ଭେଜାଲରେ ପେଶିହେଲେଣି

0 69

ସୁସ୍ଥ ଜୀବନ ପାଇଁ ସୁଷମ ଖାଦ୍ୟ ଏକାନ୍ତ ଆବଶ୍ୟକ । କିନ୍ତୁ ଆମେ ଯେଉଁ ଖାଦ୍ୟ ଖାଉଛେ ତାହା କେତେଦୂର ଆମ ସ୍ୱାସ୍ଥ୍ୟ ପାଇଁ ହିତକର ଏବେ ଏହି ପ୍ରଶ୍ନ ଆମ ସମସ୍ତଙ୍କ ମନରେ ଉଙ୍କି ମାରିଲାଣି । କାରଣ ସାରା ରାଜ୍ୟରେ ଖାଦ୍ୟ ଅପମିଶ୍ରଣ ଚାଲିଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆସିବା ସ୍ୱାଭାବିକ । ସବୁ ସାମଗ୍ରୀର ନକଲି ବ୍ରାଣ୍ଡ ଏବେ ଅସଲି ପ୍ୟାକିଂରେ ଆସୁଥିବାରୁ ଲୋକେ କେଉଁଟା ଅସଲି ଆଉ କେଉଁଟା ନକଲି ତାହା ଜାଣିବା କଷ୍ଟକର ହୋଇପଡ଼ୁଛି । ଏବେ କଟକରେ ନକଲି ପନିର୍, ଟମାଟୋ ସସ୍, ଚା’ ପତି, ଅପମିଶ୍ରିତ ତେଲ, ଦୁଗ୍ଧ ପାଉଡର କାରଖାନା ଠାବ ହେବା ପରେ ସମସ୍ତଙ୍କ ମନରେ ଛନକା ପଶିଛି । ଆମେ ଯାହା ଖାଉଛେ ତାହା ଠିକ୍ ତ? ଏହି ଖାଦ୍ୟ ଆମ ସ୍ୱାସ୍ଥ୍ୟ ଉପରେ କୌଣସି ଖରାପ ପ୍ରଭାବ ପକାଇବନି ତ? ତେବେ ବିଚରା ଲୋକେ କ’ଣ କରିବେ? ଅସହାୟ ହୋଇ କେବଳ ଯାହା ମିଳୁଛି ତାହା ଖାଉଛନ୍ତି । ଯାହାକୁ ଭରସା କରିଥିଲେ ସେମାନେ ତ ହାତବାନ୍ଧି ବସିଛନ୍ତି । ଅପମିଶ୍ରଣ ରୋକିବା ପାଇଁ ଖାଦ୍ୟ ନିରାପତ୍ତା ବିଭାଗ ଖୋଲାଯାଇଛି । ଅବଶ୍ୟ ବେଳେ ବେଳେ ଚଢ଼ାଉ ହେଉଥିବା ଦେଖିବାକୁ ମିଳିଛି । କିନ୍ତୁ ଏହା ଲୋକଙ୍କୁ ଆଶ୍ୱସ୍ତ କରିବା ପରିବର୍ତ୍ତେ ଏହା ଧର୍ମକୁ ଆଖିଠାର ବୋଲି ଲୋକେ କହୁଛନ୍ତି । ଗୋଟିଏ ଗୋଟିଏ ଦିନରେ ଏହି କାରଖାନା ଗଢ଼ିଉଠିନି କି ଗୋଟିଏ ଦିନରେ ଏହି ଅପମିଶ୍ରଣ ହୋଇନି । ବେଧଡ଼କ ଭାବେ ବର୍ଷ ବର୍ଷ ଭାବେ ଏହି କାଣ୍ଡକାରଖାନା ଚାଲିଛି । ଆଇନର ଆଖିରେ ଆଙ୍ଗୁଠି ଗେଞ୍ଜି ଏବଂ ଆଇନର ଫାଙ୍କ ଦେଇ ଅନେକ ଦିନ ହେଲା ଏମାନେ ଲୋକଙ୍କୁ ବେଧଡ଼କ ଭାବେ ଜହର ବିକି ଚାଲିଛନ୍ତି । ଅପମିଶ୍ରିତ ଖାଦ୍ୟସାମଗ୍ରୀ ଧରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ରାଜ୍ୟ ନିରାପତ୍ତା