ସୁପର ପାୱାର ମାନଙ୍କୁ ଉଚିତ ଜବାବ ଦେବାକୁ ଭାରତ ପ୍ରସ୍ତୁତ

0 79

ବେଙ୍ଗାଲୁରୁ,୧୫ ।୧: ଚାଇନା ସହ ଦୀର୍ଘ ୮ ମାସ ହେଲା ଜାରି ରହିଥିବା ତିକ୍ତତା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବଡ଼ ବୟାନ ଦେଇଛନ୍ତି । ଭାରତ କେବେ ହେଲେ ଯୁଦ୍ଧ ଚାହେଁନାହିଁ । କିନ୍ତୁ ଯଦି କୌଣସି ସୁପର ପାୱାର ଦେଶର ଜାତୀୟ ଏକତା ଓ ଶାନ୍ତିକୁ ଭଙ୍ଗ କରିବାକୁ ଚେଷ୍ଟା କରିବ, ତା’ହେଲେ ଦେଶର ଯବାନମାନେ ଏହାର ଉଚିତ ଜବାବ ଦେବାକୁ ସକ୍ଷମ ବୋଲି ଶ୍ରୀ ସିଂହ କହିଛନ୍ତି । ସେ ଆହୁରି କହିଛନ୍ତି, ଆମେ କେବେ ହେଲେ ଯୁଦ୍ଧ ଚାହିଁନାହୁଁ । ଆମେ ସର୍ବଦା ସମସ୍ତଙ୍କ ସୁରକ୍ଷା ଓ ସୁରକ୍ଷିତ ପରିବେଶ ସପକ୍ଷରେ ରହିଛୁ । ଆମ ଜାତୀୟତାକୁ ଯଦି କେହି କ୍ଷତି ପହଞ୍ଚାଇବାକୁ ଚାହେଁ, ତା’ହେଲେ ଆମ ସୈନ୍ୟମାନେ ତା’କୁ ଉପଯୁକ୍ତ ଜବାବ ଦେବାକୁ ସର୍ବଦା ସକ୍ଷମ । ଭାରତ ସବୁବେଳେ ପଡ଼ୋଶୀଙ୍କ ସହ ବନ୍ଧୁତା ଓ ଶାନ୍ତିପୂର୍ଣ୍ଣ ପରିବେଶ ପ୍ରତିଷ୍ଠା କରିବାକୁ ଚାହେଁ । କାରଣ ବନ୍ଧୁତା ଓ ଶାନ୍ତି ପ୍ରତିଷ୍ଠା ଆମ ରକ୍ତ ଏବଂ ସଂସ୍କୃତିରେ ରହିଛି ବୋଲି ସେ କହିଛନ୍ତି । ୫ମ ଆର୍ମଡ ଫୋର୍ସ ଭେଟରାନ ଦିବସରେ ଶ୍ରୀ ସିଂହ ଚାଇନା ସହ ଚାଲିଥିବା ବିବାଦ ସମ୍ପର୍କରେ କହିଛନ୍ତି, ଭାରତୀୟ ଯବାନମାନେ ବୀରତ୍ୱ ଓ ଧୈର୍ଯ୍ୟର ପରିଚୟ ଦେଇଛନ୍ତି । ଯଦି ଏହାକୁ ସାର୍ବଜନୀନ କରାଯିବ, ତା’ହେଲେ ପ୍ରତିଟି ଭାରତୀୟ ଆମ ଯବାନମାନଙ୍କ ପାଇଁ ଗର୍ବ ଅନୁଭବ କରିବେ । ପାକିସ୍ତାନ ମାଟିର ଆତଙ୍କବାଦୀଙ୍କୁ ମଧ୍ୟ ଭାରତୀୟ ଯବାନ ବେଶ ସଫଳତାର ସହ ଖତମ କରିଥିବା ଶ୍ରୀ ସିଂହ କହିଛନ୍ତି ।

Leave A Reply

Your email address will not be published.