ପୁଣି ବଢ଼ିଲା ତୈଳଦର

0 64

ନୂଆଦିଲ୍ଲୀ, ୧୩ ।୧: ପୁଣିଥରେ ଖାଉଟିଙ୍କ ଉପରେ ହୋଇଛି ମହଙ୍ଗା ମାଡ଼ । ୫ ଦିନର ବ୍ୟବଧାନ ପରେ ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲର ଲିଟର ପିଛା ଦର ୨୫ ପଇସା ଓ ଡିଜେଲର ଲିଟର ପିଛା ଦର ୨୭ ପଇସା ମହଙ୍ଗା ହୋଇଛି । ଏହି ବର୍ଦ୍ଧିତ ଦର ପରେ ସାରା ଦେଶରେ ତୈଳ ଦର ନୂଆ ରେକର୍ଡ ସୃଷ୍ଟି କରିଛି । ନୂଆ ଦର ପରେ ମୁମ୍ୱାଇରେ ପେଟ୍ରୋଲର ଲିଟର ପିଛା ଦର ୯୧ ଟଙ୍କା ପାର୍ କରିଛି । ସେହିପରି ଓଡ଼ିଶାରେ ପେଟ୍ରୋଲ ଦାମ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଆଜି ପେଟ୍ରୋଲର ଲିଟର ପିଛା ଦର ୨୫ ପଇସା ବଢ଼ି ୮୫. ୦୯ ଟଙ୍କାରେ ପହଞ୍ଚିଛି । ଡିଜେଲର ଲିଟର ପିଛା ଦର ମଧ୍ୟ ୨୭ ପଇସା ବଢ଼ି ୮୧ ଟଙ୍କା ୨୯ ପଇସା ଛୁଇଁଛି । ଏ ସମ୍ପର୍କରେ ଉକ୍ରଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଆଇଓସିର ସୂଚନା ଅନୁଯାୟୀ, ଆଜି ମୁମ୍ୱାଇରେ ପେଟ୍ରୋଲର ଲିଟର ପିଛା ଦର ୯୧.୦୭ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲର ଲିଟର ପିଛା ଦର ୮୧.୩୪ ଟଙ୍କା ରହିଛି । ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ୮୪.୪୫ ଓ ଡିଜେଲ ୭୪.୬୩ ଟଙ୍କାରେ ବିକ୍ରି ହେଉଛି । କୋଲକାତାରେ ପେଟ୍ରୋଲର ଲିଟର ପିଛା ଦର ୮୫.୯୨ ଟଙ୍କା ଓ ଡିଜେଲର ଦାମ ୭୮.୨୨ ଟଙ୍କା ରହିଛି । ଶେଷ ଥର ପାଇଁ ଜାନୁଆରୀ ୬ ଓ ୭ ତାରିଖରେ ମଧ୍ୟ ତୈଳଦର ବୃଦ୍ଧି ପାଇଥିଲା । ଏହି ଦୁଇ ଦିନରେ ପେଟ୍ରୋଲର ଲିଟର ପିଛା ଦର ରେକର୍ଡ ୪୯ ପଇସା ଓ ଡିଜେଲ ଦର ୫୧ ପଇସା ମହଙ୍ଗା ହୋଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୨୧ରେ ପେଟ୍ରୋଲର ଲିଟର ପିଛା ଦର ୭୪ ପିଇସା ଓ ଡିଜେଲ ଦର ୭୬ ପିଇସା ମହଙ୍ଗା ହେଲାଣି ।

Leave A Reply

Your email address will not be published.