ଭାରତୀୟ ଭ୍ୟାକ୍ସିନ୍ ଆଗରେ ଚାଇନା ଭ୍ୟାକ୍ସିନ୍ ଚିତପଟାଙ୍ଗ

0 59

ନୂଆଦିଲ୍ଲୀ, ୧୬ ।୧: ଗତ ଏକ ସପ୍ତାହ ମଧ୍ୟରେ ଚୀନ୍ କମ୍ପାନୀ ସିନୋଭେକ୍ ଦ୍ୱାରା ପ୍ରସ୍ତୁତ କରୋନା ଭାଇରସ ଟିକାକୁ ନେଇ ଅନେକ ନକରାତ୍ମକ ରିପୋର୍ଟ ଆସିଛି । ଫଳରେ ଚୀନ୍ ଭ୍ୟାକ୍ସିନ ପାଇଁ ଆଡଭାନ୍ସ ଅର୍ଡର ଦେଇଥିବା ଅନେକ ଦେଶ ଏବେ ଏହି ଟିକାକୁ କିଣିବାକୁ ମନା କରିଦେଲେଣି । କିଛି ଦେଶ ଏବେ ଚୀନ ଟିକା ବଦଳରେ ଭାରତୀୟ ଭ୍ୟାକ୍ସିନ ଚାହୁଁଛନ୍ତି । ଭାରତୀୟ ଭ୍ୟାକ୍ସିନର ଚାହିଦା ବଢିବା ସହିତ ଭାରତ ବିଶ୍ୱର ଭ୍ୟାକ୍ସିନ ପାୱାର ହାଉସ ଭାବେ ଉଭା ହେଲାଣି । ଏଣେ ଖୋଦ ଚୀନ୍ ବିଶେଷଜ୍ଞ ଓ ଖବରକାଗଜ ମଧ୍ୟ ଏହା ମାନିଲେଣି ଯେ, ଭାରତ ଭ୍ୟାକ୍ସିନ୍ ମାମଲାରେ ଚୀନଠାରୁ ଢେର ଆଗରେ ଅଛି । ବ୍ରାଜିଲ ଚୀନ୍ ଭ୍ୟାକ୍ସିନ ବ୍ୟବହାର କରୁଥିଲା କିନ୍ତୁ ଏବେ ଭାରତଠାରୁ ଟିକା ନେବାକୁ ଆଗ୍ରହ ପ୍ରକାଶ କରିଛି । ବ୍ରାଜିଲ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପତ୍ର ଲେଖି ୮୦ ଲକ୍ଷରୁ ଅଧିକ ଟିକା ଦେବାକୁ ଅନୁରୋଧ କରିଛନ୍ତି । ବ୍ରାଜିଲ ସହିତ ଅନେକ ଦେଶ ଚାହୁଁଛନ୍ତି ଯେ, ଭାରତ ସେମାନଙ୍କୁ କୋଭିସିଲ୍ଡ ଓ ସମ୍ପୂର୍ଣ୍ଣ ସ୍ୱଦେଶୀ କୋଭାକ୍ସିନ୍ ଯୋଗାଇ ଦେଉ । ୧୨ରୁ ଅଧିକ ଦେଶ ଭାରତ ବାୟୋଟେକର କୋଭାକ୍ସିନ୍ ଚାହୁଁଛନ୍ତି । ବିଶ୍ୱର ସବୁ ଦେଶର ମିଡିଆ ଭ୍ୟାକ୍ସିନ୍ କ୍ଷେତ୍ରରେ ଭାରତୀୟ ଶକ୍ତିକୁ ସ୍ୱୀକାର କରୁଛନ୍ତି । ସମସ୍ତେ ଏକମତ ଯେ, ଭ୍ୟାକ୍ସିନ ନିର୍ମାଣ କ୍ଷେତ୍ରରେ ଭାରତ ବିଶ୍ୱରେ ଏକ ନମ୍ବର । ଅନ୍ୟପକ୍ଷରେ ଚୀନ୍ ବିଶେଷଜ୍ଞ ଏହା ସ୍ୱୀକାର କରୁଛନ୍ତି ଯେ, ଭାରତ ସିରମ ଇନଷ୍ଟିଚ୍ୟୁଟ୍ ଅତ୍ୟନ୍ତ ମ୍ୟାଚୁରିଟି ଓ କ୍ୱାଲିଟି ସହିତ ଟିକା ତିଆରି କରୁଛି । ସିରମର ଉତ୍ପାଦନ କ୍ଷମତା ଜବରଦସ୍ତ ବୋଲି ଚୀନ୍ ବିଶେଷଜ୍ଞ କହୁଛନ୍ତି । ଭାରତୀୟ ଟିକାକୁ ନେଇ ଆଗରୁ ବି ଡିମାଣ୍ଡ୍ ଥିଲା । ବିଶ୍ୱରେ ଯେତିକି ଟିକା ବ୍ୟବହାର ହୋଇଥାଏ ତାର ଅଧାରୁ ଅଧିକ ଭାରତରୁ ରପ୍ତାନୀ ହୋଇଥାଏ । ଏସିଆରେ ଟିକା ତିଆରି କରିବା ମାମଲାରେ ଭାରତ ନମ୍ବର ୱାନ୍ । କିନ୍ତୁ କରୋନା କାଳରେ ଭାରତ ଯେଉଁଭଳି ଭାବରେ କରୋନା ଭ୍ୟାକ୍ସିନର ଅବ୍ୟର୍ଥ ଟିକା ତିଆରି କରିଛି ସେଥିରୁ ଭାରତୀୟ ଟିକା ତିଆରି କ୍ଷମତାକୁ ପୁରା ବିଶ୍ୱ ସଲାମ କରୁଛି । କରୋନାର ପିକ୍ ପିରିୟଡରେ ପୁରା ବିଶ୍ୱ ଏହାର ଟିକା ଖୋଜୁଥିଲା । କୁହାଯାଉଥିଲା ଯେ, ଯେଉଁ ଦେଶ ଏହାର ଟିକା ପ୍ରଥମେ ବାହାର କରିବ ସେହି ଦେଶର ଗ୍ଲୋବାଲ ପାୱାର ଷ୍ଟାଟସ ବୃଦ୍ଧି ପାଇବ । ଆଶଙ୍କା କରାଯାଉଥିଲା ଯେ, ବୁହାନରୁ ବାହାରିଥିବା ଭାଇରସ ବିରୋଧରେ ପ୍ରଥମେ ଟିକା ତିଆରି କରି ଚୀନ୍ ବିଶ୍ୱକୁ ବ୍ଲାକ୍ମେଲ୍ କରିବା ସହିତ ବିଶ୍ୱ ଶକ୍ତି ଭାବେ ଉଭା ହେବ । କିନ୍ତୁ ଏହା ସହିତ ଏହା ମଧ୍ୟ କୁହାଯାଉଥିଲା ଯେ, ଯେଉଁ ଦେଶ ପ୍ରଥମ ଟିକା ତିଆରି କରୁନା କାହିଁକି ତାକୁ ଟିକାର ମାସ୍ ପ୍ରଡକ୍ସନ ପାଇଁ ଭାରତ ଆସିବାକୁ ପଡିବ । କାରଣ ଭାରତ ପାଖରେ କମ ସମୟରେ ବ୍ୟାପକ ପରିମାଣରେ ଟିକା ତିଆରି କରିବାର ଭିତ୍ତିଭୂମି ରହିଛି ଯାହା ଅନ୍ୟଦେଶ ଏପରିକି ବିକଶିତ ଆମେରିକା ଓ ୟୁରୋପର କିଛି ଦେଶଙ୍କ ପାଖରେ ମଧ୍ୟ ନାହିଁ । ତରବରିଆ ଭାବେ ଚୀନ୍ ପ୍ରଥମେ ନିଜର କରୋନା ଟିକା କଥା ଘୋଷଣା କରିଥିଲା । ଏହି ଟିକା ସୁରକ୍ଷିତ ଓ ପ୍ରଭାବୀ ବୋଲି ଚୀନ୍ ଦାବି କରିଥିଲା । ଚୀନ୍ ଦାବିକୁ ଦେଖି ବ୍ରାଜିଲ ଭଳି ଦେଶ ମଧ୍ୟ ଏହାଠାରୁ ଟିକା କିଣିଥିଲେ । କିନ୍ତୁ ଗତ ସପ୍ତାହରେ ବ୍ରାଜିଲର ବୈଜ୍ଞାନିକ ଚୀନ୍ ଟିକା କରୋନା ବିରୋଧରେ ୫୦ ପ୍ରତିଶତ ପ୍ରଭାବୀ ବୋଲି କହିଥିଲେ ।

Leave A Reply

Your email address will not be published.