କମିଶନ ରହିଛି । କିନ୍ତୁ ଏହି ଅଧିକାରୀମାନେ କର୍ମଚାରୀଙ୍କ ଅଭାବ ଦର୍ଶାଇ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାରେ ଲାଗିଛନ୍ତି । ଅବଶ୍ୟ ଯେତିକି କର୍ମଚାରୀ ରହିବା କଥା ସେତିକି ନାହାନ୍ତି । ଏହାର ସୁଯୋଗ ମଧ୍ୟ ଅପମିଶ୍ରଣକାରୀମାନେ ନେଇ ଲୋକଙ୍କ ଜୀବନ ସହ ଖେଳିବାକୁ ପଛାଉ ନାହାନ୍ତି । ୨୦୦୭ରେ ବଲାଙ୍ଗୀର-କଣ୍ଟାବାଞ୍ଝିରେ ବହୁଚର୍ଚ୍ଚିତ ନକଲି ଔଷଧ, ୨୦୦୯ରେ ନକଲି ସାମ୍ପୁ, ଫେସ୍ୱାଶ୍ ପରି ପ୍ରଶାସନ ସାମଗ୍ରୀ ଧରାପଡ଼ିବା ପରେ ସାରା ରାଜ୍ୟରେ ଏହା ହଇଚଇ ସୃଷ୍ଟି ହୋଇଥିଲା । କିନ୍ତୁ ଏବେ କଟକରେ ଡାଲି, ତେଲ, ସେୟା ବଡ଼ି, ସସ୍ ଏପରିକି ପନିର୍ ମଧ୍ୟ ଭେଜାଲ୍ ହେଉଥିବା ଜାଣିବାକୁ ମିଳିବା ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଖାଲି କଟକ ନୁହେଁ ଭୁବନେଶ୍ୱର ଚନ୍ଦକା ଶିଳ୍ପାଞ୍ଚଳରୁ ନକଲି ପାଣି ପ୍ରସ୍ତୁତକାରୀ କମ୍ପାନୀ ମଧ୍ୟ ଠାବ ହୋଇଥିଲା । ପାଣି ଠାରୁ ଆରମ୍ଭ କରି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀକୁ ଏମାନେ ଭେଜାଲ୍ କରିବାକୁ ପଛାଉ ନାହାନ୍ତି । ଏହି ନକଲି ଭେଜାଲ୍ ଖାଦ୍ୟ ସାମଗ୍ରୀ ଖାଇ ଅନେକ ଲୋକ ଭୟଙ୍କର ରୋଗରେ ପଡ଼ୁଥିବା ଦୃଷ୍ଟିଗୋଚର ରହିଛି । ଅନ୍ୟପକ୍ଷରେ ଖାଦ୍ୟ ନିରାପତ୍ତା ବିଭାଗର କାର୍ଯ୍ୟକାରିତା ଉପରେ ଏବେ ଲୋକେ ପ୍ରଶ୍ନ ଉଠାଇଲେଣି । କର୍ମଚାରୀ ଅଭାବ କହି ନିଜ ଦାୟିତ୍ୱରୁ ହଟିଯିବାକୁ ଲୋକେ ନାପସନ୍ଦ କରିଛନ୍ତି । କମ୍ କର୍ମଚାରୀ ଥିବାରୁ ଚଢ଼ାଉ ହୋଇପାରୁ ନାହିଁ ବୋଲି ବିଭାଗ ପକ୍ଷରୁ ସଫେଇ ଦିଆଯାଇଛି ଯାହା ସାଧାରଣରେ ଗ୍ରହଣଯୋଗ୍ୟ ନୁହେଁ । ଯଦି ନିୟମିତ ବ୍ୟବଧାନରେ ଚଢ଼ାଉ କରାଯା’ନ୍ତା ତେବେ ଅପମିଶ୍ରଣକାରୀମାନେ ଏପରି କରିବାକୁ ସାହସ କରନ୍ତେ ନାହିଁ ।

Leave A Reply

Your email address will not be published.