ଦୃଢ଼ ସ୍ଥିତିରେ ଅଷ୍ଟ୍ରେଲିଆ

0 76

୩ୟ ଦିବସ ଖେଳ ଶେଷ ସୁଦ୍ଧା ୨୪୪ରନରେ ଅଗ୍ରଣୀ

ସିଡ୍ନୀ, ୯ ।୧: ଦ୍ୱିତୀୟ ଇନିଂସ୍ର ପ୍ରାରମ୍ଭରେ ଦୁଇଟି ୱିକେଟ୍ ହରାଇବା ସତ୍ତେ୍ୱ ସ୍ଥିତିକୁ ସମ୍ଭାଳି ନେଇଛି ଘରୋଇ ଅଷ୍ଟ୍ରେଲିଆ । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଦଳ ୧୯୭ ରନ୍ର ଅଗ୍ରଣୀ ଲାଭ କରିଛି । ତେଣୁ ଏବେ ସିଡ୍ନୀ ଟେଷ୍ଟ୍ କଙ୍ଗାରୁ ଟିମ୍ କବଜାକୁ ଚାଲି ଯାଇଛି ବୋଲି କୁହାଯାଉଛି । ଭାରତୀୟ ଦଳକୁ ପ୍ରଥମ ଇନିଂସ୍ରେ ୨୪୪ ରନ୍ରେ ଅଲ୍ଆଉଟ୍ କରିବା ପରେ ଅଷ୍ଟ୍ରେଲିଆ ପୁଣି ବ୍ୟାଟିଂ ଆରମ୍ଭ କରିଥିଲା । ୫.୫ ଓଭରରେ ଦଳକୁ ଲାଗିଥିଲା ପ୍ରଥମ ଝଟକା । ଘରୋଇ ଦଳ ଦ୍ୱିତୀୟ ଇନିଂସର ପ୍ରଥମ ୱିକେଟ ଭାବେ ଡେବ୍ୟୁଟାଣ୍ଟ ଓପର୍ନ ୱିଲ୍ ପୁକୋଭସ୍କିଙ୍କୁ ହରାଇଥିଲା । ପ୍ରଥମ ଇନିଂସ୍ରେ ୬୨ ରନ୍ କରିଥିବା ୱିଲ୍ ଏହି ଇନିଂସ୍ରେ ମାତ୍ର ୧୦ ରନ୍ କରି ମହମ୍ମଦ ସିରାଜଙ୍କ ବଲ୍ରେ ସେ ଋଦ୍ଧିମାନ ସାହାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ । ସେହିଭଳି ପ୍ରଥମ ଇନିଂସ୍ରେ ଫେଲ୍ ମାରିଥିବା ଡେଭିଡ ୱାର୍ଣ୍ଣର ଏଥର ବି ବିଫଳ ହୋଇଛନ୍ତି । ସେ ୧୩ ରନ୍ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା ଏଲ୍ବିଡବ୍ଳ୍ୟୁ ହୋଇଥିଲେ । ୧୦ ଓଭର ଭିତରେ ଦୁଇ ଓପନର ଆଉଟ୍ ହୋଇଯିବା ପରେ ମାର୍ନସ ଲାବୁଶେନ୍ ଓ ଷ୍ଟିଭ୍ ସ୍ମିଥ୍ ସ୍ଥିତି ସମ୍ଭାଳି ନେଇଥିଲେ । ଆଜି ଷ୍ଟମ୍ପସ ଅପସାରଣ ସୁଦ୍ଧା ଲାବୁଶେନ୍ ୬୯ ବଲ୍ରୁ ୬ ଚୌକା ସହାୟତାରେ ୪୭ ରନ୍ କରି ଅପରାଜିତ ରହିଥିବା ବେଳେ ଷ୍ଟିଭ୍ ସ୍ମିଥ୍ ୨୯ ରନ୍ କରିଛନ୍ତି । ଏ ଦୁହେଁ ଆସନ୍ତାକାଲି ପୁଣି ଦଳର ଇନିଂସ୍କୁ ଆଗେଇ ନେବେ । ଯଦି ଟିମ୍ ଇଣ୍ଡିଆର ବୋଲରମାନେ ଶୀଘ୍ର ୱିକେଟ୍ ନେବାରେ ବିଫଳ ହୁଅନ୍ତି, ତା’ହେଲେ ଭାରତ ସାମ୍ନାରେ ଅଷ୍ଟ୍ରେଲିଆ ଏକ ବଡ଼ ସ୍କୋର ରଖିପାରେ । ସୂଚନାଯୋଗ୍ୟ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ରେ ୩୩୮ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଭାରତୀୟ ଦଳ ପ୍ରଥମ ଇନିଂସ୍ରେ ୨୪୪ ରନ୍ରେ ଅଲ୍ଆଉଟ୍ ହୋଇ ୯୪ ରନ୍ ପଛରେ ରହିଯାଇଥିଲା । ଅଷ୍ଟ୍ରେଲିଆ ଆଜି ଦିନ ଖେଳ ସୁଦ୍ଧା ୨ ୱିକେଟ୍ ହରାଇ ୧୦୩ ରନ୍ ସଂଗ୍ରହ କରିଛି । ଏଣୁ ଦଳ ୧୯୭ ରନ୍ର ଅଗ୍ରଣୀ ଲାଭ କରି ଦୃଢ଼ ସ୍ଥିତିରେ ରହିଛି ।

Leave A Reply

Your email address will not be published.