ମମତାଙ୍କୁ ରାମାୟଣ ପୁସ୍ତକ ପଠାଇଲେ ମଧ୍ୟପ୍ରଦେଶ ବାଚସ୍ପତି

0 69

ଭୋପାଳ, ୨୪ ।୧: ମଧ୍ୟପ୍ରଦେଶ ବିଧାନସଭାର କାମଚଳା ବାଚସ୍ପତି ତଥା ବିଧାୟକ ରାମେଶ୍ୱର ଶର୍ମା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାମାୟଣର ଏକ ପୁସ୍ତକ ପଠାଇଛନ୍ତି । ଏ ନେଇ ବାଚସ୍ପତି ଶର୍ମା ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ଅନେକ ବର୍ଷ ପରେ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ହେଉଛି । କିନ୍ତୁ ମମତା ଏହାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ଶର୍ମା କହିଛନ୍ତି, ରାମ ନାମ ଉଚ୍ଚାରଣକୁ ମମତା ଘୃଣା କରନ୍ତି । ମମତା ଦିଦି ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି ଯେ, ଆପଣ “ଜୟ ଶ୍ରୀରାମ’ କହିବା ଶିଖନ୍ତୁ । ଭଗବାନ ରାମଙ୍କୁ ବିରୋଧ କରିବା ବନ୍ଦ କରନ୍ତୁ । ପଶ୍ଚିମବଙ୍ଗରେ ଏକ କାର୍ଯ୍ୟକ୍ରମରେ ଆପଣ ଭଗବାନ ରାମଙ୍କୁ ଅପମାନିତ କରିଛନ୍ତି । ରାଜ୍ୟବାସୀ ବିଧାନସଭା ନିର୍ବାଚନରେ ଆପଣଙ୍କୁ ଉଚିତ ଶିକ୍ଷା ଦେବେ । ଶର୍ମା ଆହୁରି କହିଥିଲେ, ମମତା ଦିଦି ଆପଣ ଭଗବାନ ରାମଙ୍କ ନାମ ଜପ କରନ୍ତୁ । ମୁଁ ଆପଣଙ୍କୁ ରାମାୟଣର ଏକ ପୁସ୍ତକ ପଠାଉଛି । ରାମାୟଣ ପଢ଼ନ୍ତୁ । ଆଶା କରୁଛି ଆପଣଙ୍କୁ ସଦ୍ବୁଦ୍ଧି ମିଳିବ । ସାରା ବିଶ୍ୱରେ ଯେପରି ପ୍ରଭୁ ଶ୍ରୀରାମଙ୍କ ଭକ୍ତ ଅଛନ୍ତି, ଆପଣ ମଧ୍ୟ ରାମାୟଣ ପଢ଼ି ତାଙ୍କ ଭକ୍ତ ହୋଇଯିବେ ଏବଂ ଜୟ ଶ୍ରୀରାମ ନାମ ଜପ କରିବେ । ତେବେ ଶର୍ମାଙ୍କ ଏହି ଟ୍ୱିଟ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ଗତ ଶନିବାର ନେତାଜୀ ଜୟନ୍ତୀ ଅବସରରେ କଲକାତାର ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ ପରାକ୍ରମ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେଇଥିଲେ । ଏହି ସମାରୋହରେ ଉପସ୍ଥିତ କିଛି ଲୋକ ଜୟ ଶ୍ରୀରାମ ଏବଂ ଭାରତ ମାତା କୀ ଜୟ ନାରା ଦେବାରୁ ଦିଦି ରାଗିଯାଇ ଭାଷଣ ଦେବାକୁ ମନା କରିଦେଇଥିଲେ ।

Leave A Reply

Your email address will not be published.