ରାମ ମନ୍ଦିର ଅର୍ଥ ସଂଗ୍ରହ ରାଲିରେ ସଂଘର୍ଷ, ୪୦ ଗିରଫ

0 65

ନୂଆଦିଲ୍ଲୀ, ୧୯ ।୧: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଅର୍ଥ ସଂଗ୍ରହ କରିବା ଲକ୍ଷ୍ୟରେ ଅଭିଯାନ ଆରମ୍ଭ ହୋଇଛି । ଜାନୁଆରୀ ୧୫ରୁ ଆରମ୍ଭ ହୋଇଥିବା ଏହି ପାଣ୍ଠି ସଂଗ୍ରହ ପ୍ରକ୍ରିୟା ଆସନ୍ତା ଫେବୃଆରୀ ୨୭ ଯାଏ ସମଗ୍ର ଦେଶରେ ଚାଲିବ । ତେବେ ଗୁଜରାଟରେ ଏହି ପାଣ୍ଠି ସଂଗ୍ରହ ବେଳେ ତୀବ୍ର ସଂଘର୍ଷ ଦେଖିବାକୁ ମିଳିଛି । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହେବା ଘଟଣାରେ ପୁଲିସ୍ ୪୦ ଜଣଙ୍କୁ ଗିରଫ ମଧ୍ୟ କରିଛି । ଗୁଜରାଟର କଚ୍ଚ ଜିଲ୍ଲାରେ ରବିବାର ଏହି ଘଟଣା ଘଟିଥିଲା । ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ଏହାକୁ କେନ୍ଦ୍ର କରି ୩ଟି ମାମଲା ମଧ୍ୟ ରୁଜୁ ହୋଇଥିଲା । ପୁଲିସ୍ ଆଜି ହତ୍ୟା, ଦଙ୍ଗା, ପୋଡ଼ାଜଳା ଓ ଷଡ଼ଯନ୍ତ୍ର ମାମଲା ୪୦ ଜଣଙ୍କୁ ଗିରଫ କରିଛି । ପୁଲିସ୍ କହିଛି ଯେ ରବିବାର ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ କରିବା ଉଦ୍ଦେଶ୍ୟରେ ଶୋଭାଯାତ୍ରା କରାଯାଉଥିଲା । ଏହି ସମୟରେ ଦୁଇ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ମାରପିଟ ଘଟିଥିଲା । ଶୋଭାଯାତ୍ରାକୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜନ କରାଯାଇଥିଲା । ଏହି ସମୟରେ ଖୁବ ଜୋରରେ ଧାର୍ମିକ ନାରା ଦିଆଯାଇଥିଲା । ଏହାକୁ ଅନ୍ୟ ଏକ ସଂପ୍ରଦାୟର ଲୋକ ବିରୋଧ କରିଥିଲେ । ଫଳରେ ମାରପିଟ୍ ଆରମ୍ଭ ହୋଇଥିଲା । ଉଭୟ ଗୋଷ୍ଠୀ ପରସ୍ପରକୁ କାଠ ଫାଳିଆ ଓ ଖଣ୍ଡାରେ ଆକ୍ରମଣ କରିଥିଲେ । ପୁଲିସ୍ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ଏଥିରେ ସଫଳ ହୋଇ ନଥିଲା । ଏପରି କି କିଛି ପୁଲିସ୍ କର୍ମୀ ମଧ୍ୟ ଏହି ସଂଘର୍ଷରେ ଆହତ ହୋଇଥିଲେ । ଯେଉଁ କିଡାନା ଗାଁ ନିକଟରେ ସଂଘର୍ଷ ହୋଇଥିଲା, ସେଠାରୁ ପ୍ରାୟ ୨୦୦ ମିଟର ଦୂରରୁ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତଦେହ ମିଳିଥିଲା । ଏହି ଶ୍ରମିକଙ୍କ ଘର ଝାରଖଣ୍ଡରେ ବୋଲି ଜଣାପଡ଼ିଛି । ସ୍ଥିତି ବିଗିଡ଼ିବାରୁ ପୁଲିସ ବାଧ୍ୟ ହୋଇ ଟିୟର ଗ୍ୟାସ ମାଡ଼ କରି ଲୋକଙ୍କୁ ଘଉଡ଼ାଇଥିଲା । ପୁଲିସ୍ କହିଛି ଯେ ରବିବାର ରଥ ଯାତ୍ରା ଆୟୋଜନ କରିବାକୁ କାହାକୁ ବି ଅନୁମତି ଦିଆଯାଇ ନଥିଲା । ତଥାପି ଗୋଟିଏ ସଂପ୍ରଦାୟର ଲୋକ ଅର୍ଥ ସଂଗ୍ରହ କରିବାକୁ ରାଲି କରିବା ବେଳେ ଏପରି ଘଟଣା ଘଟିଛି । ସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି । କେବଳ ଗୁଜରାଟ ନୁହେଁ, ମଧ୍ୟପ୍ରଦେଶର ଉଜ୍ଜୟିନ ଓ ମଣ୍ଡସୌରରେ ମଧ୍ୟ ରାମ ମନ୍ଦିର ପାଇଁ ଅର୍ଥ ସଂଗ୍ରହ ବେଳେ ସଂଘର୍ଷ ଘଟିଥିବା ଖବର ମିଳିଛି ।

Leave A Reply

Your email address will not be published.