ଚାଷୀଙ୍କ ପାଇଁ ଗଠିତ କମିଟିରୁ ଓହରି ଗଲେ ଭୂପିନ୍ଦର ସିଂହ ମାନ୍

0 73

ନୂଆଦିଲ୍ଲୀ, ୧୪ ।୧: କୃଷି ଆଇନକୁ ନେଇ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିବା ପାଇଁ ସୁପ୍ରିମକୋର୍ଟ ଗଠିତ କରିଥିବା କମିଟିରୁ ଭୂପିନ୍ଦର ସିଂହ ମାନ୍ ଓହରି ଯାଇଛି । ଶ୍ରୀ ସିଂହ ହେଉଛନ୍ତି ଭାରତୀୟ କୃଷକ ସଂଘର ସଭାପତି ତଥା ପୂର୍ବତନ ରାଜ୍ୟସଭା ସାଂସଦ । ରାଷ୍ଟ୍ରପତିଙ୍କ ଦ୍ୱାରା ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ତେବେ ଶ୍ରୀ ସିଂହ ଅନେକ ସମୟରେ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ସମର୍ଥନ କରିଥିବା ନଜିର ରହିଥିଲା । ଏପରି ସ୍ଥିତିରେ ଚାଷୀଙ୍କ ସହ ଆଲୋଚନା କରିବା ପାଇଁ ଗଠିତ କମିଟିରେ ତାଙ୍କୁ ସାମିଲ କରାଯାଇଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବିବାଦକୁ ଦୃଷ୍ଟିରେ ରଖି ସେ ନିଜଆଡ଼ୁ କମିଟିରୁ ଓହରି ଯାଇଥିବା କୁହାଯାଉଛି । ଏ ସମ୍ପର୍କରେ ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓରେ ଖବର ପ୍ରକାଶ ପାଇଛି । ତେବେ ସେ ପ୍ରକୃତରେ କାହିଁକି କମିଟିରୁ ଓହରିଲେ ଓ ଏବେ କମିଟିର ଭବିଷ୍ୟତ କ’ଣ ହେବ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ରୋକ ଲଗାଇଥିଲେ । ଏଥିସହ ଚାଷୀଙ୍କ ସହ କୃଷି ଆଇନ ସମ୍ପର୍କରେ ଆଲୋଚନା କରିବାକୁ ବିଶେଷଜ୍ଞ ଟିମ୍ ଗଠନ କରିଥିଲେ । ଏହି ୪ ଜଣିଆ କମିଟିର କୃଷି ବିଶେଷଜ୍ଞ ଅଶୋକ ଗୁଲାଟି, ଭୂପିନ୍ଦର ସିଂହ ମାନ, ପ୍ରମୋଦ କୁମାର ଯୋଶୀ ଓ ଅନୀଲ ଧୱନ୍ତ ରହିଥିଲେ । କିନ୍ତୁ ଏହି ୪ ଜଣ ଯାକ ସଦସ୍ୟ ପୂର୍ବରୁ କୃଷି ଆଇନକୁ ସମର୍ଥନ କରିଥିବାରୁ ଚାଷୀମାନଙ୍କ ସମସ୍ୟାକୁ ଠିକ୍ଭାବେ ସୁପ୍ରିମକୋର୍ଟଙ୍କ ଆଗରେ ଉପସ୍ଥାପନ କରିପାରିବେ ନାହିଁ ବୋଲି ଆନ୍ଦୋଳନରତ ଚାଷୀମାନେ ମତ ଦେଇଥିଲେ । ଏପରି କି କୌଣସି ଚାଷୀ ଏହି ୪ ଜଣିଆ ବିଶେଷଜ୍ଞ ଟିମ୍ ସହ ଆଲୋଚନା କରିବେ ନାହିଁ ବୋଲି କହିଥିଲେ ।

Leave A Reply

Your email address will not be published.