ଜାରି ରହିବ ବିରୋଧ ପ୍ରଦର୍ଶନ

0 70

କୃଷି ଆଇନ ରଦ୍ଦ ନହେବା ଯାଏ ଆନ୍ଦୋଳନରୁ ଉଠିବୁ ନାହିଁ: ରାକେଶ ଟିକାୟତ

ନୂଆଦିଲ୍ଲୀ ୧୨ ।୧: କେନ୍ଦ୍ର ସରକାରଙ୍କ ବିବାଦୀୟ ତିନି କୃଷି ଆଇନ୍ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ନିଷ୍ପତ୍ତିକୁ କୃଷକ ନେତା ସ୍ୱାଗତ କରିଛନ୍ତି । ଏହା ସହିତ କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ତିନି ଆଇନ ରଦ୍ଦ ହୋଇନାହିଁ ସେମାନେ ସେ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଳ ଛାଡିବେ ନାହିଁ । ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ କହିଛନ୍ତି କୋର୍ଟ ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ, ମାତ୍ର କୃଷକଙ୍କ ଆନ୍ଦୋଳନ ଜାରି ରହିବ । ସରକାର ତିନି ଆଇନ ବାତିଲ୍ କରି ସର୍ବନିମ୍ନ ସମର୍ଥନ ମୂଲ୍ୟରେ ଗ୍ୟାରେଣ୍ଟି ଦେବା ପାଇଁ ନିୟମ ବନାନ୍ତୁ । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ରାକେଶ ଟିକାୟତ କହିଛନ୍ତି, ଆମର ବିରୋଧ ପ୍ରଦର୍ଶନ ଜାରି ରହିବ । ଆମର ଦାବି ସରକାର ତିନି କୃଷି ଆଇନ ରଦ୍ଦ କରନ୍ତୁ ଏବଂ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଗ୍ୟାରେଣ୍ଟି ଦେବା ନିମନ୍ତେ ଆଇନ କରନ୍ତୁ । ଯେତେ ଦିନ ଲାଗୁ ପଛେ କୃଷକଙ୍କ ଆନ୍ଦୋଳନ ଜାରି ରହିବ । କଣ ସେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଗଠିତ କମିଟିରେ ଭାଗ ନେବେ ? ଏହା ଉପରେ ଟିକାୟତ କହିଛନ୍ତି ଆମେ କୃଷକଙ୍କ ମୁଖ୍ୟ କମିଟିରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରି କୌଣସି ଏକ ନିଷ୍ପତ୍ତି ନେବୁ । ଏଥିସହ ଆମେ ଜାନୁଆରୀ ୧୫ରେ ସରକାରଙ୍କ ସହ ହେବାକୁ ଥିବା ବୈଠକରେ ମଧ୍ୟ ଯୋଗ ଦେବୁ । ଜାନୁଆରୀ ୨୬ରେ ଟ୍ରାକ୍ଟର ପ୍ୟାରେଡ୍ ଆୟୋଜନ ଉପରେ ସେ କହିଛନ୍ତି, ବିରୋଧ ପ୍ରଦର୍ଶନ ଜାରି ରହିବ, ଗଣତନ୍ତ୍ର ଦିବସର ପରେଡ୍ ଯୋଜନା ଅନୁରୂପ ହେବ । ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ତିନି ନୂତନ କୃଷି ଆଇନ୍ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । କୋର୍ଟ ମଙ୍ଗଳବାର ଏହି ନିଷ୍ପତ୍ତି ଶୁଣାଇ ମାମଲାର ସମାଧାନ ପାଇଁ ଚାରି ସଦସ୍ୟ କମିଟି ଗଠନ କରିଛନ୍ତି । ଏହି କମିଟି ମାମଲାରେ ମଧ୍ୟସ୍ଥତା କରିବେ ନାହିଁ ବରଂ ସମାଧାନର ରାସ୍ତା ବାହାର କରିବେ । ଏହି କମିଟିରେ ଭାରତୀୟ କିଷାନ ୟୁନିୟନର ଭୂପିନ୍ଦର ସିଂହ ମାନ, ଶେତକାରୀ ସଂଗଠନର ଅନିଲ ଧନବଟ, କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟୀ ଓ ଅନ୍ତରାଷ୍ଟ୍ରୀୟ ଖାଦ୍ୟ ନୀତି ଅନୁସନ୍ଧାନ ସଂସ୍ଥାନର ପ୍ରମୋଦ କେ ଯୋଶୀ ସାମିଲ । ଏହି କମିଟି ନିଜର ରିପୋର୍ଟ ସିଧାସଳଖ ସୁପ୍ରିମକୋର୍ଟକୁ ପ୍ରଦାନ କରିବେ । ଯେ ପର୍ଯ୍ୟନ୍ତ କମିଟି ରିପୋର୍ଟ ଉପସ୍ଥାପନ କରି ନାହାନ୍ତି ସେ ପର୍ଯ୍ୟନ୍ତ ନୂତନ କୃଷି ଆଇନ ଉପରେ ରହିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

Leave A Reply

Your email address will not be published.