ଜାଡେଜାଙ୍କ ଅଙ୍ଗୁଳି ଭାଙ୍ଗିଲା, ୬ ସପ୍ତାହ ଖେଳିବେନି

0 78

ସିଡ୍ନୀ, ୯ ।୧: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ଅଧାରୁ ଭାରତକୁ ବହୁତ ବଡ଼ ଝଟକା ଲାଗିଛି । ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ହାତରେ ବଲ ମାଡ଼ ହୋଇ ବୁଢ଼ା ଅଙ୍ଗୁଳି ଭାଙ୍ଗିଯାଇଛି । ଏହି କାରଣରୁ ସେ ୬ ସପ୍ତାହ ଯାଏ କ୍ରିକେଟ ଖେଳିବେ ନାହିଁ । ତେଣୁ ତୃତୀୟ ଟେଷ୍ଟର ଶେଷ ଦୁଇ ଦିନ ମଧ୍ୟ ତାଙ୍କୁ ପଡ଼ିଆରେ ଦେଖିବାକୁ ମିଳିବନାହିଁ । ଆଜି ଜାଡେଜା ବ୍ୟାଟିଂ କରୁଥିବା ବେଳେ ମିଚେଲ ଷ୍ଟାର୍କଙ୍କ ଗୋଟିଏ ବଲ ତାଙ୍କ ବାମ ହାତ ଅଙ୍ଗୁଳିରେ ମାଡ଼ ହୋଇଥିଲା । ସେ ତୁରନ୍ତ ଯନ୍ତ୍ରଣା ଅନୁଭବ କରିବା ସହ ପଡ଼ିଆ ମଝିକୁ ଫିଜିଓଙ୍କୁ ଡାକିଥିଲେ । ପ୍ରାଥମିକ ଚିକିତ୍ସା ପରେ ସେ ପୁଣି ବ୍ୟାଟିଂ କରିଥିଲେ । ହେଲେ ଭାରତ ୨୪୪ ରନ୍ରେ ଅଲଆଉଟ ହେବା ପରେ ଜାଡେଜା ଆଉ ପଡ଼ିଆକୁ ବୋଲିଂ କରିବାକୁ ଆସିନଥିଲେ । ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ବେଳେ ଜାଡେଜା ହସ୍ପିଟାଲ ଯାଇ ନିଜ ଆହତର ସ୍କାନ କରିଥିଲେ । ଏବେ ମିଳିଥିବା ରିପୋର୍ଟ ଅନୁଯାୟୀ, ଷ୍ଟାର୍କଙ୍କ ବଲ ମାଡ଼ରେ ତାଙ୍କ ବାମ ହାତ ବୁଢ଼ା ଅଙ୍ଗୁଳିଟି ଭାଙ୍ଗିଯାଇଛି । ଏହି କାରଣରୁ ସେ ପୂରା ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ସହ ୬ ସପ୍ତାହ ପାଇଁ କ୍ରିକେଟରୁ ବାଦ ପଡ଼ିଛନ୍ତି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଫେବୃଆରୀ ୫ରୁ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ଏଥିରେ ମଧ୍ୟ ଜାଡେଜାଙ୍କୁ ଦେଖିବାକୁ ମିଳିବନାହିଁ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ ଋଷଭ ପନ୍ତଙ୍କ ଆହତ ସମସ୍ୟା ଗୁରୁତର ନଥିବା ଜଣାପଡ଼ିଛି । ଆଜି ପନ୍ତ ମଧ୍ୟ ବ୍ୟାଟିଂ କରିବା ବେଳେ ଗୋଟିଏ ବାଉନ୍ସରରେ ଆହତ ହୋଇଥିଲେ । ଏଥିପାଇଁ ସେ ଅଷ୍ଟ୍ରେଲିଆର ବ୍ୟାଟିଂ ବେଳେ ୱିକେଟ କିପିଂ କରି ନଥିଲେ । ତାଙ୍କ ବଦଳରେ ରିଦ୍ଧିମାନ ସାହା ଆଜି ୱିକେଟ କିପିଂ କରିଥିଲେ । ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ, ସ୍କାନ ବେଳେ ପନ୍ତଙ୍କ କହୁଣୀରେ କୌଣସି ବଡ଼ ସମସ୍ୟା ନଥିବା ଜଣାପଡ଼ିଛି । ସେ ଧୀରେଧୀରେ ସୁସ୍ଥ ମଧ୍ୟ ହେଉଛନ୍ତି । ତେଣୁ ସେ ଆସନ୍ତାକାଲି ମଇଦାନକୁ ଓହ୍ଲାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଭାରତ ପ୍ରଥମ ଇନିଂସରେ ମାତ୍ର ୨୪୪ ରନ୍ କରି ଅଲଆଉଟ ହୋଇଯାଇଥିଲା । ଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ରେ ୯୪ ରନ୍ର ଲିଡ୍ ହାସଲ କରିଥିଲା । ଦ୍ୱିତୀୟ ଇନିଂସରେ ଦଳ ତୃତୀୟ ଦିନର ଖେଳ ଶେଷ ବେଳକୁ ୨ ୱିକେଟ ହରାଇ ୧୦୩ ରନ କରିଛି । ଅର୍ଥାତ କଙ୍ଗାରୁ ଟିମ୍ ୧୯୭ ରନ୍ର ଅଗ୍ରଣୀ ହାସଲ କରି ନେଇଛି । ଏହାପୂର୍ବରୁ ଜାଡେଜା ପ୍ରଥମ ଟି-୨୦ରେ ଆହତ ହୋଇଥିଲେ । ଏହି କାରଣରୁ ସେ ବାକି ୨ଟି ଟି-୨୦ରୁ ବାଦ ପଡ଼ିଥିଲେ । ସେହିପରି ଆହତ ଯୋଗୁ ଉମେଶ ଯାଦବ, ମହମ୍ମଦ ଶାମି ଓ କେଏଲ ରାହୁଲ ଟେଷ୍ଟ ସିରିଜ୍ରୁ ବାଦ ପଡ଼ିଛନ୍ତି । ବିରାଟ କୋହଲି ମଧ୍ୟ ଭାରତ ଫେରି ଆସିଛନ୍ତି ।

Leave A Reply

Your email address will not be published.