ଚାଷୀଙ୍କୁ ଚକ୍ରବ୍ୟୁହରେ ଫସାଯାଇଛି : ରାକେଶ ଟିକାୟତ

0 62

ନୂଆଦିଲ୍ଲୀ, ୨୮ ।୧ : ଭାରତୀୟ କିଷାନ ୟୁନିଅନ୍ର ନେତା ରାକେଶ ଟିକାୟତ କିଛି ଦିନ ଧରି ଚର୍ଚ୍ଚାର ପରିସରରେ ରହିଆସୁଛନ୍ତି । ଗୁରୁବାର ଗାଜୀପୁର ସୀମାରେ ଚାଷୀଙ୍କୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି, ଚାଷୀ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଜାରି ରହିବ । ଯୋଜନାବଦ୍ଧ ଭାବେ ଚାଷୀଙ୍କୁ ବିଭ୍ରାନ୍ତ କରିବା ପାଇଁ ପ୍ରୟାସ କରାଯିବା ସହିତ ଆନ୍ଦୋଳନକୁ ଭାଙ୍ଗିବା ପାଇଁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି । ରାକେଶ ଟିକାୟତ କହିଛନ୍ତି, ପ୍ରଶାସନ ଚାଷୀଙ୍କୁ ବିଭ୍ରାନ୍ତ କରିବା ସହିତ ନିଜ ଜାଲରେ ଫସାଇଥିଲା । ହିଂସାକାଣ୍ଡ ଭିଆଇବା ଆମର ଉଦ୍ଦେଶ୍ୟ ନଥିଲା । ସରକାରଙ୍କୁ ଚେତାବନୀ ଦେବା ସହିତ ରାକେଶ ଟିକାୟତ କହିଛନ୍ତି, ଯଦି ଚାଷୀଙ୍କୁ ଆନ୍ଦୋଳନ କରିବା ପାଇଁ ଦିଆନଯାଏ ତେବେ ଆମକୁ ଗିରଫ କରାଯାଉ । ଏହାସହିତ ଆନ୍ଦୋଳନରତ ଚାଷୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଚାଷୀ ନେତା ରାକଶେ ଟିକାୟତ । ଏହାସହିତ ସେ କହିଛନ୍ତି, “ଚାଷୀମାନଙ୍କୁ ଚକ୍ରବ୍ୟୁହରେ ଫସାଯାଇଥିଲା । ଯେଉଁମାନେ ଦିଲ୍ଲୀ ରାଜରାସ୍ତାରେ ଓଲଟା-ସିଧା ଟ୍ରାକ୍ଟର ଚଳାଉଥିଲେ ସେମାନଙ୍କ ସହିତ ଆମର କୌଣସି ସମ୍ପର୍କ ନାହିଁ । ହିଂସା ଶବ୍ଦ ଆମ ଡିକ୍ସନାରୀରେ ନାହିଁ । ଲାଲକିଲ୍ଲାରେ ଯାହାକିଛି ହେଲା ତାହା କେବଳ ଆନ୍ଦୋଳନକୁ ରୋକିବା ପାଇଁ ଯୋଜନା କରାଯାଇଥିଲା । ଯେଉଁମାନେ ଭିତରକୁ ପ୍ରବେଶ କରିଥିଲେ ସେମାନଙ୍କୁ ବ୍ୟାରିକେଡ୍ରେ ଅଟକାଇନଥିଲା ପୋଲିସ । ଏସବୁ ଯୋଜନାବଦ୍ଧ ଭାବେ କରାଯାଇଥିଲା । ପୋଲିସ ଜାଣିଶୁଣି ସେମାନଙ୍କୁ ଭିତରକୁ ଛାଡିଦେଇଥିଲା । ସୂଚନାନୁସାରେ ଦିଲ୍ଲୀରେ ହୋଇଥିବା ହିଂସା ଘଟଣାରେ ମୋଟ ୨୨ଟି ମାମଲା ରୁଜୁ କରାଯାଇଛି ଯେଉଁଥିରୁ ୯ଟି ମାମଲାର ତଦନ୍ତଭାର କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ଧସ୍ତାଧସ୍ତି ମଧ୍ୟରେ ଅନେକ ଯବାନ ମଧ୍ୟ ଆହତ ହୋଇଥିଲେ । ଏହାର ତଦନ୍ତ ଜାରି ରହିଛି । କ୍ରାଇମ୍ବ୍ରାଞ୍ଚ ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ମାମଲାଗୁଡିକର ତଦନ୍ତ ଜାରି ରଖିଛନ୍ତି । ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ଦିଲ୍ଲୀ ପୋଲିସ ।

Leave A Reply

Your email address will not be published.