ଚାଷୀଙ୍କ ଟ୍ରାକ୍ଟରକୁ ଡିଜେଲ ଦେଉନାହାନ୍ତି ପେଟ୍ରୋଲ ପମ୍ପ

0 75

ଗାଜିଆବାଦ, ୨୪ ।୧: ଦେଶର ବିଭିନ୍ନ ରାଜ୍ୟରୁ ଚାଷୀ ପରେଡ ଲାଗି ଟ୍ରାକ୍ଟର ସଜେଇ ଦିଲ୍ଲୀ ବାହାରିଛନ୍ତି । ତେବେ ପେଟ୍ରୋଲ ପମ୍ପମାନଙ୍କରେ ଚାଷୀଙ୍କ ଟ୍ରାକ୍ଟରକୁ ଡିଜେଲ ଦିଆଯାଉନି । ଗାଜିଆବାଜରେ ଭାରତୀୟ କିଷାନ ୟୁନିୟନ (ବିକେୟୁ) ମୁଖପାତ୍ର ରାକେଶ ଟିକୈତ ରବିବାର ଏହି ଅଭିଯୋଗ କରିଛନ୍ତି । ଏଣୁ ଯେଉଁଠାରେ ପେଟ୍ରୋଲ ପମ୍ପ ଟ୍ରାକ୍ଟରକୁ ଡିଜେଲ ମନା କରୁଛନ୍ତି ଚାଷୀ ସଡ଼କ ଅବରୋଧ କରନ୍ତୁ ବୋଲି ଟିକୈତ କହିଛନ୍ତି । ସଂଶୋଧିତ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀ ଦିଲ୍ଲୀରେ ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ଟ୍ରାକ୍ଟର ପ୍ୟାରେଡ ଲାଗି ପ୍ରସ୍ତୁତି କରୁଛନ୍ତି । ଏଥିଲାଗି ଦିଲ୍ଲୀ ପୋଲିସ ଅନୁମତି ଦେଇ ସାରିଥିବା ବେଳେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ରାଜ୍ୟରୁ ଚାଷୀ ଟ୍ରାକ୍ଟରରେ ଟ୍ରଲି ବାନ୍ଧି ଦିଲ୍ଲୀ ଆସୁଛନ୍ତି । ପ୍ରତି ଗାଁରୁ ୧୦ଟି କରି ଟ୍ରାକ୍ଟର ଦିଲ୍ଲୀ ମୁହାଁଇଥିବା ବେଳେ ଜାତୀୟ ରାଜଧାନୀର ବିଭିନ୍ନ ମାର୍ଗରେ ୩ ଲକ୍ଷ ଟ୍ରାକ୍ଟର ପରେଡ କରିବେ ବୋଲି କୃଷକ ନେତା କହିଛନ୍ତି । ତେବେ ଦିଲ୍ଲୀରେ ଏତେ ସଂଖ୍ୟକ ଟ୍ରାକ୍ଟରକୁ ନିୟନ୍ତ୍ରିତ କରିବା ଲାଗି ଦୂରରୁ ବ୍ୟବସ୍ଥା କରିଦିଆଯାଇଥିବା ଟିକୈତ ଅଭିଯୋଗ କରିଛନ୍ତି । ଉତ୍ତରପ୍ରଦେଶର ମୁରାଦାବାଦ, ଗାଜୀପୁର ସମେତ ବିଭିନ୍ନ ଜାତୀୟ ମାର୍ଗରେ ଥିବା ଫୁଏଲ ପମ୍ପମାନେ ପରିସରକୁ ଟ୍ରାକ୍ଟର ପ୍ରତିବନ୍ଧିତ କରିଥିବା ବେଳେ ପଞ୍ଜାବ, ହରିୟାଣା ଓ ରାଜସ୍ଥାନ ପଟରୁ ମୁହାଁଇଥିବା ଚାଷୀଙ୍କ ଲାଗି ମଧ୍ୟ ସେହିପରି କଟକଣା ଜାରି ହୋଇଥିବା ଅଭିଯୋଗ ମିଳିବାରେ ଲାଗିଛି । ଏଥିରେ କୃଷକ ସଙ୍ଗଠନମାନେ ଚାଷୀଙ୍କୁ ଯେଉଁଠାରେ ତେଲ ଦେବାକୁ ମନା କରାଯାଉଛି ସେଠାରେ ସଡ଼କ ଅବରୋଧ କରିବାକୁ ପରାମର୍ଶ ଦେଇଛନ୍ତି । ସେପଟେ ରାଜଧାନୀରେ ଚାଷୀଙ୍କ ଟ୍ରାକ୍ଟର ପ୍ୟାରେଡ ଲାଗି ଦିଲ୍ଲୀ ପୋଲିସ ୫ଟି ମାର୍ଗରେ ଅନୁମତି ଦେଇଛନ୍ତି ।

Leave A Reply

Your email address will not be published.