ଆରୋଗ୍ୟ ସଂଖ୍ୟା ୧ କୋଟି ଟପିଲା

0 64

ନୂଆଦିଲ୍ଲୀ, ୭ ।୧: ଦେଶରେ ୧ କୋଟିରୁ ଊଦ୍ଧ୍ୱର୍ ଲୋକ କୋଭିଡ୍ରୁ ଆରୋଗ୍ୟ ଲାଭ କରିବା ସହ ଭାରତ କୋଭିଡ୍ ମୁକାବିଲାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ସ୍ତମ୍ଭ ଅତିକ୍ରମ କରିଛି । ବର୍ତ୍ତମାନ ସୁଦ୍ଧା କୋଭିଡ୍ରୁ ଆରୋଗ୍ୟ ହୋଇଥିବା ଲୋକମାନଙ୍କ ସଂଖ୍ୟା ଗୁରୁବାର ୧ କୋଟି ୧୬ ହଜାରକୁ ଅତିକ୍ରମ କରିଯାଇଛି । ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟା ମଧ୍ୟ ୨୫ ହଜାରରୁ ନିମ୍ନରେ ରହିଛି । ମାତ୍ର ୨୦ ହଜାର ୩୪୬ ଜଣ ଲୋକ ଗତ ୨୪ ଘଣ୍ଟା ଭିତରେ ସଂକ୍ରମିତ ହୋଇଥିବାର ରିପୋର୍ଟ ମିଳିଛି । ଦେଶରେ ଆରୋଗ୍ୟ ହୋଇଥିବା ଲୋକ ଓ ଚିକିତ୍ସିତ ହେଉଥିବା ଲୋକମାନଙ୍କ ମଧ୍ୟରେ ତାରତମ୍ୟ ଆହୁରି ବୃଦ୍ଧି ପାଇ ଆରୋଗ୍ୟ ଲୋକଙ୍କ ସଂଖ୍ୟା ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟାର ୪୪ ଗୁଣ ଅଧିକ ରହିଛି । ଦେଶରେ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୨୮ ହଜାର ରହିଛି, ଯାହା ମୋଟ୍ ସଂକ୍ରମଣର ୨.୧୯% । ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ନିଜ ନିଜ ଘରେ ଆସୋଲେସନରେ ଅଛନ୍ତି । ସେହି ଲୋକମାନଙ୍କ ମଧ୍ୟରେ କରୋନା ଲକ୍ଷଣ ସ୍ୱଳ୍ପରୁ ମଧ୍ୟମ ଥିବାର ରିପୋର୍ଟ ମିଳିଛି । ଜାତୀୟ କୋଭିଡ୍ ଆରୋଗ୍ୟ ହାର କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଥିବା ସହ ଏହା ବର୍ତ୍ତମାନ ୯୬.୩୬ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୫୮୭ରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶବ୍ୟାପୀ ସ୍ୱାସ୍ଥ୍ୟ ମୌଳିକଢାଞ୍ଚାର ବିକାଶ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନିୟମର କଡ଼ାକଡ଼ି ପାଳନ ଓ ଡାକ୍ତର, ଚିକିତ୍ସା ସହାୟକ କର୍ମୀ ଏବଂ କୋଭିଡ୍ ସ୍ୱେ୍ୱଚ୍ଛାସେବୀମାନଙ୍କ ଅକ୍ଳାନ୍ତ ଉଦ୍ୟମ ଯୋଗୁଁ ଦେଶରେ ମୋଟ୍ ଆରୋଗ୍ୟ ହାର କ୍ରମାନ୍ୱୟରେ ବୃଦ୍ଧି ପାଇଚାଲିଛି । ଏହାଯୋଗୁଁ ମୃତ୍ୟୁହାର ହ୍ରାସ ପାଇ ୧.୪୫ ଭାଗ ମଧ୍ୟରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୨୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ସେହିପରି ଗତ ୨୪ ଘଣ୍ଟା ଭିତରେ ୯ ଲକ୍ଷ ୩୭ ହଜାର କୋଭିଡ୍ ନମୁନା ପରୀକ୍ଷା କରାଯାଇଛି । ଏଥିସହିତ ଏପର୍ଯ୍ୟନ୍ତ ମୋଟ୍ ୧୭ କୋଟି ୮୪ ଲକ୍ଷ ନମୁନା ପରୀକ୍ଷା କରାଯାଇଛି । ଅଧିକ ନମୁନା ପରୀକ୍ଷା ପାଇଁ ଉଭୟ କେନ୍ଦ୍ର ସରକାର ଓ ଆଇସିଏମ୍ଆର୍ ଦେଶରେ ଗବେଷଣାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଁ ପଦକ୍ଷେପ ନେଉଛନ୍ତି । ଭାରତରେ ଦୈନିକ ୧୫ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯିବାର କ୍ଷମତା ହାସଲ କରାଯାଇଛି । ମନ୍ତ୍ରଣାଳୟ କହିଛି, ଅଧିକ ନମୁନା ପରୀକ୍ଷା ଯୋଗୁଁ ସଂକ୍ରମିତ ବ୍ୟକ୍ତିମାନଙ୍କର ଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କୁ ପୃଥକ୍ କରି ରଖାଯାଉଛି ଓ ଶୀଘ୍ର ଚିକିତ୍ସା ମଧ୍ୟ କରାଯାଉଛି । ଏହାଯୋଗୁଁ ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇବା ସହ ଏହା ୨.୩୦ % ରହିଛି । ଦେଶରେ ମୋଟ୍ ୨ ହଜାର ୩୦୫ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି । ସେଗୁଡ଼ିକ ମଧ୍ୟରେ ୧ ହଜାର ୨୦୨ଟି ସରକାରୀ ପରୀକ୍ଷାଗାର ଓ ୧ ହଜାର ୧୦୩ଟି ବେସରକାରୀ ପରୀକ୍ଷାଗାର ରହିଛି ।

Leave A Reply

Your email address will not be published.