ହାଫିଜ୍ ସଇଦର ୩ ସହଯୋଗୀଙ୍କୁ ଜେଲ୍

0 52

ଲାହୋର, ୨୩ ।୧: ପାକିସ୍ତାନର ଏକ ଆତଙ୍କବାଦ ବିରୋଧୀ କୋର୍ଟ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦର ୩ଜଣ ସହଯୋଗୀଙ୍କୁ ୬ ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଜମାତ-ଉଦ-ଦାୱା ଆତଙ୍କବାଦୀ ସଂଗଠନର ଏହି ୩ ଜଣ ସଦସ୍ୟ ଆତଙ୍କବାଦୀଙ୍କୁ ଆର୍ଥିକ କାରବାର କରୁଥିବା ମାମଲା କୋର୍ଟରେ ବିଚାରଧୀନ ଥିଲା । ହାଫିଜ୍ ସଇଦ୍ର ଭିଣୋଇ ହାଫିଜ୍ ଅବଦୁର ରେହେମାନ ମକ୍କି, ଜେୟୁଡିର ମୁଖପାତ୍ର ୱାୟା ମୁଜାହିଦ ଏବଂ ଜାଫର ଇକବାଲକୁ ପାକିସ୍ତାନର ଏକ ଆତଙ୍କବାଦ ବିରୋଧୀ କୋର୍ଟ ୬ ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଶୁକ୍ରବାରର କୋର୍ଟ ଦଣ୍ଡାଦେଶ ଶୁଣାଇବା ପରେ ମୁଜାହିଦ୍ ଏବଂ ଇକବାଲଙ୍କ ସାମୂହିକ କାରାଗାର ଯଥାକ୍ରମେ ୮୦ ଏବଂ ୫୬ ବର୍ଷକୁ ବୃଦ୍ଧି ପାଇଛି । ପଞ୍ଜାବ ପୋଲିସର ଆତଙ୍କବାଦ ବିରୋଧୀ ବିଭାଗ ଦ୍ୱାରା ଏମାନଙ୍କ ବିରୁଦ୍ଧରେ ଆତଙ୍କବାଦୀଙ୍କୁ ଆର୍ଥିକ କାରବାର କରୁଥିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ଏହି ଅଭିଯୋଗ ଆଧାରରେ ଅଭିଯୁକ୍ତମାନଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଜେୟୁଡିର ମୁଖପାତ୍ର ୱାୟା ମୁଜାହିଦ ବିରୁଦ୍ଧରେ ବିଭିନ୍ନ ସ୍ଥାନରେ ପ୍ରାୟ ୪୧ଟି ମାମଲା ରହିଛି । ଏଥିମଧ୍ୟରୁ ୩୭ଟି ମାମଲାର ଶୁଣାଣି ହୋଇଛି । କିଛିଦିନ ପୂର୍ବରୁ ଲସ୍କର-ଇ-ତୋଇବାର ଅପରେସନ କମାଣ୍ଡର ଜାକି-ଉର-ରେହେମାନ ଲଖଭୀକୁ ଟେର୍ର ଫଣ୍ଡିଂ ମାମଲାରେ ୧୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଚଳିତ ସପ୍ତାହରେ ଏଟିସି ଇକବାଲ ଏବଂ ମୁଜାହିଦ ଉଭୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିବା ବେଳେ ଅନ୍ୟ ଏକ ଆତଙ୍କବାଦୀ ଆର୍ଥିକ ମାମଲାରେ ମକ୍କିଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏପର୍ଯ୍ୟନ୍ତ ୫ଟି ମାମଲାରେ ଆତଙ୍କବାଦ ଆର୍ଥିକ ଅଭିଯୋଗରେ ଏଟିସି ସଇଦଙ୍କୁ ୩୬ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛି । ଜେୟୁଡି ମୁଖ୍ୟ ସଇଦ ନେତୃତ୍ୱରେ ଲସ୍କର-ଇ-ତୋଇବା ୨୦୦୮ରେ ମୁମ୍ବାଇରେ ବିସ୍ଫୋରଣ ଘଟାଇଥିଲା । ଯେଉଁଥିରେ ୬ ଜଣ ଆମେରିକୀୟଙ୍କ ସମେତ ୧୬୬ ଜଣଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.