମରାମତି, ବେସାମରିକ ବିମାନ ଚଳାଚଳ, ଲଜିଂ, କୃଷି, ମତ୍ସ୍ୟପାଳନ, ଖାଦ୍ୟ ଓ ପାନୀୟ ଉତ୍ପାଦନ ଶିଳ୍ପ ଏବଂ ଖାଦ୍ୟ ସେବା ଉଦ୍ୟୋଗ ଭଳି କ୍ଷେତ୍ରଗୁଡ଼ିକରେ ଭାରତର ଏହି ଶ୍ରମିକମାନେ କାର୍ଯ୍ୟ କରିପାରିବେ ।

Leave A Reply

Your email address will not be published.