‘ଆମ ଆନ୍ଦୋଳନ ସରକାର ବିରୋଧରେ’

0 67

ନୂଆଦିଲ୍ଲୀ, ୧୩ ।୧: ୫୦ ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ । ଶୀତ କାକରରେ ଦିଲ୍ଲୀ ସୀମାରେ ପଡ଼ି ରହିଛନ୍ତି ହଜାର ହଜାର ଚାଷୀ । ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି । ହେଲେ ଏହି କମିଟି ଦ୍ୱାରା ସମସ୍ୟାର ସମାଧାନ ପାଇଁ ନାରାଜ ଆନ୍ଦୋଳନରତ ଚାଷୀ । ଆଇନକୁ ନେଇ ଥିବା ସମସ୍ୟାର ସମାଧାନ ଚାହୁଁ ନାହାନ୍ତି ବୋଲି ଚାଷୀ ନେତା ରାକେଶ ଟିକାଇତ ଆଜି ସ୍ପଷ୍ଟ କରିଛନ୍ତି । ଭାରତୀୟ କିଷାନ ୟୁନିଅନର ଏହି ନେତା କହିଛନ୍ତି, ସୁପ୍ରିମକୋର୍ଟ ତିନି କୃଷି ଆଇନ କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଲଗାଇଛନ୍ତି । ଏହାକୁ ଚାଷୀ ସଂଗଠନ ସ୍ୱାଗତ କରୁଛି । ହେଲେ ଏହି ଆଇନ୍ ସଂସଦରେ ତିଆରି ହୋଇଛି । ଏହି ଆଇନ୍ ରଦ୍ଦ ହେବା ଆମର ଦାବି । ତେଣୁ ଯେପର୍ଯ୍ୟନ୍ତ ଆଇନ୍ ରଦ୍ଦ ନହୋଇଛି ସେଯାଏ ଆନ୍ଦୋଳନ ଜାରି ରହିବ । “ଆମ ଆନ୍ଦୋଳନ ସରକାର ବିରୋଧରେ, ଆମେ ସମସ୍ୟାର ସମାଧାନ ଚାହୁଁ ନାହୁଁ’ । ସେହିପରି ଚାଷୀ ଆନ୍ଦୋଳନ ଓ ସରକାରଙ୍କ ମଧ୍ୟରେ ହେଉଥିବା ବୈଠକକୁ ପ୍ରଧାନମନ୍ତ୍ରୀ ଯାଉନଥିବା ସେ କହିଛନ୍ତି । ଗଣତନ୍ତ୍ର ଦିବସରେ ଚାଷୀ ସେନା ସହିତ ତାଳ ନେଇ ସମାନ୍ତରାଳ ଭାବରେ ତ୍ରିରଙ୍ଗା ଯାତ୍ରା କରିବେ ବୋଲି କହିଛନ୍ତି । ଯଦି ପୁଲିସ ବାଧା ସୃଷ୍ଟି କରେ ତାହେଲେ ସେମାନେ ମୂଳ ଖଲିସ୍ତାନୀ ବୋଲି ରାକେଶ କହିଛନ୍ତି । ଗଣତନ୍ତ୍ର ଦିବସକୁ ଭଣ୍ଡୁର କରିବା ପାଇଁ ଖଲିସ୍ତାନୀ ଗ୍ରୁପ ଶିଖ୍ ଫର୍ ଜଷ୍ଟିସ୍ ବା ଏସଏଫଜେ ଜାତୀୟ ପତାକା ଜାଗାରେ ଖଲିସ୍ତାନୀ ପତାକା ଉଡ଼ାଇବାକୁ କରିଥିବା ଆହ୍ୱାନର ଜବାବ ମଧ୍ୟ ଦେଇଛନ୍ତି ରାକେଶ । ଏଭଳି କାମକୁ ସେମାନେ ପ୍ରୋତ୍ସାହନ ଦେଉ ନାହାନ୍ତି ବୋଲି କହିଛନ୍ତି । ଏହା ପୁଲିସର କାମ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଗତକାଲି ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଶୁଣାଣି କରି ତିନି କୃଷି ଆଇନକୁ ସ୍ଥଗିତାଦେଶ କରିଛନ୍ତି । ଆନ୍ଦୋଳନରତ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ପାଇଁ ଏକ ଚାରି ଜଣିଆ କମିଟି ଗଠନ କରିଛନ୍ତି । ଏହି କମିଟିକୁ ନେଇ ମଧ୍ୟ ଚାଷୀ ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.