ଚୀନକୁ ଘେରିବା ପାଇଁ ଚକ୍ରବ୍ୟୁହ ପ୍ରସ୍ତୁତ

0 76

ଟୋକିଓ, ୭ ।୧: ଦକ୍ଷିଣ ଚୀନ ସାଗରରେ ଚୀନର ବଢୁଥିବା ଦାଦାଗିରି ଉପରେ ଲଗାମ ଲଗାଇବା ପାଇଁ ଆମେରିକା ଓ ଜାପାନ ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି । ସମୁଦ୍ରରେ ଚୀନର ପ୍ରତିଟି ଚାଲ୍କୁ ମାତ୍ ଦେବା ଲାଗି ଆମେରିକା ଓ ଜାପାନ, ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ ଏବଂ ଇଟାଲୀ ପରି ଶକ୍ତିଶାଳୀ ଦେଶକୁ ଦକ୍ଷିଣ ଚୀନ ସାଗରରେ ଆମନ୍ତ୍ରିତ କରିଛନ୍ତି । ଅନ୍ୟପଟେ ଚୀନ ଦ୍ରୁତ ଗତିରେ ନିଜ ସେନାର ଆଧୁନିକିକରଣ କରିବାରେ ଜୁଟି ଯାଇଛି । ଯାହା ଜରିଆରେ ସେ ନିଜର ସମୁଦ୍ର କ୍ଷେତ୍ର ଏବଂ କ୍ଷେତ୍ରୀୟ ମହତ୍ୱକାଂକ୍ଷାକୁ ପୂରା କରିବାକୁ ଚାହୁଁଛି । ୨୦୨୧ରେ ୟୁରୋପୀୟ ଦେଶ ନିଜର ସାମରିକ ରଣନୀତିରେ ବ୍ୟାପକ ଭାବେ ଭାରତ-ପ୍ରଶାନ୍ତ ମହାସାରଗରୀୟ ଅଞ୍ଚଳକୁ ପ୍ରାଥମିକତା ଦେଉଛନ୍ତି । ଏହି କାରଣରୁ ଆଗାମୀ କିଛି ମାସରେ ବ୍ରିଟେନ୍ ବିମାନବାହକ ଯୁଦ୍ଧପୋତ କ୍ୱିନ ଏଲିଜାବେଥ ଓ ଏହାର ଷ୍ଟ୍ରାଇକ୍ ଗ୍ରୁପକୁ ପୂର୍ବ ଏସିଆରେ ମୁତୟନ କରିବ । ଅପରପକ୍ଷେ ଫ୍ରାନ୍ସ ଜାପାନ ସହିତ ନିଜର ନୌସୈନିକ ଯୁଦ୍ଧଜାହାଜ ପଠାଉଥିବା ବେଳେ ଜର୍ମାନୀ ମଧ୍ୟ ଏକ ଫ୍ରିଗେଟ୍ ପଠାଇବାକୁ ନିଷ୍ପତ୍ତି ନେଇଛି । ଚୀନ ଉପରେ ଲଗାମ ଲଗାଇବା ପାଇଁ ଆମେରିକା ଓ ଜାପାନ ୟୁରୋପୀୟ ଦେଶଗୁଡିକ ସହିତ ହାତ ମିଳାଇବାକୁ ଚାହୁଁଛନ୍ତି । ଜାପାନ ପ୍ରତିରକ୍ଷା ମନ୍ତ୍ରୀ ନୋବୁଓ କିଶି ଡିସେମ୍ବର ୧୫ରେ ନିଜର ଜର୍ମାନୀ ସମକକ୍ଷ ଏନଗ୍ରେଟ୍ କ୍ୟାମ୍ପ କର୍ବେନବାୟରଙ୍କ ସହିତ ଏକ ଅନଲାଇନ ବୈଠକରେ କହିଥିଲେ ଯେ ଜାପାନ ୟୁରୋପୀୟ ଦେଶସହିତ ପ୍ରତିରକ୍ଷା ସହଯୋଗକୁ ଆହୁରି ବ୍ୟାପକ ଏବଂ ବିକଶିତ କରିବାକୁ ଚାହୁଁଛି । ଏହାର ଜବାବରେ କ୍ୟାମ୍ପ କର୍ବେନବାୟର କହିଥିଲେ ଯେ, ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଯାହା ବି କିଛି ଘଟେ ସେଥିରେ ଜର୍ମାନୀ ଓ ୟରୋପ ମଧ୍ୟ ପ୍ରଭାବିତ ହୁଏ । ଆମେ ଭାରତ-ପ୍ରଶାନ୍ତ ମହାସାଗରରେ ନିୟମ ଆଧାରିତ ନୌପରିବହନର ସୁରକ୍ଷାରେ ସହଯୋଗ କରିବାକୁ ଚାହୁଁଛୁ । ଦକ୍ଷିଣ ଚୀନ ସାଗର ଏବଂ ପୂର୍ବ ଚୀନ ସାଗରରେ ଚୀନ ନିଜର ସୈନିକ ଗତିବିଧି ଲଗାତାର ବଢାଇବାରେ ଲାଗିଛି । ଏଥିସହ ଦୁଇ ସାଗରରେ ସ୍ଥିତ ଅନେକ ନିର୍ଜନ ଦ୍ୱୀପରେ ନିଜର ସୈନ୍ୟ ଆ‡ା ସ୍ଥାପନ କରି ସାରିଛି । ଚୀନର ଏହି ବିସ୍ତାରବାଦୀ ନୀତି କାରଣରୁ ବ୍ରୁନେଇ, ମାଲେସିଆ, ଫିଲିପାଇନ୍ସ, ତାଇୱାନ ଓ ଭିଏତନାମ ସହିତ ତାର ବିବାଦ ରହିଛି ।

Leave A Reply

Your email address will not be published.